ନୂଆଦିଲ୍ଲୀ: ମୁଁ ଓ ମୋ ସ୍ବାମୀ ଉପାସ ରହିପାରିବୁ, କିନ୍ତୁ ଭୋଜନ ବିନା କାନ୍ଦୁଥିବା ପିଲାମାନଙ୍କ ପାଇଁ ଆମେ ଚିନ୍ତିତ। ତାହା ସହ୍ୟ କରିବା କଷ୍ଟକର ବୋଲି ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନୀସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣି କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ। କେବେ କେବେ ସେତକ ବି ମିଳେନାହିଁ। ଆମେ ଉପାସରେ ଶୋଇପଡୁ। ଆଜି ସକାଳେ ଚା ଟୋପାଏ ପିଇଥିଲୁ। ଦୁଇ ଦଶନ୍ଧି ଯୁଦ୍ଧ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ଆଫଗାନବାସୀ ଗରୁତର ମାନବୀୟ ସଙ୍କଟ ଦେଇ ଗତିକରୁଛନ୍ତି। ସେ ସଙ୍କଟର ପ୍ରଭାବ ଜର୍ଗୁନାଙ୍କର ୮ ବର୍ଷିୟ ପୁଅ ମଧ୍ୟ ବୁଝିପାରିଲାଣି। ସେ କହିଛି, ଆମେ ପାଉଁରୁଟି ଖାଉ ଆଉ କେବେ କେମିତି ଭାତ ମୁଠାଏ, କିନ୍ତୁ କେବେ ମାଂସ କି, ଫଳ ଖାଇବାକୁ ପାଉନାହୁଁ। ଆଗ ଠାରୁ ଆମକୁ ଏତେ କମ୍ ଭୋଜନ ମିଳୁଛି ଯେ, ପେଟ ପୂରୁନାହିଁ। କେବେ କେବେ ଖାଇବାକୁ ନ ଥିଲେ, ଖାଡ଼ା ଉପାସରେ ଶୋଇପଡ଼େ। ଏବେ ତାଙ୍କ ପରିବାର ଲୋକେ କଞ୍ଚା ଅଟା ଖାଉଛନ୍ତି। ଜର୍ଗୁନା କହନ୍ତି, ଆମ ଅବସ୍ଥା ଭଲ ନାହିଁ। ଅଳ୍ପ କିଛି ଦିନ ତଳେ ଆମେ ବସ୍ତାଏ ଅଟା ପାଇଥିଲୁ। ତାକୁହିଁ ଖାଇଲୁ। ସବୁ ଜିନିଷ ମହଙ୍ଗା ହୋଇଗଲାଣି। ମହଙ୍ଗା ଯୋଗୁଁ ଆମେ ଆଉ ଅଟା ଓ ତେଲ କିଣି ପାରୁନାହୁଁ। ଖାଦ୍ୟ ଦର ଏତେ ବଢ଼ି ଯାଇଛି ଯେ, ୧ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ପରିବାର ଲୋକେ ଓଳିଏ ମାତ୍ର ଖାଇବାକୁ ଦେବା କଷ୍ଟକର ହୋଇଯାଉଛି। ସରକାରୀ ଚାକିରିଆମାନଙ୍କୁ ତାଲିବାନ୍ ମଜୁରି ଦେଇ ପାରୁ ନ ଥିବାରୁ ଅନେକ ଆଫଗାନମାନେ ଘରର ସାମଗ୍ରୀ ବିକି ଦେଉଛନ୍ତି। ଏବେ ସହରାଞ୍ଚଳ ଓ ନଗରାଞ୍ଚଳ ଅଧିବାସୀମାନଙ୍କ ଖାଦ୍ୟ ସଙ୍କଟ ସମସ୍ୟା ସମାନସ୍ତରରେ ପହଞ୍ଚିଛି।
୧୦୦ ଦିନ ତାଲିବାନ ଶାସନରେ ଆଫଗାନବାସୀଙ୍କ ଦୁର୍ଦ୍ଦଶା
Share Now: