ଅଳିଆ ଅଡ଼ୁଆ ନାଟର ମୂଳ ନଗର ଉନ୍ନୟନ ବିଭାଗ

ନାଟର ମୂଳ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ସ୍ୱତନ୍ତ୍ର ପରିମଳ କର୍ପୋରେସନ୍‌ ବୈଠକରେ କର୍ପୋରେଟର୍‌ମାନେ ନୂଆ ପରିମଳ ପ୍ୟାକେଜ୍‌ରେ ହୋଇଥିବା ବ୍ୟାପକ ତ୍ରୁଟିକୁ ଧରି ହୋ-ହଲ୍ଲା କରିବା ପରେ ତନାଘନା ଆରମ୍ଭ ହୋଇଛି। ଟେଣ୍ଡର୍‌ ବାତିଲ ହେବା ନେଇ ସରକାରଙ୍କୁ ବିଏମ୍‌ସି ଚିଠି ଲେଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିବାରୁ ଏହି କେଳେଙ୍କାରୀରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କ ନିଦ ହଜିଛି। କେଳେଙ୍କାରୀରେ ନାଟର ଗୋବର୍ଦ୍ଧନ କିଏ, ସେନେଇ ବିଏମ୍‌ସିଠାରୁ ଆରମ୍ଭ କରି ଗୃହ ଓ ନଗର ଉନ୍ନୟନ ବିଭାଗ ପର୍ଯ୍ୟନ୍ତ କର୍ମଚାରୀମହଲରେ ଚର୍ଚ୍ଚା ଚାଲିଛି। କାହା ସ୍ୱାର୍ଥ ସାଧନ ପାଇଁ ଏଭଳି ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ସେନେଇ ପ୍ରଶ୍ନ ଉଠିଛି। ଯଦିଓ କମିସନର ଓ ମେୟର୍‌ ଦାଇତ୍ୱ ନେବା ପୂର୍ବରୁ କେଳେଙ୍କାରୀ ହୋଇଛି ସେଥିପାଇଁ ସେମାନେ ଏହି ବିବାଦରୁ ମୁକ୍ତ ଅଛନ୍ତି। କିନ୍ତୁ ଏବେ ଦାଇତ୍ୱରେ ଥିବାରୁ ସେମାନେ ମଧ୍ୟ ଚିନ୍ତାରେ। ପରିଷଦ ନ ଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କର ସ୍ଵେଚ୍ଛାଚାରିତାର ଏହା ଏକ ନମୁନା ବୋଲି କୁହାଯାଉଛି। ଏଣୁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ନିଷ୍ପତ୍ତି ଭୁଲ୍‌ ବୋଲି ଏମାନେ କେମିତି ଦେଖାଇବେ, ସେମାନେ ନ ମାନିଲେ କର୍ପୋରେଟରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର କ’ଣ ହେବ; ଏଭଳି ବିଭିନ୍ନ ଚିନ୍ତା ଏବେ ସେମାନଙ୍କୁ ଘାରିଛି। ପୂର୍ବରୁ ୧୦ଟି ୱାର୍ଡକୁ ବିଏମ୍‌ସି ନିଜେ ସଫା କରୁଥିବା ବେ‌ଳେ ବାକି ୫୭ୱାର୍ଡକୁ ଠିକା ସଂସ୍ଥାଙ୍କ ଜରିଆରେ କରୁଥିଲା। ତେବେ ୨୦୨୧ ମସିହାରେ ପ୍ରତି ୱାର୍ଡରେ ସଫେଇ ଠିକାସଂସ୍ଥାଙ୍କ ଜରିଆରେ କରିବାକୁ ଯୋଜନା କରିଥିଲା। ସେତେବେଳେ ବିଏମ୍‌ସି ପ୍ରଶାସକ ଦାଇତ୍ୱରେ ଥିଲେ ସଂଗ୍ରାମଜିତ୍‌ ନାୟକ। ତିନିଟି ଜୋନ୍‌ ହିସାବରେ ତିନିଟି ପ୍ୟାକେଜ୍‌ କରି ଜୋନ୍‌ ଅଫିସ୍‌ ଜରିଆରେ ଟେଣ୍ଡର ଡାକିବା ପାଇଁ ଯୋଜନା କରିଥିଲେ। ଏହି ନିଷ୍ପତ୍ତି ଯେ‌ତେବେଳେ ସରକାରଙ୍କ ଅନୁମୋଦନ ପାଇଁ ଯାଇଥିଲା, ସେତେବେଳେ ଗୃହ ଓ ନଗରଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଏଥିରେ ହସ୍ତକ୍ଷେପ କରିଥିଲେ। ୩ଟି ପ୍ୟାକେଜ୍‌କୁ କାଟି ୧୦ଟି ପ୍ୟାକେଜ୍‌ କରି ଦେଇଥିଲେ। ଟେଣ୍ଡର୍‌ ପରିଚାଳନା କରିବା ଦାଇତ୍ୱ ସିଟି ଇଞ୍ଜିନିୟରଙ୍କ ହାତରୁ ନେଇ ମୁଖ୍ୟ ଯନ୍ତ୍ରୀ(ପରିମଳ)ଙ୍କୁ ଦେଇଥିଲେ। ବିଏମ୍‌ସିରେ ଏହି ପଦବୀ ନ ଥିବାରୁ ତାଙ୍କ ସୁପାରିସକ୍ରମେ ସରକାର ନୂଆ ପଦ ସୃଷ୍ଟି କରି ଓଡବ୍ଲୁଏସ୍‌ଏସ୍‌ବି ଇଆଇସି ପ୍ରଶାନ୍ତ ମହାପାତ୍ରଙ୍କୁ ବିଏମ୍‌ସି ପରିମଳ ମୁଖ୍ୟଯନ୍ତ୍ରୀ ଭାବରେ ଅତିରିକ୍ତ ଦାଇତ୍ୱ ଦେଇଥିଲେ।
ମୁଖ୍ୟଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସ୍ଵେଚ୍ଛାଚାରିତା ଉପରେ ଉଠିଲା ଆଙ୍ଗୁଠି
ନୂଆ ଟେଣ୍ଡର ସର୍ତ୍ତରେ ଗୁରୁଚଣ୍ଡାଳ ଦୋଷ ରହିଥିଲା। ପୂର୍ବରୁ ଗୋଟିଏ ୱାର୍ଡରେ ଗୋଟିଏ ଗାଡ଼ି ଲାଗୁଥିବା ବେଳେ ଏଥିରେ ଗୋଟିଏ ଜୋନ୍‌ ବା ୬ଟି ୱାର୍ଡ ପାଇଁ ଗୋଟିଏ ଗାଡ଼ି ନିୟୋଜିତ ହେବାକୁ ବ୍ୟବସ୍ଥା ହୋଇଥିଲା। ପୂର୍ବରୁ ଆବର୍ଜନା ଓଜନ ହିସାବରେ ଦର ଧାର୍ଯ୍ୟ ହୋଇଥିବା ବେଳେ ନୂଆ ପ୍ୟାକେଜ୍‌ରେ ଗାଡ଼ି ଓ ଲୋକ ହିସାବରେ ପେମେଣ୍ଟ ବ୍ୟବସ୍ଥା ହୋଇଥିଲା। ଦିନକୁ ୭୫୦ ମିଟର ଲମ୍ବା ରାସ୍ତା ସଫା କରିବାକୁ ଗୋଟିଏ ଲୋକ ଦିଆଯାଇଥିଲା। ୨.୫କିମି ପର୍ଯ୍ୟନ୍ତ ବୁଦା କାଟିବାକୁ ଗୋଟିଏ ଲୋକ ରଖାଯାଇଥିଲା। ଅର୍ଥାତ୍‌ ଆଗାରୁ ଯେଉଁଠି ୫୦ରୁ ୬୦ ସଫେଇ କର୍ମଚାରୀ କାମରେ ଲାଗୁଥିଲେ, ସେଠାରେ ଏବେ ୨୦ରୁ ୩୦ଲୋକ କାମ କରି‌ବାକୁ ଯୋଜନା ହୋଇଥିଲା। ଆବର୍ଜନା ଡମ୍ପିଂୟାର୍ଡକୁ ନ ଯାଇ ସିଧା ସଳଖ ଏମ୍‌ସିସିକୁ ଯିବ। ପ୍ରତି ଗାଡ଼ିରେ ଜିପିଏସ୍‌ ଲାଗିବ। କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ହେବ। ଏହି ଟେଣ୍ଡରରେ ଆଉ ଏକ ବଡ଼ ଅଡ଼ୁଆ ହେଉଛି ରାସ୍ତାକଡ଼ରେ ପଡ଼ିଥିବା ଏମ୍‌ଏସ୍‌ଡବ୍ଲୁ ଆବର୍ଜନା ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ଏନ୍‌ଜିଓ ହିଁ ଉଠାଇବେ।
ପୂର୍ବରୁ ଠିକା ସଂସ୍ଥାଙ୍କ ସହ ୭ବର୍ଷ ପର୍ଯ୍ୟନ୍ତ ଚୁକ୍ତି ହୋଇ ଥିବା ବେଳେ ନୂଆ ପ୍ୟାକେଜ୍‌ରେ ୩ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିବାକୁ ପ୍ରମୁଖ ଶାସନ ସଚିବ ସ୍ଥିର କରିଥିଲେ। ନୂଆ ପ୍ୟାକେଜ୍‌ ବ୍ୟବସ୍ଥାରେ ରହିଥିବା ସର୍ତ୍ତମାନଙ୍କ ମଧ୍ୟରୁ ୮୦ପ୍ରତିଶତରେ ତ୍ରୁଟି ରହିଥିଲା। ଫଳରେ ନୂଆ ସଂସ୍ଥାଙ୍କୁ ସମ୍ପୂର୍ଣ୍ଣ ଦାଇତ୍ୱ ଦେବା ପାଇଁ ବିଏମସି ସାହସ ଜୁଟାଇ ପାରିନଥିଲା। ପ୍ରଥମେ ଗୋଟିଏ ପ୍ୟାକେଜ ଦେଇଥିଲା। ନୂଆ ସଂସ୍ଥା କାମ କରି ନପାରିବାରୁ ବିଏମ୍‌ସି ଅନୁକମ୍ପା ଅଜାଡ଼ିଦେଲା। ଗାଡ଼ି ଲଗାଇ ଆବର୍ଜନା ଉଠାଇଲା। ଏତେ ସୁଯୋଗ ସତ୍ୱେ ବି ଏ ପର୍ଯ୍ୟନ୍ତ ଶତପ୍ରତିଶତ ସଫଳ ହୋଇ ପାରିନାହାନ୍ତି। ଏହା ପ୍ରଭାବରେ ଅଡ଼ୁଆ ଆଜି ପର୍ଯ୍ୟନ୍ତ ଲାଗି ରହିଛି। ବିଏମ୍‌ସି ଲଗାଇଥିବା ଗାଡ଼ି ବାବଦରେ ଭଡ଼ା ଖର୍ଚ୍ଚ କାହାଠାରୁ ଭରଣା କରାଯିବ ନା ବିଏମସି ଖାତାର ଯିବ, ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଜାଗାରୁ ଆବର୍ଜନା ଉଠି ପାରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି। ତେବେ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବା ବାକି ରହିଲା।

Share Now:

Kalinga News Beuro

Next Post

ବାଇକ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କୁ ମାରି ଦେଲେ : ୭ ଅଟକ

Mon Nov 7 , 2022
ବରପାଲି: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛାଡି ଚାଲିଯାଇଥି‌ଲେ। […]
ପିଟିପିଟି ଯୁବକଙ୍କୁ ମାରି ଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial