ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌ’ତେ ଆଜି ଏକ ସିଭୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋଆଠାରୁ ୨୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଥିଲା। ଏହା ଆଜି ମଧ୍ୟରାତ୍ରି ସୁଦ୍ଧା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଅପରାହ୍ନ ବୁଲେଟିନରେ କୁହାଯ଼ାଇଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ଇତି ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି। ସେହିପରି ଆସନ୍ତା କାଲିଠାରୁ ପଶ୍ଚିମ ଗୁଜୁରାଟ ଓ ରାଜସ୍ଥାନର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ଓ ସମୁଦ୍ରରେ ବଡ଼ ବଡ଼ ଲହରି ଉଠିପାରେ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯ଼ାଇଛି।
ଭୀଷଣ ସାମଦ୍ରିକ ବାତ୍ୟାରେ ପରିଣତ ହେଲା ତୌ’ତେ: ମଙ୍ଗଳବାର ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବ

Share Now: