ଆର୍ଥିକ କଟକଣା ଲଗାଇବାରୁ ଆମେରିକା ଉପରେ ରାଗିଗଲା ଋଷ

ଆମେରିକା ଉପରେ ରାଗିଗଲା ଋଷ

ଉଚିତ୍ ଜବାବ ଦେବାକୁ ଧମକ ଦେଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ଏକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦେବା ସହ ସେଠାକୁ ସୈନ୍ୟ ପଠାଇବା ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଥିଲେ। ଏବେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ଋଷ ସେନା ଡୋନେସ୍କ ଏବଂ ଲୁଗାନସ୍କ ଆଡକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଆମେରିକା ଆର୍ଥିକ କଟକଣା ଲଗାଇବା ନେଇ ଘୋଷଣା କରିଛି। ତେବେ ଆମେରିକାର ଏଭଳି ଘୋଷଣା ପରେ ଋଷ କ୍ରୋଧିତ ହୋଇଥିବା ଜଣାପଡ଼ିଛି। ଏହି କଟକଣାକୁ ନେଇ ଏକ ଦୃଢ଼ ପ୍ରତିକ୍ରିୟା ଦିଆଯିବ ବୋଲି ଋଷର ବୈଦେଶିକ ମନ୍ତ୍ରାଳୟ କହିଛି। ଅନ୍ୟପକ୍ଷରେ, ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଶଙ୍କା ବଢ଼ୁଥିବା ବେଳେ ୟୁକ୍ରେନର ନାଗରିକଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ସଂସଦରେ ଆଲୋଚନା ଚାଲିଥିବା କୁହାଯାଉଛି। ଏଭଳି ଅନୁମତି ଦିଆଗଲେ, ଯୁଦ୍ଧ ହେଲେ ଲୋକେ ନିଜକୁ ସୁରକ୍ଷା ଦେଇପାରିବେ। ଋଷର ଆକ୍ରମଣ ଭୟରେ ୟୁକ୍ରେନ ନିଜ ନାଗରିକଙ୍କୁ ସତର୍କ କରାଉଥିବା ବେଳେ ଏବେ ଋଷ ୟୁକ୍ରେନରେ ଥିବା ସମସ୍ତ ଦୂତାବାସରୁ ନିଜ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି। ଋଷର ଏଭଳି ପଦକ୍ଷେପ ପରେ ଯୁଦ୍ଧ ହେବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୂର୍ବ ୟୁକ୍ରେନର ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ, ଡୋନେସ୍କ ଏବଂ ଲୁଗାନସ୍କ ପିପୁଲ୍ସ ରିପବ୍ଲିକକୁ ଏକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦେଇଥିଲେ। ସୋମବାର ରାତିରେ ପୁତିନ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଥିଲେ। ପୁତିନ ଏହା ମଧ୍ୟ କହିଥିଲେ ‌ଯେ, ଋଷର ସୈନ୍ୟମାନେ ଡୋନେସ୍କ ଏବଂ ଲୁଗାନସ୍କକୁ ପ୍ରବେଶ କରିବେ ଏବଂ ସେହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବେ। ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ ଡୋନେସ୍କ ଏବଂ ଲୁଗାନସ୍କରେ ଶାନ୍ତି ବଜାୟ ରଖିବା ପାଇଁ ଋଷର ସୈନ୍ୟମାନେ ଆଗକୁ ବଢ଼ୁଥିବା ଜଣାପଡ଼ିଛି। ଏହାକୁ ନଜରରେ ରଖି ଏବେ ୟୁକ୍ରେନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

Share Now:

Kalinga News Beuro

Next Post

ବିଚିତ୍ର ବ୍ୟବସ୍ଥା : ପ୍ରାଣକୃଷ୍ଣ ପରିଜା ଉଦ୍ୟାନରେ ଜାଇକା କରୁଛି ଚ୍ୟାମ୍ବର୍‌

Wed Feb 23 , 2022
ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋ‌ଷ କଟକ: ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ନୂଆ ଉଦ୍ୟାନ ବା ପାର୍କ ନିର୍ମାଣ କରାଯାଉଛି। ମାତ୍ର ବଶିଷ୍ଟ ବ୍ୟକ୍ତିଙ୍କ ନାମରେ ଥିବା ଉଦ୍ୟାନକୁ ନଷ୍ଟ କରି ସେମାନଙ୍କ ପ୍ରତି ସିଏମ୍‌ସି ଅସମ୍ମାନ ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି। ଗତ ତିନି ବର୍ଷ ମଧ୍ୟରେ ନିଗମ ଅମୃତ ଯୋଜାନରେ ସହରରେ ୩୦ରୁ ଅଧିକ ପାର୍କର ପୁନରୁଦ୍ଧାର କାମ ଶେଷ […]
ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋ‌ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial