କୋଟିପତି ଯାଯାବର ଲୁଟେରା ଗିରଫ: ଲୁଟ୍‌ ଟଙ୍କାରେ କିଣିଛି ଏକାଧିକ ପ୍ଲଟ୍

କୋଟିପତି ଯାଯାବର ଲୁଟେରା ଗିରଫ

ଜଟଣୀ : ଖାଇବାକୁ ପାଉ ନଥିବା କହି ଯାହାକୁ ଲୋକେ ଦୟାରେ ଖାଦ୍ୟ ପୁଡ଼ିଆ ଦେଉଥିଲେ, ସେ ଜଣେ କୋଟିପତି ଏବଂ ଏକାଧିକ ବାସଗୃହ ଜମିର ମାଲିକ। କେବଳ ସେତିକି ନୁହେଁ, ସେ ଜଣେ କୁଖ୍ୟାତ ଲୁଟେରା ମଧ୍ୟ। ଜଟଣୀ ଆର୍‌ପିଏଫ୍‌ କାର୍ଯ୍ୟାଳୟ ସମୁଖରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଯାଯାବର ଭଗିଆ ଶବରର ଏହା ଅସଲ ଚେହେରା। ଖୋର୍ଦ୍ଧାରୋଡ୍‌ ରେଲୱେ ପୁଲିସ ତାକୁ ଗିରଫ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭଗିଆକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭଗିଆ ଦିନସାରା ଜଟଣୀ ବଜାରରେ ପାଗଳ ଭଳି ଏଣେତେଣେ ବୁଲାବୁଲି କରିବା ପରେ ରାତିରେ ଆର୍‌ପିଏଫ୍ କାର୍ଯ୍ୟାଳୟ ଆଗରେ ରହୁଥିଲା। ଆର୍‌ପିଏଫ୍‌ କର୍ମଚାରୀଙ୍କ ସମେତ ଜଟଣୀ ବାସିନ୍ଦା ତାଙ୍କୁ ଜଣେ ଯାଯାବର ପାଗଳ ବୋଲି ଭାବୁଥିଲେ। କିନ୍ତୁ ସେ ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍‌ କରୁଥିଲା। ଏ ସମ୍ପର୍କରେ ପୁଲିସ କୌଣସି ସୂଚନା ପାଇ ପାରୁନଥିଲା। ଗତ ଜାନୁଆରି ୧୭ ତାରିଖରେ ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳର ଶରତ କୁମାର ମଲ୍ଲଙ୍କ ପତ୍ନୀଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ସହ ୨ଟି ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌, ନଗଦ ୨୫୦୦ ଟଙ୍କା ଲୁଟ୍‌ ହୋଇଥିଲା। ଶ୍ରୀ ମଲ୍ଲ ଖୋର୍ଦ୍ଧା ରୋଡ୍‌ ଜିଆରପି ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ପୁଲିସ ଲୁଟେରାକୁ ଧରିବାରେ ସକ୍ଷମ ହୋଇନଥିଲା। ରେଳପଥ ସୁରକ୍ଷା ବଳ ମଣ୍ଡଳ ସ୍ପେସାଲ୍‌ ଟାକ୍ସଫୋର୍ସ ତଦନ୍ତ ଦାୟିତ୍ୱ ନେଇ ଛାନ୍‌ଭିନ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଯାଯାବର ଭାବେ ଏହି ଅଞ୍ଚଳରେ ବୁଲୁଥିବା ଭଗିଆ ଶବର ନିକଟରୁ ଲୁଟ୍‌ ୨ ମୋବାଇଲ୍‌ ଫୋନକୁ ପୁଲିସ ଜବତ କରିଥିଲା । ତେବେ ଲୁଟ୍‌ ୨୫୦୦ ଟଙ୍କା ଏବଂ ସୁନା ଚେନ୍‌ ମିଳି ନଥିଲା। ତଦନ୍ତ ବେଳେ ଲୁଟ୍‌ ସୁନାଚେନ୍‌କୁ ସେ ଇଣ୍ଡିଆନ ବ୍ୟାଙ୍କ୍‌ ଜଟଣୀ ଶାଖାରେ ବନ୍ଧକ ରଖି ୧୫ହଜାର ଟଙ୍କା ଋଣ ନେଇଥିବା ଜଣାପଡ଼ିଥିଲା। ଭଗିଆ ନାମରେ ଜଟଣୀ ସହରସ୍ଥିତ ବିକାଶନଗର, ବିଡିଏ କଲୋନି ସହ ଅନେକ ସ୍ଥାନରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲଟ୍‌ ରହିଥିବା ଜଣାପଡ଼ିଛି। ଏନେଇ ଜିଆରପି ଥାନା ନମ୍ବର ୩୭/୨୧‌ରେ ଏକ ମାମଲା ରୁଜୁ କରିଛି। ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଖୋର୍ଦ୍ଧା ରୋଡ୍‌ ଜିଆରପି ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ପାଖରେ ରହି ସେ ଲୁଟ୍‌ ଚଳାଇଥିବା ବେଳେ କେହି ଏହାର ସୁରାକ୍‌ ପାଉ ନଥିଲେ କିପରି ?

Share Now:

Kalinga News Beuro

Next Post

ଶୋଚନୀୟ ଅବସ୍ଥାରେ ସହିଦନଗର ଭିତର ରାସ୍ତା

Sat Apr 17 , 2021
ଭୁବନେଶ୍ବର : ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ସହିଦନଗରର ଷ୍ଟ୍ରିଟ୍‌ ସମୂହ ଶୋଚନୀୟ ଅବସ୍ଥାରେ। କେବଳ ମାର୍କେଟ୍‌ ଅଞ୍ଚଳ ଚକାଚକ୍‌। କିନ୍ତୁ ଭିତର ଜନବସତି ଅଞ୍ଚଳର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ସେହିଭଳି ପରିମଳ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଖାଲଖମା ରାସ୍ତାରୁ ନିୟମିତ ଅଳିଆ ଆବର୍ଜନା ଉଠୁନଥିବାରୁ ବହୁ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ […]
ଶୋଚନୀୟ ଅବସ୍ଥାରେ ସହିଦନଗର ଷ୍ଟ୍ରିଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial