କୋଲକାତା: ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର। ଆଜି ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ନାଇଟ କର୍ଫ୍ୟୁ ପୂର୍ବ ଭଳି ବଳବତ୍ତର ରହିବ। ପଶ୍ଚିମବଙ୍ଗ ସରକାର ଦେଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାତି ୯ ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ଉପରେ ରାଜ୍ୟବ୍ୟାପୀ ପ୍ରତିବନ୍ଧକ ଜାରି ରହିବ।
ଆଦେଶ ଅନୁଯାୟୀ ଆନ୍ତଃ ରାଜ୍ୟ ଟ୍ରେନ ଚଳାଚଳ ବନ୍ଦ ରହିବ। ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା, କୃଷିଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବ୍ୟତୀତ ରାତି ୯ ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ସହିତ ବାହ୍ୟ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି। ରାଜ୍ୟରେ ଏବେ କରୋନା ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାର ସମସ୍ତ ଜିଲ୍ଲା ପ୍ରଶାସନ, ପୁଲିସ କମିଶନରେଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ହେଉଥିବା ନେଇ ନିଶ୍ଚିତ କରିବାକୁ କହିଛନ୍ତି। ଏହି ନିୟମର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ନିର୍ଦ୍ଦେଶରେ ଚେତାବନୀ ଦିଆଯାଇଛି।
ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି : ବଳବତ୍ତର ରହିବ ନାଇଟ କର୍ଫ୍ୟୁ

Share Now: