ମଦମୁକ୍ତ ବସ୍ତି ପାଇଁ ମେଳି ବାନ୍ଧିଲେ ମହିଳା

ମଦମୁକ୍ତ ବସ୍ତି ପାଇଁ ମେଳି ବାନ୍ଧିଲେ ମହିଳା

ଚନ୍ଦ୍ରଶେଖରପୁର: ବସ୍ତିରେ ବଢ଼ି ଚାଲିଛି ଚୋରା ମଦ କାରବାର। କେଉଁଠି ଦେଶୀ ପାଉଚ୍‌ ବେଶି ବିକ୍ରି ହେଉଛି ତ ଆଉ କେଉଁଠି ହାଣ୍ଡିଆ। ଗଞ୍ଜେଇ ବେପାର ବି ଜୋରସୋର୍‌ରେ ଚାଲିଛି। ବସ୍ତିରେ ବୟସ୍କଙ୍କଠାରୁ ପିଲାଙ୍କ ପର୍ଯ୍ୟନ୍ତ, ସମସ୍ତେ ଧୀରେଧୀରେ ନିଶା କବଳରେ ପଡ଼ୁଛନ୍ତି। ପାଉଚ୍‌ରେ ବିକ୍ରି ହେଉଥିବା ଏହି ଦେଶୀ ମଦର ପ୍ୟାକେଟ୍‌ ପିଛା ମୂଲ୍ୟ ୨୫ଟଙ୍କା ରହିଛି। ଏଥିରେ ନିଶାର ଭାଗ ମାପ ଠିକ୍‌ ରହୁ ନଥିବାରୁ ତାହା କେତେବେଳେ ଯେ ଲୋକଙ୍କ ଜୀବନ ନେବ ଓ ରାଜ୍ୟ ଇତିହାସରେ ପୁଣି ମଦମୃତ୍ୟୁର ଏକ କଳା ଇତିହାସ ଯୋଡ଼ି ହୋଇଯିବ, ତାହା କେହି କହିପାରିବେ ନାହିଁ। କମ୍‌ ଦାମ୍‌ରେ ମିଳି ଯାଉଥିବାରୁ ବସ୍ତିରେ ରହୁଥିବା ଶ୍ରମିକ ଓ ଗରିବ ଶ୍ରେଣୀର ଲୋକ ଆଗପଛ ବିଚାର ନ କରି ଏହାକୁ ପିଇ ଚାଲିଛନ୍ତି। ତେବେ ଇନ୍‌ଫୋସିଟି ଥାନା ଅଧୀନ ଜଳିମୁଣ୍ଡା ସାହି ବସ୍ତି‌ରେ ଏହାକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବସ୍ତିରେ ରହୁଥିବା ମହିଳାମାନେ ଆଜି ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ମଦ ବିକ୍ରି ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
ବିଏମ୍‌ସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଜଳିମୁଣ୍ଡା ସାହି ବସ୍ତିରେ ୨୩୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ବସ୍ତି ଆଗାମୀ ଦିନରେ ବିଜୁ ଆଦର୍ଶ କଲୋନି ହେବାକୁ ଯାଉଛି। ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇଗଲାଣି, ଯାହାକୁ ନେଇ ଅଞ୍ଚଳବାସୀ ବେଶ୍‌ ଆନନ୍ଦିତ ଅଛନ୍ତି। ମାତ୍ର ଏହି ଚୋରା ନିଶା କାରବାର ସେମାନଙ୍କ ଦୁଃଖର କାରଣ ପାଲଟିଛି। ବସ୍ତିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ବେପାରରେ ମାତିଛନ୍ତି। ପୂର୍ବରୁ ଏଠାରେ ନିଶା କାରବାର ଲୁଚାଛପାରେ ଚାଲିଥିବା ବେଳେ ଗତ ଦୁଇବର୍ଷ ହେଲା ଦିନରାତି ଖୁଲୁମ୍‌ଖୁଲା ହେଉଛି। ବିଶେଷକରି ଦେଶୀ ମଦ ଦ୍ବାରା ବସ୍ତିର ଲୋକେ ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ମଦ୍ୟପାନ କରି ମାତାଲ ହେବା ସହ ପ୍ରତିଦିନ ସନ୍ଧ୍ୟା ହେଲେ ବସ୍ତିରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି। ତେଣୁ ବସ୍ତିରୁ ମଦକୁ ପୂରା ମୂଳପୋଛ କରିବା ପାଇଁ ଆଜି ବସ୍ତିର ମହିଳାମାନେ ଶପଥ ନେଇଛନ୍ତି। ଏକତ୍ରିତ ହୋଇ ଏକ ସଭା ଆୟୋଜନ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ।
ସେମାନଙ୍କ ଅଭିଯୋଗ ହେଲା, ଲକ୍‌ଡାଉନ୍‌ ପରଠାରୁ ବସ୍ତିରେ ଚୋରା ନିଶାଦ୍ରବ୍ୟ ବେପାର ବଢ଼ି ଯାଇଛି। ବସ୍ତିରେ ୧୨ରୁ ଅଧିକ ମଦ ବେପାରୀ ଆଡ଼ା ଜମାଇଛନ୍ତି। ସେମାନ‌‌ଙ୍କ ମଧ୍ୟରୁ କିଛି ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ କେତେଜଣ ବାହାରୁ ଆସିଛନ୍ତି। ଏ ସଂପର୍କରେ ପୁଲିସକୁ ମାଲୁମ୍‌ ଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଓଲଟି ବେପାରୀଙ୍କଠାରୁ ମାସିକିଆ ବଟି ନେଇ ଚାଲିଯାଉଛନ୍ତି। ଏନେଇ ବସ୍ତି କମିଟି ପକ୍ଷରୁ ଅନେକଥର ଇନ୍‌ଫୋସିଟି ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ଅପରପକ୍ଷେ ଜଳିମୁଣ୍ଡା ସାହି ବସ୍ତି କମିଟି ନିଷ୍ପତ୍ତି ନେଇଛି ଯେ ଯେଉଁମାନେ ନିଶା ସେବନ କରୁଛନ୍ତି, ସେମାନଙ୍କୁ କୌଣସି ସରକାରୀ କିମ୍ବା ବେସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଚୟନ ବେଳେ ସେମାନଙ୍କୁ ବାଦ୍‌ ଦିଆଯିବା ସହ ନିଶା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇନ୍‌ଫୋସିଟି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି ଯେ ଚୋରା ମଦ କାରବାର ହେଉଥିବା ନେଇ ଯେଉଁଠି ଅଭିଯୋଗ ଆସୁଛି, ସେଠାରେ ତୁରନ୍ତ ଚଢ଼ଉ କରୁଛି। ଅଭିଯୁକ୍ତମାନଙ୍କୁ ବି ଗିରଫ କରାଯାଉଛି। କିଛି ଅଭ୍ୟାସଗତ ବେପାରୀଙ୍କୁ ମଧ୍ୟ ତଡ଼ିପାର୍‌ କରାଯାଇଛି।

Share Now:

Kalinga News Beuro

Next Post

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛି ୯ ବର୍ଷର ପୁଅ

Tue Nov 15 , 2022
ସୋର: ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ଯାହାଙ୍କ ଝାଳବୁହା ଟଙ୍କାରେ ଘର ଚଳୁଥିଲା, ସେ ଆରପାରିକୁ ଚାଲିଗଲେ। ଫଳରେ ଦୁଇପୁଅ ଓ ପତ୍ନୀ ବେସାହାରା ହୋଇ ଯାଇଛନ୍ତି। ପାଖରେ ଟଙ୍କାଟିଏ ନଥିବାରୁ ଦୁନିଆ କ’ଣ ବୁଝି ନଥିବା ନାବାଳକ ବଡ଼ପୁଅ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ସାଜନପୁର ପଞ୍ଚାୟତ ବରହମପୁର […]
ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛି ୯ ବର୍ଷର ପୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial