ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ୍‌ କାର୍ଯ୍ୟକ୍ଷମ

ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ୍‌

୭ ହଜାର ଟଙ୍କାରେ ହେବ କର୍କଟ ରୋଗ ଚିହ୍ନଟ

ଭୁବନେଶ୍ବର: ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ ଜରିଆରେ ୭ ହଜାର ଟଙ୍କାରେ କର୍କଟ ରୋଗର ଚିହ୍ନଟ ହୋଇପାରିବ। କର୍କଟ ରୋଗ ଉପରେ ଚିକିତ୍ସା ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ ରହିଛି, ଏହା ମଧ୍ୟ ଜଣାପଡ଼ିବ। ଏକ ମାସ ହେଲା ଏମ୍ସକୁ ଆସିଥିବା ଏହି ମେସିନ୍‌ ଆଜି ଡିସେମ୍ବର ୧ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ଘାଟିତ ହୋଇଛି। ଏହାପରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଲେ କିଛି ଦିନ ମଧ୍ୟରେ ପରୀକ୍ଷଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ। ଦୈନିକ ୧୦ରୁ ୧୫ରୋଗୀଙ୍କ ପରୀକ୍ଷଣ ହୋଇ ପାରିବ। ଏଥିପାଇଁ ଏମ୍‌ସ ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବି. ନ୍ୟୁକ୍ଲିୟର ମେଡିସିନ୍‌ ବିଭାଗ ଡାକ୍ତର ପ୍ରଫେସର୍‌ କହ୍ନେୟା ଅଗ୍ରୱାଲ ଏବଂ ଟିମ୍‌କୁ ପ୍ରଶଂସା କରିଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ପେଟ୍‌ସିଟି ସ୍କାନ ମେସିନ୍‌ ନଥିଲା। ରାଜଧାନୀରେ ଥିବା ବିଭିନ୍ନ ଘରୋଇ ଡାକ୍ତରଖାନାରେ ଏହା ଥିଲେ ମଧ୍ୟ ଥରେ ପରୀକ୍ଷା ପାଇଁ ୨୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଏମ୍ସର ଏହି ମେସିନ ରାଜ୍ୟର ଘରୋଇ ଡାକ୍ତରଖାନା ମେସିନ୍‌ଠାରୁ ଅନେକ ଉଚ୍ଚମାନର ସହିତ କମ ଖର୍ଚ୍ଚ ଯୋଗୁଁ ରୋଗୀ ମଧ୍ୟ ଆଶ୍ବସ୍ତ ହେବେ।
ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୫୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହୁଅନ୍ତି। ବରଗଡ଼, କଳାହାଣ୍ଡି, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ବିଭିନ୍ନ ଜିଲ୍ଲାରୁ ଅନେକ ସଂଖ୍ୟାରେ କୃଷକ, ଶ୍ରମଜୀବୀ ଶ୍ରେଣୀର ଦାରିଦ୍ର୍ୟ ସୀମାରେଖା ତଳର ରୋଗୀ ସର୍ବାଧିକ ଥାଆନ୍ତି। ଏଥିରୁ ୨ ବର୍ଷ ମଧ୍ୟରେ ଏମ୍ସରେ ଉଭୟ ପୁରୁଣା ଏବଂ ନୂଆ ରୋଗୀଙ୍କୁ ମିଶାଇ ଏଠାରେ ପ୍ରାୟ ୭୫ ହଜାର କର୍କଟ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏଥିସହ କଟକସ୍ଥିତ ଆଚାର୍ଯ୍ୟ ହରିହର, ବୁର୍ଲା ଏବଂ ବ୍ରହ୍ମପୁରରେ ଏହାର ଚିକିତ୍ସା ହେଉଛି। ଘରୋଇ ଡାକ୍ତରଖାନା ସମ୍‌, କିମ୍ସ, ହାଇଟେକ୍‌, ଏଲ୍‌ଭି ପ୍ରସାଦ, ଏସସିଜି ପଣ୍ଡା, ଆପୋଲୋ, ଆମ୍ରି, ସ୍ପର୍ଶ ସମେତ କିଛି ଘରୋଇ ଡାକ୍ତରଖାନାକୁ କର୍କଟ ରୋଗୀ ନିୟମିତ ଆସୁଛନ୍ତି। ପେଟ୍‌ସିଟି ସ୍କାନ ମେସିନ ମେସିନ କାର୍ଯ୍ୟକାରୀ ହେଲେ ଅନେକଙ୍କ ପାଇଁ ସୁବିଧାଜନକ ହେବ।

Share Now:

Kalinga News Beuro

Next Post

ଭାରତରେ କରୋନାର ଘାତକ ଭାରିଆଣ୍ଟ ଓମିକ୍ରନ : କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ

Thu Dec 2 , 2021
ନୂଆଦିଲ୍ଲୀ: ଭାରତକୁ ଆସିଲା ଓମିକ୍ରନ। କାରଣର ସବୁଠାରୁ ଘାତକ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ଏହି ପ୍ରଜାତିର ଭୂତାଣୁ ଦୁଇଜଣଙ୍କ ଠାରେ ଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ୬୬ ବର୍ଷ ଓ ୪୬ ବର୍ଷ ବୋଲି ଜଣାପଡିଛି। ସେହିପରି ଦୁଇଜଣ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ପୁରୁଷ […]
ଲୋକଙ୍କୁ ଦରିଦ୍ର କରିଛି କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial