ବିଏମସି ଅତିରିକ୍ତ କମିସନରଙ୍କ ସ୍ଥିତି ସମୀକ୍ଷା
ଭୁବନେଶ୍ବର : କରୋନା କବଳରୁ ମୁକୁଳି ନଥିବା ବେଳେ ଏବେ ଡେଙ୍ଗୁ ରାଜଧାନୀରେ ଲୋକଙ୍କୁ କଲବଲ କଲାଣି। ମାତ୍ର ୧୦ଦିନ ମଧ୍ୟରେ ଭୁବନେଶ୍ବରରୁ ୧୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ଜଣ କେବଳ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁରର ସେକ୍ଟର-୩ ଅଞ୍ଚଳର ହୋଇଥିବା ବେଳେ ବିଡିଏ କଲୋନିରୁ ୨ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ସେହିପରି ନୀଳାଦ୍ରୀବିହାର, ଚନ୍ଦ୍ରଶେଖରପୁରସ୍ଥିତ ସୀତାନାଥ ନଗର, ହରେକୃଷ୍ଣନଗର ବସ୍ତିର ଅବସ୍ଥା ଉଦ୍ବେଗଜନକ ରହିଛି। ସେଠାରେ ଥିବା ପାଖାପାଖି ୯୦୦ଟି ପରିବାର ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି। ଏହାକୁ ଦେଖିଲେ ଡେଙ୍ଗୁ, ମ୍ୟାଲେରିଆ ହେବାର ଆଶଙ୍କା ବଢ଼ିଯାଇଛି। ତେବେ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧି ଦଳ ଆଜି (ସୋମବାର) ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଅଞ୍ଚଳ ପରିଦର୍ଶନ କରିବା ସହ ଡେଙ୍ଗୁ ସ୍ଥିତିର ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ସଫେଇ ଠିକ୍ ଭାବେ ହେଉନାହିଁ। ଖୋଲା ଆକାଶ ତଳେ ଆବର୍ଜନା ଅନେକ ଦିନ ଧରି ପଡ଼ି ରହିବା ପରେ ଏହାକୁ ଉଠାଇବାକୁ ମଧ୍ୟ ଅନେକ ସମୟ ଲାଗି ଯାଉଛି। ବିଭିନ୍ନ ସ୍ଥାନରେ ପାଣି ଜମା ହେଉଛି। ବର୍ଷା ଦିନରେ ମଶା ପ୍ରାଦୁର୍ଭାବ ବଢ଼ୁଛି।
ବିଏମ୍ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ବରେ ଗଠିତ ଟିମ୍ ଘଟଣାସ୍ଥଳର ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ମଇଳା, ପୁରୁଣା ପାଣି ଜମି ରହି ଡେଙ୍ଗୁ ହେଉଛି। ଏହାର ନିରାକରଣ ପାଇଁ ଡ୍ରେନ ସଫା ସହ ବୁଦା କଟାଯାଇ ପାଣି ଯେଉଁଠି ଜମି ରହିଛି ସେଠାରେ ଗୋଟିଏ ପ୍ରକାର ରସାୟନ ପକାଯିବ। ରାସ୍ତାକଡ଼ରେ ଫଟା ଟାୟାର ଓ ବିଭିନ୍ନ ଘରେ ଗମଲାରେ ପାଣି ଜମି ରହୁଛି। ଏହା ମଧ୍ୟ ଡେଙ୍ଗୁର ଅନ୍ୟତମ କାରଣ ବୋଲି କୁହାଯାଇଛି। ନଗର ସ୍ବାସ୍ଥ୍ୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକଙ୍କୁ ମଧ୍ୟ ଡେଙ୍ଗୁ ନିରାକରଣର ଦାୟିତ୍ବ ଦିଆଯାଇଛି।