ସରକାରୀ ଉଦାସୀନତା ପାଇଁ ଅପପୃଷ୍ଟିର ଠିକଣା ପାଲଟିଛି କୋଇଡ଼ା, ଲହୁଣିପଡ଼ା

ଭୋକର ନୂଆ ଠିକଣା-1

ଅପପୁଷ୍ଟି ନେଉଛି ଆଦିବାସୀଙ୍କ ଜୀବନ, ବର୍ଷକୁ ଖଣିଜ ରାଜସ୍ୱ ୩୬୦୦ କୋଟି ଟଙ୍କା

ସୁନ୍ଦରଗଡ଼ : ଖଣି ରାଜଧାନୀ କୋଇଡ଼ା ଛାତିରେ ଠିଆ ହୋଇଥିବା ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡ଼ୁଗୋଠ ସାହିର ଏକ ଅ‌ଢ଼େଇ ବର୍ଷର ମା’ ଛେଉଣ୍ଡ ଶିଶୁପୁତ୍ର ଅଇଁଠା ଖଲିପତ୍ର ଚାଟି ଖାଉଥିବାର ଏକ ଭିଡିଓ ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ଦାରିଦ୍ର୍ୟର ଏ କରୁଣ ଚିତ୍ର ସେତେବେଳେ ସାରାରାଜ୍ୟକୁ ଦୋହଲାଇ ଦେଇଥିଲା। ତେବେ କୋଇଡ଼ାର ଏ ଯନ୍ତ୍ରଣା କେବଳ ଭୋକିଲା ଶିଶୁର ଅଇଁଠି ଖଲି ଚାଟିବାରେ ଅଟକି ଯାଇ ନଥିଲା, ତାହା ଅପପୁଷ୍ଟି ଓ ଶୋଚନୀୟ ମୃତ୍ୟୁ ଯାଏ ଲମ୍ବି ଯାଇଥିଲା।

ଘଟଣାକ୍ରମେ, ସେପ୍ଟେମ୍ବର ୨୧ରେ ବଣାଇ ଉପଖଣ୍ଡର ଲହୁଣିପଡ଼ା ବ୍ଲକ୍‌ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ବିଧବା ଇନ୍ଦୁ ତୁରୀଙ୍କ ୮ ବର୍ଷର ପୁଅ ଓ ୬ ବର୍ଷର ଝିଅର ପ୍ରାଣ ନେଇଥିଲା ଅପପୁଷ୍ଟି। ବହୁଦିନ ଧରି ଅପପୁଷ୍ଟି‌ରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସା ନପାଇ ଶୋଚନୀୟ ଭାବେ ନିଜ ଘରେ ପ୍ରାଣ ହରାଇଥିଲେ। ପୁଅର ଅନ୍ତିମ ସଂସ୍କାର ନସରୁଣୁ ଗୁରୁତର ହେଲେ ଝିଅ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଅଟୋ ଯୋଗେ ଲହୁଣିପଡ଼ା ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ଦୁଃଖଦ ସ୍ଥିତିରେ ଉପଯୁକ୍ତ ଚିକିତ୍ସା ପାଇଁ ମା’ ଓ ଦେଢ଼ବର୍ଷର ଅନ୍ୟ ଏକ ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମା’ ଇନ୍ଦୁ ସୁସ୍ଥ ହେଉଥିବା ବେଳେ ଶିଶୁପୁତ୍ର ପୁଷ୍ଟି ସାଧନ କେନ୍ଦ୍ରରେ ଚିକିତ୍ସାଧୀନ। ଏ ହୃଦୟ ବିଦାରକ ଘଟଣାର ୭ ଦିନ ନଯାଉଣୁ ସେପ୍ଟେମ୍ବର ୨୮ ତାରିଖରେ କୋଇଡ଼ା ବ୍ଲକ୍‌ କେ. ବଲାଙ୍ଗ ପଞ୍ଚାୟତ ହାତୀଅଡ଼ା ଗାଁର ପ୍ୟାରୀ ମୁଣ୍ଡାଙ୍କ ବର୍ଷକର ଝିଅ ସାଲିମା ଅପପୁଷ୍ଟି ଜନିତ କାରଣରୁ ଗୁରୁତର ହେବାରୁ ତୁରନ୍ତ ଲହୁଣିପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନା ନିଆଗଲା। କିନ୍ତୁ ସେଠାରେ ଅବସ୍ଥା ଅତି ସାଂଘାତିକ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଆର୍‌ଜିଏଚରେ ୬ ଦିନ ହେଲା ମରଣ ସହ ଯୁଝୁଛନ୍ତି। ପ୍ରଚୁର ଖଣିଜ ସମ୍ପଦ ଥିବା ଏହି ଅଞ୍ଚଳ ରାଜ୍ୟ ରାଜକୋଷକୁ ବାର୍ଷିକ ୩୬ ଶହ କୋଟିରୁ ଅଧିକ ଟଙ୍କା ରାଜସ୍ବ ଦେଉଛି। ଏହା ବ୍ୟତୀତ ଖଣି ଯୋଗୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ଉନ୍ନତି ଓ ସେଠାକାର ଗରିବ ଅଧିବାସୀଙ୍କ ଜୀବନଜୀବିକାକୁ ସମୃଦ୍ଧ କରିବା ପାଇଁ କାର୍ଯ୍ୟକାରୀ ହେଉଛି ଶହ ଶହ କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଏବଂ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡସି)। କେବଳ ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପୂର୍ବରୁ ଛତୁଆ, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଏବେ ସେଥିରେ ସାମିଲ କରାଯାଇଛି ସ୍ପିରୁଲିନା, ଚିକି, ମାଣ୍ଡିଆ ଲଡ଼ୁ ଭଳି ସ୍ବତନ୍ତ୍ର ଅତିପୋଷକ ଖାଦ୍ୟ। ସେଥିପାଇଁ ଆହୁରି କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସତ୍ତ୍ୱେ ‌ଏଠି ନିରୀହ ଶିଶୁଟିଏ ଭୋକରେ ଅଇଁଠା ଖଲି ଚାଟିବା ଓ ଅପପୁଷ୍ଟିରେ ପ୍ରାଣ ହରାଇବା ଭଳି ବିଡ଼ମ୍ବନା ସୃଷ୍ଟି ହୋଇଛି। ତେବେ ଖଣି ପ୍ରଭାବିତ ଅଞ୍ଚଳର ଏସବୁ ଅଭାବନୀୟ ଘଟଣାରେ ଲୋକପ୍ରତିନିଧିମାନଙ୍କ ଅସମ୍ଭବ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିଏମ୍‌ଏଫ୍‌ ଓ ଓମ୍‌ବାଡସିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଏହି ଅଞ୍ଚଳରେ କାହିଁକି ଲୋକେ ଭୋକିଲା ରହୁଛନ୍ତି, କାହିଁକି ଶିଶୁ ଅପପୁଷ୍ଟିକୁ ରୋକାଯାଇପାରୁନି, ପ୍ରଦୂଷଣ କାହିଁକି ବଢ଼ୁଛି ସେ ସମ୍ପର୍କରେ ପ୍ରଶ୍ନ ପଚାରିବାକୁ କେହି ନାହିଁ। ଲାଗୁଛି ଯେମିତି ନିରୀହ ଅଧିବାସୀ ମଲେ କି ହଜିଲେ, କାହାର କିଛି ଯାଏ ଆସେ ନାହିଁ।

Share Now:

Kalinga News Beuro

Next Post

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Tue Oct 5 , 2021
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଳକ ପନ୍ଦାଡୋ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି। ଗାଁରେ ଥିବା ୬ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଖବର ମିଳିଛି। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ […]
ଭୟାବହ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial