ବିଲୁପ୍ତି ପଥରେ ପଞ୍ଚୁପାଣ୍ଡବ ଗୁମ୍ଫା: କଂକ୍ରିଟ୍‌ ଜଙ୍ଗଲ ଓ ଆବର୍ଜନା ଭିତରେ ଲୁପ୍ତ ହେବ କି ଐତିହ୍ୟ ?

ଭୁଶୁଡ଼ିବା ଆଶଙ୍କାରେ ପଞ୍ଚୁପାଣ୍ଡବ ଗୁମ୍ଫା

ଭୁବନେଶ୍ବର: ଐତିହ୍ୟ ନଗରୀ ଭୁବନେଶ୍ବରରେ ରହିଛି ପ୍ରାଚୀନ ଗାଥା ବହନ କରୁଥିବା ପଞ୍ଚୁପାଣ୍ଡବ ଗୁମ୍ଫା। ବଡ଼ଗଡ଼ ବ୍ରିଟ୍ କଲୋନି ସ୍ଥିତ ଏହି ଗୁମ୍ଫା ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଏକ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଗୁମ୍ଫାର ନାମ ସାମିଲ୍ ହୋଇରହିଛି। ମାତ୍ର ପରିତାପର କଥା ଏହି ଐତିହ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। ଛାତ ଦୁର୍ବଳ ହୋଇ ପଡ଼ିଥିବା ବେଳେ କାନ୍ଥ‌ରେ ଫାଟ ସୃଷ୍ଟି ହୋଇଛି। ତେଣୁ ଖୁବ୍‌ ଶୀଘ୍ର ମରାମତି ନହେଲେ ଏହି ପର୍ଯ୍ୟଟନ କ୍ଷେତ୍ରଟି ରାଜଧାନୀର କଂକ୍ରିଟ୍‌ ଆବର୍ଜନା ଭିତରେ ଲୁପ୍ତ ହୋଇଯିବ ବୋଲି ଅଭିଯୋଗ ହୋଇଛି।
ଓଡ଼ିଶାର ପୁରାତନ ଐତିହ୍ୟ ସ୍ମାରକୀଗୁଡ଼ିକ ମଧ୍ୟରେ ପଞ୍ଚୁପାଣ୍ଡବ ଗୁମ୍ଫା ଅନ୍ୟତମ। ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ଏହି ଗୁମ୍ଫା ମହାଭାରତ ଯୁଗର କାହାଣୀ ବହନ କରିଛି। କୌରବମାନଙ୍କ ଦ୍ବାରା ଜଉ ଘର ପୋଡ଼ି ପରେ ଅଜ୍ଞାତବାସରେ ଥିବା ପଞ୍ଚୁପାଣ୍ଡବ ଓ ଦ୍ରୌପଦୀ ଧଉଳିରେ ଅବସ୍ଥାନ କରିଥିଲେ। ସେହି ସମୟରେ ସେମାନେ ଦୀର୍ଘ ଦିନ ଧରି ଏହି ଗୁମ୍ଫାରେ ମଧ୍ୟ ଅଜ୍ଞାତବାସ କଟାଇଥିଲେ। ଏଠାରେ ଥିବା ଏକ ପ୍ରାଚୀନ ମୁଗୁନି ପଥରରେ ଖୋଦିତ ହୋଇଥିବା ପଞ୍ଚୁପାଣ୍ଡବଙ୍କ ସହ ଭଗବାନ ଶିବଙ୍କ ପ୍ରତିମା ଦେଖିବାକୁ ମିଳେ। ତେଣୁ ଏଠାରେ ରହଣି କାଳରେ ପାଣ୍ଡବମାନେ ଶିବଙ୍କୁ ଆାରାଧନା କରୁଥିବା ଜଣାଯାଏ। ଏହି ଗୁମ୍ଫାରେ ଏକ ସୁଡ଼ଙ୍ଗ ଥିବା ବିଶ୍ୱାସ କରାଯାଏ। ସୁଡ଼ଙ୍ଗଟି ଖଣ୍ଡଗିରି ଗୁମ୍ଫା ସହ ସଂଯୁକ୍ତ ବୋଲି ଲୋକକଥା ରହିଛି। ଏମିତିକି ଋଷି ବଳରାମ ଦାସ ମଧ୍ୟ ଏଠାରେ ଦୀର୍ଘ ଦିନ ଧରି ରହୁଥିବା କୁହାଯାଏ। କିନ୍ତୁ ଏଭଳି ପୌରାଣିକ ସମ୍ବନ୍ଧ ରଖିଥିବା ଏହି ପ୍ରାଚୀନ ଗୁମ୍ଫାର ସୁରକ୍ଷା ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ମନ କରୁନଥିବା ସ୍ଥାନୀୟ ଅଧିବାସୀମାନେ କହିଛନ୍ତି। ଏବେ ଗୁମ୍ଫା ଛାତରୁ ପଥରଖଣ୍ଡ ଖସୁଛି। କାନ୍ଥରେ ବଡ଼ବଡ଼ ଫାଟ ଦେଖାଗଲାଣି। ତେଣୁ ସ୍ଥାନୀୟ ଲୋକଙ୍କ କହିବା କଥା କେତେବେଳେ ଏହି ଐତିହ୍ୟ ଭୁଶୁଡ଼ି ପଡ଼ି ମାଟିରେ ମିଶିଯିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟ ଏକ ପରିତାପର କଥା ହେଉଛି ଏହାର ଉପରି ଭାଗ ପାଲଟିଛି ପିଲାମାନଙ୍କର ଖେଳପଡ଼ିଆ। ରାତିରେ ଅସାମାଜିକ ବ୍ୟକ୍ତିମାନେ ଏଠାରେ ଖଟି ଜମାଉଛନ୍ତି। ଗେଟ୍‌ରେ ତାଲା ପଡ଼ୁଥିଲେ ବି ପିଲାମାନେ କାନ୍ଥ ଡେଇଁ ଆସୁଛନ୍ତି। ଜଗିବାକୁ ସୁରକ୍ଷାକର୍ମୀ ନାହାନ୍ତି। ଚାରିପାଖ ଜବରଦଖଲ ହୋଇଗଲାଣି। ଏହି ଅଞ୍ଚଳ ଅଳିଆ ଆବର୍ଜନାରେ ଭରପୂର ହୋଇ ରହିଛି। ତେଣୁ ସବୁ ଦିଗରୁ ଏହି ସୁନ୍ଦର ଐତିହ୍ୟ ଏବେ ଅଲୋଡ଼ା ହୋଇ ରହିଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା

Tue Jul 27 , 2021
ଟିକା ଓ ଔଷଧ ଦେବାକୁ କଲେ ଅନୁରୋଧ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଏହି ବୈଠକ ଚାଲିଥିବାବେଳେ ମୁଖ୍ୟତଃ କୋଭିଡ ଟିକା ଯୋଗାଣକୁ ନେଇ ମମତା ମୋଦୀଙ୍କ ପାଖରେ ଦାବି […]
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial