ଭତ୍ତା ନେଉଥିଲେ ଭୂତ : ୭୯୩ ଜଣ ମୃତକ ନେଉଥିଲେ ସରକାରୀ ସୁବିଧା

ଭତ୍ତା ନେଉଥିଲେ ୭୯୩ ଭୂତ

ଭୁବନେଶ୍ବର: ବର୍ଷ ବର୍ଷ ଧରି ୭୯୩ ଭୂତ ବିଏମ୍‌ସିରୁ ଭତ୍ତା(ମଧୁବାବୁ ପେନ୍‌ସନ୍‌ ଯୋଜନା) ନେଉଥିଲେ। ତନାଘନା ହେବା ପରେ ବିଏମ୍‌ସି ଘରକୁ ଘର ବୁଲି ଯାଞ୍ଚ କରିଥିଲା। ଯାଞ୍ଚ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। କାହାର ମୃତ୍ୟୁ ହୋଇଯାଇଛି, କିଏ ବିଏମ୍‌ସି ଅଞ୍ଚଳରେ ରହୁନାହିଁ ତା‌’ ନାଁ ରେ ସମ୍ପର୍କୀୟ ଭତ୍ତା ନେଇଚାଲିଛି। ଏଭଳି ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ କିଭଳି ବିଏମ୍‌ସି ଜାଣି ପାରୁନଥିଲା? ନା ଜାଣି ଜାଣି ଅଧିକାରୀମାନେ ହାତଗୁଞ୍ଜା ନେଇ ସରକାରୀ ଅର୍ଥ ବାଣ୍ଟି ଚାଲିଥିଲେ? ଭତ୍ତା ପାଇବା ପାଇଁ ପ୍ରତ୍ୟେକ ସମୟରେ ବିଏମ୍‌ସି ସମେତ କର୍ପୋରେଟରଙ୍କ ପାଖରେ ଶହ ଶହ ଲୋକଙ୍କର ଆବେଦନପତ୍ର ରହିଥା‌ଏ। କେହି ହିତାଧିକାରୀ ମୃତ୍ୟୁ ବରଣ କଲେ ସେହି ଜାଗାରେ କର୍ପୋରେଟରମାନେ ନୂଆ ଆବେଦନକାରୀକୁ ଭତ୍ତା ଦେବା ପାଇଁ ବିଏମ୍‌ସି ଉପରେ ଚାପ ପକାଇଥାନ୍ତି। ହେଲେ ଏତେ ଗୁଡ଼ାଏ ଲୋକନାମରେ ଭତ୍ତା ଭୂତ ଖାଉଥିଲେ ମଧ୍ୟ କର୍ପୋରେଟରମାନେ ମଧ୍ୟ ଜାଣିପାରିଲେ ନାହିଁ କେମିତି? ନା ଏ ସବୁ କର୍ପୋରେଟର-ଅଧିକାରୀଙ୍କ ମଧୂଚନ୍ଦ୍ରିକାର ଫଳ ଥିଲା ସେ ନେଇ ପ୍ରଶ୍ନ ଉଠିଛି।
ଭତ୍ତାକୁ ପ୍ରଦାନକୁ ନେଇ ବିଏମ୍‌ସି ପାଖରେ ଗଦା ଗଦା ଅଭିଯୋଗ ରହିଥିଲା। ତା’ ସହିତ ସରକାରଙ୍କ ପାଖରେ ଏହି ବ୍ୟବସ୍ଥାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟ ରହିଥିଲା। ଏଣୁ ଏହି ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସରକାର ଅନ୍‌ଲାଇନ୍‌ କରିଥିଲେ। ନଗଦ ଟଙ୍କା ବଣ୍ଟାଯିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ। ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ହଜାର ହଜାର ଲୋକଙ୍କର ତଥ୍ୟ ଯାଞ୍ଚ କରିବା ସହ ବ୍ୟାଙ୍କ୍‌ ଆକାଉଣ୍ଟ ଅପ୍‌ଡେଟ୍‌ କରିବା ବିଏମ୍‌ସିରେ ଏକାଧିକ ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କ ପାଇଁ ସମ୍ଭବ ହୋଇନଥିଲା। ଏଣୁ ନିକଟ ଅତୀତରେ ସ୍ବତନ୍ତ୍ର ଭାବେ ଜଣେ ଅଧିକାରୀ(ଡିଏସ୍‌ଏସ୍‌ଓ) ଦାୟିତ୍ବ ନେଇଥିଲେ। ସେ ଦାୟିତ୍ବ ନେବା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରିଥିଲେ। କର୍ମୀମାନେ ଘର ଘର ବୁଲି ହିତାଧିକାରୀଙ୍କ ତଥ୍ୟ ଆଣିବା ବେଳେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଥିଲା। କେତେକ ନିଜ ଠିକଣାରେ ମିଳିନଥିଲେ, କିନ୍ତୁ ଅନ୍ୟ ଜାଗାରେ ମିଳିଥିଲେ। କେତେକ ଏଠାରୁ ଭତ୍ତା‌ ପାଉଥି‌ଲେ ହେଲେ ପଞ୍ଚାୟତ ଅଞ୍ଚଳରେ ରହୁଥିଲେ। କେତେକ ନିକଟ ଅତୀତରେ ମୃତ୍ୟୁ ବରଣ କରିଥିବା ବେଳେ କେତେକ ବହୁଦିନ ତଳୁ ମୃତ୍ୟୁବରଣ କରିଥିଲେ। ଏଭଳି ୭୯୩ ଜଣ ଚିହ୍ନଟ ହୋଇଥି‌ଲେ। ଏହି ୭୯୩ ଜଣଙ୍କ ଜାଗାରେ ନୂଆ ହିତାଧିକାରୀଙ୍କୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯାଉଛି।

Share Now:

Kalinga News Beuro

Next Post

ରସୁଲଗଡ଼-ବମିଖାଲ ଟ୍ରାଫିକ୍‌ ସମସ୍ୟା : କେବେ ସୁଧୁରିବ ଦୁରବସ୍ଥା?

Tue Oct 18 , 2022
ଭୁବନେଶ୍ବର: ରସୁଲଗଡ଼-ବମିଖାଲ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୁଧୁରିବା ନାଁ ଧରୁନି। ୱାନ୍‌-ୱେ ରାସ୍ତା ହୋଇ ମଧ୍ୟ ଟ୍ରାଫିକ୍‌ ସମସ୍ୟା ଲାଗି ରହିଛି। କଳ୍ପନାରୁ ରସୁଲଗଡ଼ ପାର୍ଶ୍ୱ ହେଉ କି ରସୁଲଗଡ଼ରୁ କଳ୍ପନା ପାର୍ଶ୍ବ ହେଉ, ଦୁଇ ପାର୍ଶ୍ବ‌ରେ ସବୁ ସମୟରେ ଟ୍ରାଫିକ୍‌ ଜାମ୍‌ ଏକ ସାଧାରଣ ସମସ୍ୟା ହୋଇ ରହିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ବେଆଇନ ନିର୍ମାଣ ଉଚ୍ଛେଦ ଓ ରାସ୍ତା ପ୍ରଶସ୍ତୀକରଣ ହେଉ ନଥିବାରୁ ଏଠାରେ […]
ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial