ଭାଇଭଉଣୀଙ୍କ ସହ ମିଶି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୭ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇପାରିଥିଲା। ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଥିଲା। ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଥିଲେ। ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଥିଲେ।
କୋଭିଡ-୧୯ କଟକଣାରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ହୋଇଛି। ଆଜି ଭୋର ସାଢ଼େ ୪ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ପହଣ୍ଡି ବିଜେ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା। ଏହା ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ। ସେହିପରି ଗଜପତି ମହାରାଜ ତିନି ରଥ ଉପରେ ଛେରାପହଁରା କରିଥିଲେ। ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି। ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି। ଗତକାଲି ଠାରୁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି। କରୋନା ଗାଇଡଲାଇନ ଅନୁସାରେ ଘୋଷଯାତ୍ରାର ଆୟୋଜନ ହେଉଥିବାରୁ ଲୋକମାନେ ବାଧ୍ୟତାମୂଳକ ଭାବେ କଟକଣାକୁ ପାଳନ କରୁଛନ୍ତି। ଲୋକେ ମହାପ୍ରଭୁଙ୍କ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି।

Share Now:

Kalinga News Beuro

Next Post

କରୋନାର ୩ୟ ଲହର ନିଶ୍ଚିତ ଆସିବା ନେଇ ସତର୍କ କରାଇଲା ଆଇଏମଏ

Mon Jul 12 , 2021
ନୂଆଦିଲ୍ଲୀ : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବିଶ୍ବର ଅନ୍ୟ ଦେଶଗୁଡିକରେ ଦେଖାଦେଇଥିବା ପରିସ୍ଥିତି ଓ ମହାମାରୀଗୁଡ଼ିକର ଇତିହାସ ଦେଖିଲେ ଜଣାପଡ଼ୁଛି ଯେ କରୋନା ମହାମାରୀର ୩ୟ ଲହର ନିଶ୍ଚିତ […]
କରୋନାର ୩ୟ ଲହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial