ପ୍ରେମ କରି ଜୀବନ ଦେଲା ପ୍ରେମିକ :ପ୍ରେମିକା ଥାନାରେ ଅଟକ

ଭୁବନେଶ୍ୱର: ପ୍ରେମମୟ ଜୟଦେବ ବାଟିକାରେ କୋଳାହଳ ଖୁବ୍‌ କମ୍‌ ଶୁଣାଯାଏ । କିନ୍ତୁ ଆଜି ଆପରାହ୍ନରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜଣେ ଯୁବତୀଙ୍କ ଚିତ୍କାର। “ଦଉଡି ଆସ, ଦଉଡି ଆସ, କିଏ କୋଉଠି ଅଛ”। ହଠାତ୍‌ ଏମିତି ସ୍ୱର ଶୁଣି ସମସ୍ତେ ଏକାଠି ହୋଇଗଲେ। ଆଉ ଦେଖିଲେ ସାମ୍ନା ଗଛରେ ଝୁଲିଛି ଜଣେ ଯୁବକଙ୍କ ମୃତଦେହ। ଆଉ ଚିତ୍କାର କରିଥିବା ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି ସେତେବେଳକୁ ସମସ୍ତେ ଜାଣିଯାଇଥିଲେ।
ହେଲେ କ’ଣ ହେଲା ଯେ, ହଠାତ୍‌ ଏମିତି କାଣ୍ଡ ଘଟିଗଲା ? ତାକୁ ନେଇ ଟୁପୁର ଟାପର ଆରମ୍ଭ ହେଲା। କଥା ଥାନାରେ ପହଞ୍ଚିବାରୁ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ପିସିଆରରେ ବସାଇ ସାଥିରେ ନେଇଗଲା। ଆଉ ଯୁବତୀଙ୍କ ବୟାନ୍‌ ଶୁଣିଲା। ଆଉ ଯାହା ଶୁଣିଲା ପୋଲିସ ପୁରା ତାଜୁବ୍‌। ଆପଣବି ଶୁଣିଲେ ହଠାତ୍‌ ବିଶ୍ୱାସ କରି ପାରିବେନି।

“ଏକାଠି ବଞ୍ଚିବାନି ଯଦି ଏକାଠି ମରିଯିବା। ହେଲେ ଯମ କ’ଣ ଏକାଥରେ ନବ? କେବେ ବି ନୁହେଁ। ସେଥିପାଇଁ ଆଗପଛ ହୋଇ ମରିବା। ପ୍ରଥମେ ତୁମେ ଆଉ ତୁମ ପଛେ ପଛେ ମୁଁ।” ଝୁମୁରୀ(ପ୍ରେମିକାଙ୍କ ଛଦ୍ମନାମ) ନିଜ ପ୍ରେମିକା ଶଶିକାନ୍ତଙ୍କୁ ଏମିତି କହି ଉସ୍‌କାଇଥିଲେ। ଭାବପ୍ରବଣତାରେ ଭାସି ଯାଇଥିଲେ ଶଶିକାନ୍ତ। ପ୍ରେମିକା ମୁହଁକୁ ଶେଷଥର ଚାହିଁ ଆତ୍ମହତ୍ୟାର ନିଷ୍ପତ୍ତି ନେଲେ। ଖାଲି ସେତିକି ନୁହେଁ ପ୍ରିୟତମାଙ୍କ ଓଢଣୀରେ ନିଜେ ରଶି ଲଗାଇବେ ବୋଲି ସ୍ଥିର କରିନେଲା। ଭାବିଥିଲେ ସେ ମରିଯିବା ପରେ ଝୁମୁରୀ ବି ଜୟଦେବ ବାଟିକାର ସେଇ ଗଛରେ ରଶି ଲଗାଇବେ। କଥା ମୁତାବକ ପ୍ରଥମ ପାଳି ଥିଲା ଶଶିକାନ୍ତଙ୍କର। ଝୁମୁରୀ ବି କଥା ରଖି ନିଜ ଓଢଣିଟି ବଢେଇ ଦେଲେ ତାଙ୍କୁ। ଶଶିକାନ୍ତ ସେଇ ଓଢଣୀରେ ଦଉଡି ଲଗାଇ ଦେଲେ। ଆଖି ତରାଟି, ଜିଭ କାମୁଡି ଉଡିଗଲା ତାଙ୍କ ପ୍ରାଣବାୟୁ। ଆଉ ଏତିକି ବେଳକୁ ମୃତ୍ୟୁର ଟିପ୍ସ ଦେଇଥିବା ପ୍ରେମିକା ଝୁମୁରୀ ଚିତ୍କାର କଲେ।

ପୁରା ଘଟଣା ଶୁଣି ପୋଲିସ ତାଜ୍ଜୁବ୍‌ ହୋଇଯାଇଛି। ଅଭିଯୁକ୍ତ ପ୍ରେମିକା ସତ କହୁଛନ୍ତି ନା ମିଛ ସେ ନେଇ ପୋଲିସ ତର୍ଜମା କରୁଛି। ଇତିମଧ୍ୟରେ ମୃତ ଶଶିକାନ୍ତ ପଣ୍ଡାଙ୍କ ପରିଚୟ ମିଳିଛି। ତାଙ୍କ ଘର ବାଲେଶ୍ୱର ଜିଲାରେ। ସେ ଭୁବନେଶ୍ୱରର ଏକ ଘରାଇ ବ୍ୟାଙ୍କରେ ଚାକିରି କରୁଥିଲେ। ଏଣେ ଥାନାରେ ଅଟକ ଥିବା ତାଙ୍କ ପ୍ରେମିକା ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି ଓ ତାଙ୍କ ଘର ଅନୁଗୁଳ ଜିଲାରେ ବୋଲି କହିଛି ପୋଲିସ। ଅଟକ ଯୁବତୀଙ୍କ କଥାରେ ସତ୍ୟତା ଅଛି ନା ଘଟଣା ଆଉ କିଛି ସେ ନେଇ ତଦନ୍ତ ଚଳାଇଛି କମିଶନରେଟ୍‌ ପୋଲିସ।

ଘଟଣା ପଛର କାହାଣୀ:
ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଯୁବକ ଶଶିକାନ୍ତ ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ ସେହି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଶଶିକାନ୍ତ ବିବାହିତ ହୋଇଥିବାରୁ ଦୁହିଁଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ଶଶିକାନ୍ତଙ୍କ ପତ୍ନୀ। ଏହି ଘଟଣା ଜଣାପଡିବା ପରେ ଶଶିକାନ୍ତ ମନସ୍ତାପରେ ଥିଲେ।
ଶଶିକାନ୍ତ ଓ ତାଙ୍କ ପ୍ରେମିକା ଆଜି ଜୟଦେବ ବାଟିକା ଆସିଥିବା ବେଳେ ଏହି କଥାକୁ ନେଇ ମତାନ୍ତର ହୋଇଥିଲା। ଏହି ସମୟରେ ହଠାତ୍‌ ଶଶିକାନ୍ତ ମାନସିକ ଭାରସାମ୍ୟ ହରାଇ ପ୍ରେମିକାଙ୍କ ଓଢଣୀ ଛଡାଇ ଆଣି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏପରିକି ପ୍ରେମିକା ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ପ୍ରତ୍ୟକ୍ଷଦର୍ଶି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଏବେ ବଢ଼ିବନି ତାତି

Tue Apr 3 , 2018
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇ ଦିନ ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ତ୍ରାହି ମିଳିଥିବା ବେଳେ ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା କମିଛି। ପ୍ରତି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀର ପ୍ରଭାବ ବି କମିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial