ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା। ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି। ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ପ୍ରଥମ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର। ଚଳିତ ୟୁକ୍ରେନ ଯୁଦ୍ଧରେ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହୋଇଛି। ୟୁକ୍ରେନ ପକ୍ଷରୁ ଏହି ଧରଣର କ୍ଷେପଣାସ୍ତ୍ର ପ୍ରୟୋଗ କରି ରୁଷର ଶକ୍ତିଶାଳୀ ବିମାନବାହୀ ପୋତକୁ ଧ୍ବଂସ କରିଦିଆଯାଇଛି। ଭାରତ ମହାସାଗରୀୟ ଅଞ୍ଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏ ଅଞ୍ଚଳରେ ଭାରତୀୟ ନୌସେନା ନିଜର ଶକ୍ତି ବୃଦ୍ଧି କରିବାକୁ ପଦକ୍ଷେପ ନେଉଛି। ବିଶେଷକରି ସ୍ବଦେଶୀ ଜ୍ଞାନକୌଶଳରେ ନୂଆ ନୂଆ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ବିକଶିତ କରି ନୌସେନାରେ ସାମିଲ କରାଯାଉଛି। ଗତ ମାସରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି-ସିପ ଭର୍ସନର ସଫଳ ପରୀକ୍ଷଣ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରୁ କରାଯାଇଥିଲା। ଏସବୁ କ୍ଷେପଣାସ୍ତ୍ର ନୌସେନାର ଶକ୍ତିବୃଦ୍ଧିରେ ସହାୟକ ହେବା ଆଶା କରାଯାଉଛି।

Share Now:

Kalinga News Beuro

Next Post

ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ : ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ଆଶୀର୍ବାଦ କାମନା କଲେ

Wed May 18 , 2022
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ […]
ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial