ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଗଠନକୁ ଭୁଲିଯାଇଛନ୍ତି କି ସରକାର ?

ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି

ପୁରୀ : ଶ୍ରୀମନ୍ଦିର ପରିଚାଳନାରେ ପରିଚାଳନା କମିଟିର ପ୍ରମୁଖ ଭୂମିକା ରହିଛି। ଶ୍ରୀମନ୍ଦିର ବିକାଶ କଥା ହେଉ କି ସେବାୟତ କଲ୍ୟାଣ ଅବା ନୀତିକାନ୍ତି, ଶୃଙ୍ଖଳା, ସବୁକ୍ଷେତ୍ରରେ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ରହିଥିବାବେଳେ ନୂଆ ପରିଚାଳନା କମିଟି ଗଠନ ତଥା ଚୟନରେ ବିଳମ୍ବ ଏଥିରେ ପ୍ରତିବନ୍ଧକ ସାଜିଛି। ୫ ମାସ ତଳୁ ପୁରୁଣା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆ କମିଟି ଗଠନରେ ତତ୍ପରତା ଦେଖାଉ ନାହାନ୍ତି ସରକାର। ସତେ ଯେମିତି ଏହି ବ୍ୟବସ୍ଥାକୁ ସରକାର ଭୁଲିଯାଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ଶ୍ରୀମନ୍ଦିର, ସେବାୟତ ଓ ଭକ୍ତଙ୍କ ଉପରେ ପଡ଼ୁଛି। ଶ୍ରୀମନ୍ଦିର ଓ ସେବାୟତଙ୍କ ବିକାଶରେ ଏହା ଅନ୍ତରାୟ ସୃଷ୍ଟି କରିଛି। ଆଶା ଥିଲା ରଥଯାତ୍ରା ପରେ ପରେ ନୂଆ କମିଟି ଘୋଷଣା କରିବେ ସରକାର। ତଥାପି ସମୟ ପରେ ସମୟ ଗଡ଼ି ଚାଲିଥିଲେ ବି ନୂଆ କମିଟି କଥା କେହି ବି ଚିନ୍ତା କରୁନାହାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪, ସେକ୍ସନ୍‌ ୬ ଆଧାରରେ ଶ୍ରୀମନ୍ଦିର ବିଧି ବ୍ୟବସ୍ଥାରେ ଶୃଙ୍ଖଳା ତଥା ବିଭିନ୍ନ ସୁବିଧା ଅସୁବିଧା ଦୂର ପାଇଁ ପରିଚାଳନା କମିଟି ଗଠନ କରାଯାଇଛି। ଯେଉଁଥିରେ ମୁକ୍ତିମଣ୍ଡପ, ବିଭିନ୍ନ ନିଯୋଗ, ମଠ ଆଦିରୁ ୧୦ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଶେଷ ଥର ୨୦୧୮ ମାର୍ଚ୍ଚ ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଥିଲା। ଗଜପତି ମହାରାଜ ପରିଚାଳନା କମିଟି ସ୍ଥାୟୀ ସଭାପତି ହୋଇଥିବାବେଳେ ମନୋନୀତ ସଦସ୍ୟ ଭାବେ ମୁକ୍ତିମଣ୍ଡପରୁ ସିଦ୍ଧେଶ୍ବର ମହାପାତ୍ର, ପୂଜାପଣ୍ଡା ନିଯୋଗରୁ ମାଧବ ପୂଜାପଣ୍ଡା, ପୁଷ୍ପାଳକ ନିଯୋଗରୁ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ପ୍ରତିହାରୀ ନିଯୋଗରୁ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗରୁ ଅନନ୍ତ କୁମାର ତିଆଡ଼ି, ଦଇତାପତି ନିଯୋଗରୁ ରାମଚନ୍ଦ୍ର ଦାସମହାପାତ୍ରଙ୍କୁ ଚୟନ କରାଯାଇଥିଲା। ସେହିଭଳି ଭାଷ୍କର୍ଯ୍ୟ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର, ଝାଞ୍ଜପିଠା ମଠ ଅଧ୍ୟକ୍ଷ ସଚିଦାନନ୍ଦ ଦାସମହାରାଜ, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବିଜୟ ସାହୁ, ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ ବି ମନୋନୀତ କମିଟିରେ ଥିଲେ। ଏହି କମିଟିରୁ ବର୍ତ୍ତମାନ ଦୁଇଜଣଙ୍କ ଅକାଳ ବିୟୋଗ ହୋଇସାରିଲାଣି। ଗତ ମାର୍ଚ୍ଚ ୧୫ ତାରିଖରୁ ଏହି କମିଟିର କାର୍ଯ୍ୟକାଳ ‌ଶେଷ ହେଲାଣି। ପ୍ରାୟ ୫ ମାସ ତଳୁ କମିଟିର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ବିନା କମିଟିରେ ଚାଲିଛି ଶ୍ରୀମନ୍ଦିର। ତଥାପି ଏଥିପ୍ରତି ଚିନ୍ତା କରୁନାହାନ୍ତି ସରକାର। ପରିଣାମ ସ୍ବରୂପ ଶ୍ରୀମନ୍ଦିର ଦାନ ପାଣ୍ଠି ବୃଦ୍ଧିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଏହା ବାଟ ଓଗାଳୁଛି। ରଥଯାତ୍ରା ପୂର୍ବରୁ ବି ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ସେ ସମୟରେ ଖୁବଶୀଘ୍ର ନୂଆ ପରିଚାଳନା କମିଟି ଗଠନ ହେବ ବୋଲି କହିଥିଲେ ମୁଖ୍ୟ ପ୍ରଶାସକ। ପରେ ରଥଯାତ୍ରା ଥିବାରୁ ନୂଆ କମିଟି ଘୋଷଣାକୁ ଅଟକାଇ ରଖାଯାଇଥିଲା। ରଥଯାତ୍ରା ପରେ ନୂଆ କମିଟି ଘୋଷଣା ହେବ ବୋଲି ପ୍ରଶାସନିକ ଅଧିକାରୀଙ୍କ ସହ ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ ବି ଯୁକ୍ତି ବାଢ଼ିଥିଲେ। ତଥାପି ଆଜି ପର୍ଯ୍ୟନ୍ତ ନୂଆ କମିଟି ଘୋଷଣା ହୋଇନଥିବାରୁ ଶ୍ରୀମନ୍ଦିର ବଜେଟ୍‌ଠାରୁ ଆରମ୍ଭ କରି ରଥ ଚକ ଦାନ, ଏଭଳି ଅନେକ ପ୍ରସ୍ତାବ, ପ୍ରସ୍ତାବ ଭିତରେ ସୀମିତ ରହିଛି। ଶ୍ରୀମନ୍ଦିର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବି ନୂଆ କମିଟି ବିଷୟରେ ଆମେ ପ୍ରଶ୍ନ କରିଥିଲୁ। ସଭିଙ୍କଠାରୁ ଗୋଟିଏ ଉତ୍ତର ମିଳିଥିଲା କି ଏହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି।

Share Now:

Kalinga News Beuro

Next Post

କେରଳ ଓ ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ୍

Mon Aug 2 , 2021
ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା ପୁଣେ ଜିଲ୍ଲାରେ ଦେଖା ଦେଇଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି ଏବଂ ଲୋକେ ଭୟଭୀତ ନ ହେବାକୁ ନିବେଦନ କରିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ମହିଳା ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ପୁରନ୍ଦର ତହସିଲ ବେଲସର ଗାଁର ୫୦ ବର୍ଷ […]
କେରଳ ଓ ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial