ଚିରନିଦ୍ରାରେ ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ବର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇ ଓଡ଼ିଶାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାରା ପଟ୍ଟନାୟକ ଚରିତ୍ରରେ ଅବତୀର୍ଣ୍ଣ ହୋଇ ହଇଚଇ ସୃଷ୍ଟି କରିଥିଲେ। ଅଭିନୟ ସାଙ୍ଗକୁ ତାଙ୍କ ସଂଳାପ କହିବାର ଶୈଳୀ ଓ ମୁଖଭଙ୍ଗୀ ଦେଖିଲେ ମନେହୁଏ ଖଳନାୟିକା ଚରିତ୍ରକୁ ଏହିପରି ଭାବେ ହିଁ ନ୍ୟାୟ ଦିଆଯାଇପାରେ। ତାଙ୍କ ଅଭିନୀତ ଅନ୍ୟ ଉଲ୍ଲେଖନୀୟ ଧାରାବାହିକ ଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମକୁମ୍’ ଇତ୍ୟାଦି। ସେ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ।
ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀ ଙ୍କ ନିର୍ଦ୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ବି ନଜର ଆସିଥିଲେ। ତାଙ୍କୁ ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟ ହୋଇଛି ବୋଲି ସେ ପ୍ରାୟ ଅଢ଼େଇ ବର୍ଷ ତଳେ ତାଙ୍କ ଫେସବୁକ୍ ପେଜରେ ସୂଚନା ଦେଇଥିଲେ। ରାଜେଶ୍ୱରୀ ତାଙ୍କ ଫେସବୁକରେ ଦୁଇଟି ଫଟୋ ସେୟାର କରି ଲେଖିଥିଲେ, ‘ମୁଁ କର୍କଟ ସହ ଲଢ଼େଇ କରୁଛି। ଭଗବାନ ମୋ ସହ ଅଛନ୍ତି। ମୁଁ ମସ୍ତିଷ୍କ ଏବଂ ଫୁସ୍ଫୁସ୍ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ଆଶୀର୍ବାଦ କରନ୍ତୁ।’

Share Now:

Kalinga News Beuro

Next Post

ଏସ୍‌ଏଫଏସ୍‌ଏଲ୍‌ରୁ ହତ୍ୟା ଫାଇଲ୍‌ ଗାଏବ ଘଟଣା: ବିରାଟ ଷଡ଼୍‌ଯନ୍ତ୍ରର ବାସ୍ନା, ସିବିଆଇ ତଦନ୍ତ ଦାବି କଲା ପରିବାର

Thu Jul 21 , 2022
ଭୁବନେଶ୍ବର : ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ବା ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)ରୁ ଏକ ହତ୍ୟାକାଣ୍ଡ ପରୀକ୍ଷା ଫାଇଲ୍‌ ଗାଏବ ହୋଇଯିବା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏକ ଅସାମାହିତ ହତ୍ୟାକାଣ୍ଡର ପରୀକ୍ଷା ଫାଇଲ୍‌ କଡ଼ା ସୁରକ୍ଷା ବଳୟରୁ ଗାଏବ୍ ହେବା ଭଳି ଅବିଶ୍ବସନୀୟ ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଶାନ୍ତିଲତା ମଲ୍ଲିକଙ୍କ ପରିବାର ଲୋକେ ଏଥିରେ ବେଶି ମର୍ମାହତ […]
ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରିରୁ ଫାଇଲ୍‌ ଗାଏବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial