ଏମ୍ସରେ ଦଲାଲ ସକ୍ରିୟ : ହଇରାଣ ହେଉଛନ୍ତି ରୋଗୀ ଓ ସଂପର୍କୀୟ

ଏମ୍ସରେ ଦଲାଲ ସକ୍ରିୟ

ଓପିଡି ଟିକେଟ୍ କରାଇଦେବାକୁ ଆଦାୟ ହେଉଛି ଟଙ୍କା

ଭୁବନେଶ୍ବର : ଏମ୍ସ ଓପିଡିରେ ଚିକିତ୍ସା ପାଇଁ ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି। ଟିକେଟ୍‌ ପାଇଁ ପ୍ରତିଦିନ ଭୋର୍ ୪ଟାରୁ ଧାଡ଼ି ଦେଉଛନ୍ତି ଶହଶହ ଲୋକ। ଏପରିକି ଅନେକ ରୋଗୀ ଓ ସେମାନଙ୍କ ସଂପର୍କୀୟ ଖୋଲା ଆକାଶ ତଳେ ରାତି କଟାଉଛନ୍ତି। ଏଭଳି ସ୍ଥିତିର ଫାଇଦା ନେଉଛନ୍ତି ଦଲାଲ। ଓପିଡି ଟିକେଟ କରାଇଦେବା ପାଇଁ ରୋଗୀଙ୍କ ପରିଜନଙ୍କଠାରୁ ୩୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏମ୍ସର କିଛି କର୍ମଚାରୀ ଏଥିରେ ସଂପୃକ୍ତ ରହୁଥିବା ନେଇ ଅଭିଯୋଗ ହେଉଛି। ତେଣୁ ଏ ସଂକ୍ରାନ୍ତରେ ପୁଲିସ ଏବଂ ଏମ୍ସ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଜୟଦେବବିହାରର ନିରଞ୍ଜନ ସାହୁ କହିଛନ୍ତି, ନିକଟରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଏମ୍ସ ଯାଇଥିଲେ। ସେ ପ୍ରାୟ ୧୦୩ ଜଣଙ୍କ ପରେ ଧାଡ଼ିରେ ଠିଆ ହୋଇଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ଧାଡ଼ିରୁ କିଛି ବ୍ୟକ୍ତି ବାହାରି ଯାଉଛନ୍ତି ଏବଂ ତାଙ୍କ ସ୍ଥାନରେ ରୋଗୀଙ୍କ ସମ୍ପର୍କୀୟ ପଶି ଯାଉଛନ୍ତି। ଏଥିପାଇଁ ଉଭୟଙ୍କ ମଧ୍ୟରେ ଟଙ୍କା ଦିଆ‌ନିଆ ହେଉଛି। ସକାଳ ୮ଟାରେ ଗେଟ୍‌ ଖୋଲୁଛି। ମାତ୍ର ୮ଟା ୧୫ ବେଳକୁ ନ୍ୟୁରୋଲୋଜି, ଅର୍ଥୋପେଡିକ୍ସ ବିଭାଗରେ ଟିକେଟ ସରିଯାଉଛି। ମାତ୍ର ୧୫ ମିନିଟ୍‌ ମଧ୍ୟରେ ଟିକେଟ ମିଳିଲା ନାହିଁ; ଏଣେ ୫୦୦ ଟଙ୍କାରେ ଟିକେଟ ମିଳିଯିବ ବୋଲି କିଛି ବ୍ୟକ୍ତି ସେହି ସ୍ଥାନରେ ଯାତାୟାତ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଲୋଭିତ କରୁଥିଲେ। ଜାଣିଶୁଣି ସୁପରସ୍ପେସାଲିଷ୍ଟ ବିଭାଗର କୃତ୍ରିମ ଟିକେଟ ସଙ୍କଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଏମ୍ସରେ ଏଭଳି ଅଭିଯୋଗ ନୂଆ ନୁହେଁ। ଓପିଡିରେ ପ୍ରତିଦିନ ସୀମିତ ସଂଖ୍ୟକ ରୋଗୀଙ୍କୁ ଡାକ୍ତରଙ୍କୁ ଦେଖା କରିବାର ସୁଯୋଗ ମିଳୁଥିବାରୁ କିଛି ଦଲାଲ ଏହାର ସୁଯୋଗ ନେଇ ଏଭଳି ଅନୈତିକ ବେପାର ଆରମ୍ଭ କରିଛନ୍ତି। ଦଲାଲଙ୍କ ସହ ଏମ୍ସର କିଛି କର୍ମଚାରୀଙ୍କ ଭିତିରିଆ ସଂପର୍କ ଥିବାରୁ ଏଠାରେ ଏଭଳି ଏକ ରାକେଟ୍ କାମ କରୁଛି। ଫଳରେ ଦୂରଦୂରାନ୍ତରରୁ ଆସିଥିବା ରୋଗୀମାନେ ଲମ୍ବାଧାଡ଼ିରେ ଘଣ୍ଟାଘଣ୍ଟା ଧରି ଛଡ଼ା ହୋଇ ମଧ୍ୟ ଓପିଡି ଟିକେଟ୍ ପାଉନାହାନ୍ତି। ଏହା ପୂର୍ବରୁ ଏଭଳି ଅଭିଯୋଗ ନେଇ ପୁଲିସ କେତେଜଣଙ୍କୁ ଅଟକ ରଖିଥିଲା। ମାତ୍ର ସେମାନେ ରୋଗୀଙ୍କ ସମ୍ପର୍କୀୟ ବୋଲି କହିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

Share Now:

Kalinga News Beuro

Next Post

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାରଙ୍କ ପ୍ରସ୍ତୁତି : ସବୁ ଶିଶୁଙ୍କ ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା

Fri Aug 13 , 2021
ଭୁବନେଶ୍ବର : ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା। ଶିଶୁ ୱାର୍ଡରେ ଆଡମିସନ୍‌ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ‌ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅବଗଣନା ଜାରି ରହିଛି। ନିର୍ଦ୍ଦିଷ୍ଟ […]
ସବୁ ଶିଶୁଙ୍କ ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial