ନଈ ଭିତରେ ଚାଲିଛି ପୋଖରୀ ଖୋଳା:ଜଳଛାୟା ପ୍ରକଳ୍ପରେ ବ୍ୟାପକ ହରିଲୁଟ୍‌

ଯାଜପୁର/ବାରବାଟୀ : ଏକଦା ଚିରସ୍ରୋତା କୁହାଯାଉଥିବା ଖରସ୍ରୋତା ନଦୀ ଏବେ ଶୁଷ୍କ ପ୍ରାୟ! ଯାଜପୁର ଜିଲ୍ଲାରେ ପ୍ରବାହିତ ଏହି ନଦୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଛି। ମାତ୍ର, ଏହି ଦାବିକୁ ପୂରଣ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିସ୍ଥଳେ ନଦୀ ଭିତରେ ପୋଖରୀ ଖୋଳା ଯାଉଥିବାଭଳି ଘଟଣା ଦେଖିବାକୁ ମିଳିଛି। ଜଳଛାୟା ପ୍ରକଳ୍ପ ନାମରେ ଗୋଟିଏ ନୁହେଁ ଏକାଧିକ ପୋଖରୀ ଖନନ ଚାଲିଛି।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତ ଭଗୀରଥପୁର ଗାଁ ନିକଟସ୍ଥ ଛିଣ୍ଡା ଖରସ୍ରୋତା ନଦୀରେ ଏବେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳ ଛାୟା ବିଭାଗ ପକ୍ଷରୁ ପୋଖରୀ ଖୋଳା ଯାଇଛି। ଗାଁର ନଦୀ କିସମ ଜମି ଉପରେ ବିଭାଗ ପୋଖରୀ ଖୋଳୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ବିଭାଗ ପକ୍ଷରୁ ଏଠାରେ ଏକ ପୋଖରୀ ଖୋଳା ଯାଇଥିଲା। ପୋଖରୀଟି ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଉଦ୍ଦିିଷ୍ଟ ଥିଲା ମାତ୍ର ଏହା ଚାଷୀଙ୍କ କାମରେ ଲାଗି ନଥିଲା। ବରଂ ପୋଖରୀଟି ସର୍ବସାଧାରଣଙ୍କ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିଥିଲା। ଚଳିତ ଆର୍ଥିକ ବର୍ଷରେ ଗାଁର କେତେକ ବ୍ୟକ୍ତି ବିଭାଗୀୟ ଅଧିକାରୀଙ୍କୁ ହାତ କରି ନଦୀ ଗର୍ଭରୁ ବେଆଇନ ବାଲି ଚାଲାଣ କରୁଛନ୍ତି। ଦୈନିକ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଶହ ଶହ ଟ୍ରିପ୍‌ ବାଲି ଚୋରାରେ ଚାଲାଣ ହେଉଛି। ଏହାକୁ ବିରୋଧ କରିବାରୁ ଏଠାରେ ଚାଷୀଙ୍କ ପାଇଁ ପୋଖରୀ ଖୋଳାଯାଉଥିବା କୁହାଯାଉଛି।
ପୋଖରୀ ଖନନ ସ୍ଥାନରେ ନାମ ଫଳକ ନାହିଁ। ଏଥିପାଇଁ ବୈଷୟିକ ଅନୁମୋଦନ, ଚିହ୍ନଟ ଜମି ସଂପର୍କିତ ପ୍ରମାଣପତ୍ରର ଆବଶ୍ୟକତା ଥିବା ବେଳେ ତାହା କରାଯାଉନାହିଁ। ବିଭାଗ ନିକଟରେ ଏ ସବୁ ପ୍ରମାଣପତ୍ର ଅଛି କି ନାହିଁ ସ୍ପଷ୍ଟ ଜଣାପଡୁନି। ଏ ନେଇ ରସୁଲପୁର ବ୍ଲକ୍‌ ଜଳଛାୟା ପ୍ରକଳ୍ପ ଅଧିକାରୀ ଧ୍ରୁବଚରଣ ପଣ୍ଡାଙ୍କୁ ପଚାରିବାରୁ ସେ ପ୍ରକଳ୍ପ ସ୍ଥଳକୁ ଯାଇ ନାହାନ୍ତି। ସେଠାରେ ଜିଲ୍ଲାପାଳଙ୍କ ସ୍ୱୀକୃତିପ୍ରାପ୍ତ କମିଟି କାମ କରୁଛି। ପ୍ରକଳ୍ପ ପାଇଁ ୪/୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥାଇପାରେ। ଏ ସବୁ ଅଭିଯୋଗକୁ ତର୍ଜମା କରିବାକୁ ତାଙ୍କ ନିକଟରେ ମାନବ ସମ୍ବଳ ନାହିଁ ବୋଲି ପ୍ରକାଶ କରିଛନ୍ତି। ପୋଖରୀ ଖନନ ପୂର୍ବରୁ ବିଭାଗୀୟ ଅଧିକାରୀ ଥରୁଟିଏ ବି କ୍ଷେତ୍ର ପରିଦର୍ଶନ କରି ନଥିବା ବେଳେ ଏଥି ପାଇଁ କେମିତି ଅନୁମତି ମିଳିଛି ତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଥାଉ କି, ପ୍ରାୟ ୨ବର୍ଷ ତଳେ ବିଭାଗ ପକ୍ଷରୁ ଭୋଟକା ପଞ୍ଚାୟତ ଛିଣ୍ଡା ଖରସ୍ରୋତା ନଦୀ ଗର୍ଭରେ ଏହି ଭଳି ଏକାଧିକ ପୋଖରୀ ଖୋଳା ଯାଇଥିଲା। ଏ ସଂପର୍କରେ ବାରମ୍ବାର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ତଦନ୍ତ କରାଯାଇଥିଲା। ଜଳଛାୟା ପ୍ରକଳ୍ପ ଦ୍ୱାରା ଯେଉଁ ଛିଣ୍ଡା ଖରସ୍ରୋତା ନଦୀରେ ପୋଖରୀ ଖୋଳା ଯାଇଥିଲା ସେଇଠାରେ କିଛି ଦିନ ପରେ ଡ଼୍ରେନେଜ ଡ଼ିଭିଜନ୍‌ ଦ୍ୱାରା ପୁଣି ଖନନ କରାଯାଇଥିଲା। ନଦୀ ଭିତରେ ପୋଖରୀ ଓ ପୋଖରୀ ଉପରେ ନାଳ ଖନନ କରାଯାଇଛି। ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ଏହି ଭଳି ଏଠାରେ ହରିଲୁଟ୍‌ ହୋଇଛି। ନାଳ ଖନନ ପରେ ଜଳଛାୟା ପ୍ରକଳ୍ପ ପକ୍ଷରୁ ଖନନ ପୋଖରୀ ହଜିଯାଇଛି। ଡ୍ରେନେଜ୍‌ ଦ୍ୱାରା ଛିଣ୍ଡା ଖରସ୍ରୋତାର ଖନନ ଅଧା କାମ ହୋଇଛି। ପୁଣି ନାଳ ଖନନ ହେଲେ ଏବେ ଖୋଳାଯାଇଥିବା ପୋଖରୀ ସେଥିରେ ହଜିଯିବ ବୋଲି ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ନିଦ୍ରାରୁ ଚିରନିଦ୍ରା: ମାଡ଼ିଗଲା ହାଇୱା,ଡ୍ରାଇଭର ବି ବଞ୍ଚିଲେନି

Thu Jun 7 , 2018
ପାଟକୁରା : ଗତକାଲି ରାତିରେ ଦୋକାନ ଭିତରେ ଶୋଇଥିଲେ। କିନ୍ତୁ ଜାଣିନଥିଲେ ସବୁଦିନ ପାଇଁ ଶୋଇଯିବେ। ଯମ ଦୂତ ପରି ମାଡ଼ି ଆସିଲା ହାଇୱା। ବିଶ୍ରାମାଗାରକୁ ଧକ୍କା ଦେଇ ପାଖରେ ଥିବା ଦୋକାନ ଉପରେ ମାଡ଼ିଗଲା ହାଇୱା। ଫଳରେ ଦୋକାନୀ ସମେତ ହାଇୱା ଚାଳକଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କ୍ରସିଂ ଛକରେ ଘଟିଛି। ଜାତୀୟ ରାଜପଥର ୫(କ) କ୍ରସିଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial