ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀଙ୍କ ମୃତଦେହ ପାଖରୁ ଏକ ସୁୁଇସାଇଡ ନୋଟ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ, ଅଭିନେତ୍ରୀଜଣକ ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ସସୁରାଲ ସିମର କା’ ଓ ସୁପର ସିଷ୍ଟର ଭଳି ଧାରାବାହିକରେ କାମ କରିଥିଲେ। ସେ ପ୍ରାୟ ବର୍ଷେ ହେଲା ଇନ୍ଦୋରେ ନିଜ ଭାଇ ଏବଂ ବାପାଙ୍କ ସହ ରହୁଥିଲେ। ଏବେ ଆତ୍ମହତ୍ୟାର କାରଣ ଜଣାନପଡ଼ିଥିଲେ ବି ପ୍ରେମ ଜୀବନରେ ଅସନ୍ତୋଷ ଥିବାରୁ ବୈଶାଲୀ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।
ବୈଶାଲୀଙ୍କର କେନିଆର ଜଣେ ସର୍ଜନ ଅଭିନନ୍ଦନ ସିଂଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା। ହେଲେ ନିର୍ବନ୍ଧର କିଛି ଦିନ ପରେ ବୈଶାଲୀ ସୋସିଆଲ ମିଡିଆରେ ସକ୍ରିୟ ରହିଥିଲେ ବି ସେ ତାଙ୍କ ପ୍ରେମିକଙ୍କୁ ନେଇ କିଛି ବି ପୋଷ୍ଟ କରିବା ବନ୍ଦ କରିଦେଇଥିଲେ। ଏହାକୁ ଦେଖି ଦୁହିଁଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ଏହି କାରଣ ପାଇଁ ବୈଶାଲୀ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ବୈଶାଲୀ ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ। ୨୦୧୫ ମସିହାରେ ସେ ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ୟେ ରିସ୍ତା କ୍ୟା କେହଲାତା ହେ ସହିତ ବୈଶାଲୀ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହି ସୋ’ରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ବୈଶାଲୀଙ୍କୁ ‘ୟେ ହେ ଆଶିକୀ’ ସୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।
ଜୀବନ ହାରିଲେ ଟେଲି ଅଭିନେତ୍ରୀ ବୈଶାଲୀ

Share Now: