ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି। ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ। ଏହି ବିମାନ କ୍ରୟ ଦୌଡ଼ରେ ଶେଷ ପର୍ଯ୍ୟାୟରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ ୧୮ ସୁପର ହର୍ନେଟ୍। ଏହି ଦୁଇ ପ୍ରକାରର ବିମାନ ମଧ୍ୟରୁ ଗୋଟିକୁ ବଛାଯିବ। ଗତ କିଛି ମାସ ହେଲା ଗୋଆ ଉପକୂଳରେ ଥିବା ଆଇଏନଏସ ହଂସରୁ ଏସବୁ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା। ଏହି ପରୀକ୍ଷାମୂଳକ ଉଡ଼ାଣ ରିପୋର୍ଟ ଆସିବା ପରେ ସେଗୁଡ଼ିକ ମଧ୍ୟରୁ କେଉଁ ବିମାନକୁ କିଣାଯିବ ଓ କେତୋଟି କିଣାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସରକାରୀ ସ୍ତରୀୟ ରାଜିନାମା ମାଧ୍ୟମରେ ଏସବୁ ବିମାନ କିଣାଯିବ। ପୂର୍ବରୁ ନୌସେନା ପାଇଁ ୫୭ଟି ଲଢୁଆ ବିମାନ କିଣିବାକୁ ଯୋଜନା କରାଯାଉଥିଲା। କିନ୍ତୁ ଏବେ ଏହି ସଂଖ୍ୟାକୁ ଆପାତତଃ ୨୬କୁ କମାଇଦିଆଯାଇଛି। ଅବଶିଷ୍ଟ ବିମାନସଂଖ୍ୟାକୁ ଭାରତରେ ନିର୍ମିତ ବିମାନ ମାଧ୍ୟମରେ ଭରଣା କରାଯିବ। ନୌସେନାର ଭାଇସ ଆଡମିରାଲ ସତୀଶ ନାମଦେଓ କହିଛନ୍ତି ଯେ ନୌସେନା ପାଇଁ ଟ୍ବିନ ଇଂଜିନ ବିମାନର ଆବଶ୍ୟକତା ରହିଛି। ଏପରି ବିମାନ ଡିଆରଡିଓ ନିର୍ମାଣ କରୁଛି। କିନ୍ତୁ ସେଗୁଡ଼ିକ ଆସିବାରେ ବିଳମ୍ବ ହେଉଥିବାରୁ ବିଦେଶରୁ କିଛି ବିମାନ କିଣାଯିବ।
ନୌସେନାର ଶକ୍ତି ବୃଦ୍ଧି ପାଇଁ କିଣାଯିବ ୨୬ଟି ଲଢୁଆ ବିମାନ : ପ୍ରତିଯୋଗିତାରେ ରାଫେଲ ଓ ସୁପର ହର୍ନେଟ୍
Share Now: