ରସୁଲଗଡ଼-ବମିଖାଲ ଟ୍ରାଫିକ୍‌ ସମସ୍ୟା : କେବେ ସୁଧୁରିବ ଦୁରବସ୍ଥା?

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା-1

ଭୁବନେଶ୍ବର: ରସୁଲଗଡ଼-ବମିଖାଲ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୁଧୁରିବା ନାଁ ଧରୁନି। ୱାନ୍‌-ୱେ ରାସ୍ତା ହୋଇ ମଧ୍ୟ ଟ୍ରାଫିକ୍‌ ସମସ୍ୟା ଲାଗି ରହିଛି। କଳ୍ପନାରୁ ରସୁଲଗଡ଼ ପାର୍ଶ୍ୱ ହେଉ କି ରସୁଲଗଡ଼ରୁ କଳ୍ପନା ପାର୍ଶ୍ବ ହେଉ, ଦୁଇ ପାର୍ଶ୍ବ‌ରେ ସବୁ ସମୟରେ ଟ୍ରାଫିକ୍‌ ଜାମ୍‌ ଏକ ସାଧାରଣ ସମସ୍ୟା ହୋଇ ରହିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ବେଆଇନ ନିର୍ମାଣ ଉଚ୍ଛେଦ ଓ ରାସ୍ତା ପ୍ରଶସ୍ତୀକରଣ ହେଉ ନଥିବାରୁ ଏଠାରେ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟା ସେମିତି ବର୍ଷ ବର୍ଷ ଧରି ଅସମାହିତ ହୋଇରହିଛି। ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ଟ୍ରାଫିକ୍‌ ପୁଲିସ କେବଳ ଲୋକଦେଖାଣିଆ ସମୀକ୍ଷା କରି ପରେ ଚୁପ୍‌ ବସୁଥିବାରୁ ଏହି ସମସ୍ୟା ଦୂର ହେଉନାହିଁ ବୋଲି ଅଭିଯୋଗ ହୋଇଆସୁଛି। ବମିଖାଲ ଦୁର୍ଗାମଣ୍ଡପଠାରୁ ରସୁଲଗଡ଼ ଛକର ଦୂରତା ପ୍ରାୟ ୮ଶହ ମିଟର। ତେଣୁ ଟ୍ରାଫିକ୍‌ ଚଳାଚଳ ସ୍ବାଭାବିକ ଥିବା ବେଳେ ଏହି ରାସ୍ତା ଅତିକ୍ରମ କରିବାକୁ ଅତି ବେଶିରେ ୫/୭ ମିନିଟ ସମୟ ଲାଗିଥାଏ। କିନ୍ତୁ ଦିନର କୌଣସି ସମୟ ଏମିତି ନାହିଁ, ଯେତେବେଳେ ଜଣେ ଏତେ ସହଜରେ ଓ ଏତେ କମ୍ ସମୟରେ ଏହି ରାସ୍ତା ଅତିକ୍ରମ କରିପାରିବ। କେବଳ ଖରାବେଳ ଓ ରାତି ୯ଟା ପର ସମୟକୁ ବାଦ୍‌ ଦେଲେ ବାକି ସବୁ ସମୟରେ ଏହି ରାସ୍ତା ପାର୍‌ ହେବାକୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଲାଗି ଯାଉଛି। ବେଳେବେଳେ ଖରାବେଳେ ବି ଟ୍ରାଫିକ୍‌ ଜାମ୍‌ରେ ଫସି ଲୋକେ ହନ୍ତସନ୍ତ ହେଉଛନ୍ତି। ​ବିଶେଷକରି ବର୍ଷା ବେଳେ ଲୋକମାନେ ବେଶି ହଇରାଣ ହେଉଛନ୍ତି। ବମିଖାଲରୁ ରସୁଲଗଡ଼ ପାର୍ଶ୍ବରେ ଆଣ୍ଠୁଏ ଗଭୀରରେ ବର୍ଷା ଜଳ ଜମି ରହୁଥିବାରୁ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ ଏବଂ ଆପେଆପେ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି। ଗୋଟିଏ ପାର୍ଶ୍ବରେ ବର୍ଷାଜଳ ଜମୁଥିଲେ ମଧ୍ୟ ଏହାର ପ୍ରଭାବରେ ଉଭୟ ପାର୍ଶ୍ବରେ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି। ତା’ ସାଙ୍ଗକୁ ଏହି ରାସ୍ତାରେ ଠାଏଠାଏ ପିଚୁ ଉଠି ଖାଲ ସୃଷ୍ଟି ହୋଇଥିବାରୁ ତାହା ସମସ୍ୟାକୁ ବଢ଼ାଇ ଦେଉଛି।
ଗତ ଅଗଷ୍ଟ ମାସରେ ରସୁଲଗଡ଼ ଏବଂ ଏସ୍‌ପ୍ଲାନେଡ୍‌ ଛକ ମଧ୍ୟରେ ଥିବା ଦୁଇଟି କଟ୍‌କୁ ଟ୍ରାଫିକ୍‌ ପୁଲିସ ବ୍ୟାରିକେଡ୍‌ ପକାଇ ବନ୍ଦ କରିଦେଲା। ଏହା ପୂର୍ବରୁ ଏହି ଦୁଇ କଟ୍‌ ଦେଇ ରସୁଲଗଡ଼ ପଟୁ ଲୋକେ କୋଚିଲେଇ ହାଟ ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌କୁ ଯାତାୟାତ କରିବା ସହ ଶିଳ୍ପାଞ୍ଚଳକୁ ବି ଯାଉଥିଲେ। ତେବେ କଟ୍‌ ଦୁଇଟି ବନ୍ଦ ହୋଇଯିବା ଦ୍ବାରା ସମସ୍ତେ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ ତଳେ ୟୁ-ଟର୍ଣ୍ଣ ନେଇ ଯାତାୟାତ କରୁଛନ୍ତି। ଏସ୍‌ପ୍ଲାନେଡ୍‌ ଛକ ସମସ୍ୟା ଦୂର କରିବାକୁ ଟ୍ରାଫିକ୍‌ ପୁଲିସ ଏଭଳି ବିକଳ୍ପ ବ୍ୟବସ୍ଥା କରିଛି। କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ, ବରଂ ବେଳେବେଳେ ଏହି ୟୁ-ଟର୍ଣ୍ଣ ପାଇଁ ବି ସ୍ଥାନ ଅଭାବ ହେଉଛି। ବମିଖାଲ ଓଭରବ୍ରିଜ୍‌ କଡ଼ରେ ବହୁ ଗାଡ଼ି ପାର୍କିଂ କରୁଥିବାରୁ ସମସ୍ୟା ହେଉଛି। ସେହିଭଳି ବମିଖାଲ ଓ ଶିଳ୍ପାଞ୍ଚଳରୁ କଳ୍ପନା ଆଡ଼କୁ ଯିବାକୁ ମଧ୍ୟ ବଡ଼ ସମସ୍ୟା ହେଉଛି। ଏହି ଅଞ୍ଚଳର ଲୋକଙ୍କୁ ରସୁଲଗଡ଼ ଓଭରବ୍ରିଜ୍‌ ତଳ ଗୋଲେଇରେ ବୁଲିବାକୁ ପଡ଼ୁଛି। ଶିଳ୍ପାଞ୍ଚଳ ଓ କୋଚିଲେଇ ହାଟରୁ ଶହଶହ ଲୋକେ ଏହି ଗୋଲେଇରେ ବୁଲିବା ପରେ ପୁଣି ଉକ୍ତ ରାସ୍ତା ଜାମ୍‌ ହୋଇଯାଉଛି। ଗତ ଜୁନ୍‌ ମାସରେ ବିଏସ୍‌ସି, ପୂର୍ତ୍ତ ବିଭାଗ ଓ ଟ୍ରାଫିକ୍‌ ପୁଲିସର ଏକ ମିଳିତ ବୈଠକ ହୋଇଥିଲା। ଏସ୍‌ପ୍ଲାନେଡ୍‌ ଛକକୁ ଗୋଲେଇ କରିବା, ରାସ୍ତା ପ୍ରଶସ୍ତୀକରଣ କରିବାକୁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ଆସିଥିଲା। ମାତ୍ର ସେସବୁ ପ୍ରସ୍ତାବ ସେମିତି ପଡ଼ିରହିଛି।

Share Now:

Kalinga News Beuro

Next Post

କଳିଙ୍ଗ ଆୟୁର ହେଲଥ କେୟାରରେ ନିଃଶୁଳ୍କ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା

Tue Oct 18 , 2022
ଭୁବନେଶ୍ୱର : ଆଜି ବମିଖାଲ ସ୍ଥିତ କଳିଙ୍ଗ ଆୟୁର ହେଲଥ କେୟାରରେ ସୁନାମଧନ୍ୟ ଔଷଧ କମ୍ପାନୀ ଡାବର ଓ ରୋଟାରି କ୍ଲବ ଅଫ ସ୍ମାର୍ଟ ସିଟି ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋଟାରିଆନ ଡିଜିଏନ ଯଜ୍ଞଶୀଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପିଲାମାନଙ୍କୁ ସ୍ବର୍ଣ୍ଣପ୍ରାଶନ କରାଇଥିଲେ। ସେ କହିଥିଲେ ଯେ […]
swarnaprasanna at kalinga ayur health care

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial