ଖୋର୍ଦ୍ଧାରେ ଗାଡ଼ିଚୋରି ରାକେଟ : ୨ ଚୋରା ଗାଡ଼ି ସହ ବୋମା ଓ ବିସ୍ଫୋରକ ଜବତ

ଖୋର୍ଦ୍ଧାରେ ଗାଡ଼ିଚୋରି ରାକେଟ୍

ପୁଲିସକୁ ଚକମା ଦେବା ପାଇଁ ଜାଲ ନମ୍ବର

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଆଖପାଖ ଅଞ୍ଚଳରେ ଚାଲୁଥିବା ଏକ ବଡ଼ ମୋଟରସାଇକଲ ଚୋର ରାକେଟ୍ର ଏକ ଅଡ଼ୁଆ ଗଣ୍ଠିକୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଫିଟାଇବାରେ ସକ୍ଷମ ହୋଇଛି । ଜରିପୁଟର ଜଣଙ୍କ ଘରୁ ଚୋରା ମୋଟର ସାଇକଲ, ସ୍କୁଟି ସହ ହାତବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କିଛି ଦିନ ପୂର୍ବେ ପୁଲିସ ଏକ ମୋଟରସାଇକଲ ଚୋର ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଗିରଫ କରିଥିଲା । ପଚରାଉଚୁରାରେ ଅନେକ ତଥ୍ୟ ପଦାରେ ପଡ଼ିଥିଲା । ପ୍ରଥମରୁ ପୁଲିସ ଏହି ରାକେଟ୍ ପଛରେ କିଛି ପ୍ରଭାବଶାଳୀ ଲୋକ ସହାୟତା ଦେଉଥିବା ସନେ୍ଦହ କରୁଥିଲା । ଏହି ସମୟରେ ଖୋର୍ଦ୍ଧାରେ ନକଲି ନମ୍ବର ଲଗାଇ କେତେକ ମୋଟରସାଇକଲ ଓ ସ୍କୁଟି ଆଦି ଧରାପଡ଼ିବା ପରେ ପୁଲିସ ଏହାର ଗୁମର ଖୋଲିବାକୁ ଚେଷ୍ଟା କରିଥିଲା । ଏହାର ଏକ ପ୍ରମୁଖ ସଦସ୍ୟ ଜରିପୁଟରେ ଥିବା ସନେ୍ଦହ କରି ଗତ ୩-୪ ଦିନ ଧରି ଟ୍ରାକ୍ କରୁଥିଲା । ଶେଷରେ, ଏସ୍ପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ପଦ୍ମଲୋଚନ ବେହେରା, ଏସ୍ଆଇ ସସ୍ମିତା ବେହେରା, ଏଏସ୍ଆଇ ପିକେ ପ୍ରଧାନ, ହାବିଲଦାର ଅଭୟ ସାମନ୍ତରାୟ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଜରିପୁଟରେ ଚଢ଼ଉ କରିଥିଲା । ଜରିପୁଟ ଜଙ୍ଗଲ ନିକଟ ଏକ ଘରୁ ଏକ ହିରୋ ଗ୍ଲାମୋର (ଜାଲ ନମ୍ବର- ଓଡି ୦୨ ବିଏ ୯୫୮୬), ହିରୋ ପ୍ଲିଜର (ଜାଲ ନମ୍ବର ଓଆର୍ ୦୨ ଜେଡ୍ ୪୫୯୭), ୫ଟି ଅଫୁଟା ହାତ ବୋମା, ୫୦୦ ଗ୍ରାମ ଗନ୍ ପାଉଡର ସହ ଅନ୍ୟ ସାମଗ୍ରୀ ଜବତ କରିଥିଲା । ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏନେଇ ୧୬୦/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଜରିପୁଟର କାଳୁ ସାମନ୍ତରାୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ସୁକାନ୍ତ ଦଳେଇଙ୍କ ଦାୟିତ୍ୱ ଦିଆଯାଇଛି ।
ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, ଏହି ଗୋଷ୍ଠୀ କେବଳ ମୋଟରସାଇକଲ ଚୋରି କରୁନଥିଲେ, ବରଂ ପୁଲିସ ଓ ଲୋକଙ୍କୁ ଚକମା ଦେବା ପାଇଁ ଜାଲ ନମ୍ବର ଗାଡ଼ି ବ୍ୟବହାର କରି ଡକାୟତ ଆଦିରେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଏଥିରେ ଜଟଣୀ, ଶରଧାପୁର, ଖୋର୍ଦ୍ଧାର କେତେକ ଜଣାଶୁଣା ବ୍ୟକ୍ତି ସାମିଲ ଥିବା ଜଣାଯାଇଛି । ଏନେଇ ପୁଲିସ ନିକଟରେ ଠୋସ ପ୍ରମାଣ ରହିଥିବା ଓ ଖୁବ୍ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଜଣାଯାଇଛି ।

Share Now:

Kalinga News Beuro

Next Post

ଅପାରଗ ଅଧିକାରୀଙ୍କ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ ରାଜଧାନୀ ବାସୀ

Sun Apr 3 , 2022
ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ସୁଧୁରିନି କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ସୁଧୁରିବାର ନାହିଁ। ୧୦ଟି ମୁଖ୍ୟ ଡ୍ରେନ୍‌ ଓ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ପାଇଁ ଯେଉଁ ଯୋଜନା ହୋଇଥିଲା, ତାହା ଅଧା ବାଟରେ ଅଟକିଛି। ଏଯାବତ୍‌ ଜମି ଅଧିଗ୍ରହଣ ହୋଇନାହିଁ। ତେଣୁ ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ରାଜଧାନୀ ପୁଣି ଭାସିବା ଥୟ ହୋଇଛି। ଅପାରଗ ଅଧିକାରୀଙ୍କ ପାଇଁ ଭୁବନେଶ୍ବର ବାସିନ୍ଦା ପୁଣି ଜଳବନ୍ଦୀ […]
ରାଜଧାନୀରେ ସୁଧୁରିଲାନି ଜଳବନ୍ଦୀ ସମସ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial