ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ପାଇଁ ଐତିହାସିକ ରାଜମୁକଟରେ କରାଯିବ ଆଂଶିକ ପରିବର୍ତ୍ତନ

ରାଜମୁକଟରେ କରାଯିବ ଆଂଶିକ ପରିବର୍ତ୍ତନ

ଲଣ୍ଡନ୍‌: ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ନିମନ୍ତେ ବ୍ରିଟେନ୍‌ର ୧୭ଶ ଶତାବ୍ଦୀରେ ନିର୍ମିତ ସେଣ୍ଟ୍‌ ଏଡ୍‌ୱାର୍ଡଙ୍କ ମୁକୁଟରେ ଆଂଶିକ ପରିବର୍ତ୍ତନ କରାଯିବ ବୋଲି ଶନିବାର ଦିନ ବକିଙ୍ଗ୍‌ହାମ୍‌ ପାଲେସ୍‌ସୂତ୍ରରୁ ପ୍ରକାଶ। ଆସନ୍ତା ବର୍ଷ ମେ ୬ ତାରିଖରେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବେରେ ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ନିମନ୍ତେ ପଦ୍ମରାଗ ମଣି, ଫିରୋଜା ମଣି, ମରକତ ମଣି, ରକ୍ତମଣି, ପୋଖରାଜ ମଣି, ତୁର୍‌ମଲୀ ଖଚିତ ସୁନାରେ ନିର୍ମିତ ଏହି ନିଦା ମୁକୁଟରେ ଅଦଳବଦଳ କାମ ହେବ ବୋଲି ରାଜପ୍ରାସାଦ ତରଫରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଟାୱାର୍‌ ଅଫ୍‌ ଲଣ୍ଡନ୍‌ରେ ପ୍ରଦର୍ଶୀତ ବିପୁଳ ରାଜକୀୟ ଅଳଙ୍କାର ମଧ୍ୟରେ ଶ୍ରେଷ୍ଠ ଏହି ମୁକୁଟ ବର୍ଷକୁ ୧ ନିୟୁତରୁ ଅଧିକ ଦେଖଣାହାରୀଙ୍କୁ ଆକୃଷ୍ଟ କରେ। ଖୁବ୍‌ ଭାରୀ ଏବଂ ୧ ଫୁଟ୍‌ ଉଚ୍ଚର ଏହି ମୁକୁଟରେ ଲାଗିଛି ଜାମୁଆ-ବାଇଗଣି ରଙ୍ଗର ଟୋପି ଓ ଏର୍ମିନ୍‌ (ନେଉଳ ଏକ ଜାତୀୟ ପ୍ରାଣୀ) ଛାଲରେ ତିଆରି ପଟି। ଶେଷ ଥର ପାଇଁ ଏହି ମୁକୁଟକୁ ୧୯୫୩ରେ ରାଜ୍ୟାଭିଷେକ ବେଳେ ରାଣୀ ଦ୍ଵିତୀୟ ଏଲିଜାବେଥ୍ ପରିଧାନ କରିଥିଲେ। ରାଜା ଏଡ୍‌ୱାର୍ଡ ଦି କନ୍‌ଫେସର୍‌ଙ୍କ ଅମଳରେ ନିର୍ମିତ ମଧ୍ୟ ଯୁଗୀୟ ମୁକୁଟକୁ ପରିବର୍ତ୍ତନ କରାଯାଇ ୧୬୬୧ରେ ରାଜା ଦ୍ବିତୀୟ ଚାର୍ଲସ୍‌ଙ୍କ ଲାଗି ଏବର ମୁକୁଟ ଗଢ଼ା ଯାଇଥିଲା। ରାଜା ପ୍ରଥମ ଚାର୍ଲସ୍‌ଙ୍କ ମୃତ୍ୟୁ ପରେ ଉକ୍ତ ମୂଳ ବା ପ୍ରଥମ ରାଜମୁକୁଟଟିକୁ ସାଂସଦମାନେ ତରଳାଇ ଦେଇଥିଲେ। ଖୁବ୍‌ ଭାରୀ ହୋଇଥିବାରୁ ଶହ ଶହ ବର୍ଷ ହେବ ୧୭ଶ ଶତାବ୍ଦୀର ଏହି ମୁକୁଟକୁ କେବଳ ଅଭିଷେକ ଉତ୍ସବ ବେଳେ ପିନ୍ଧାଯାଉଛି। ୧୯୧୧ରେ ରାଜା ୫ମ ଜର୍ଜଙ୍କ ରାଜ୍ୟାଭିଷେକ ବେଳେ ହାଲୁକା କରିବା ଲାଗି ଏହି ମୁକୁଟରେ କିଛି ପରିବର୍ତ୍ତନ କରାଯାଇଥିଲା। ତଥାପି ଏବେ ଏହାର ଓଜନ ୨.୩ କିଲୋ ରହିଛି। କେବଳ ରାଜ୍ୟାଭିଷେକ ମୁହୂର୍ତ୍ତରେ ହିଁ ତୃତୀୟ ଚାର୍ଲସ୍‌ କ୍ଷଣିକ ପାଇଁ ଏହି ମୁକୁଟ ପରିଧାନ କରିବେ।

Share Now:

Kalinga News Beuro

Next Post

୨୦୨୩ ଡିସେମ୍ବର ସୁଦ୍ଧା କଳିଙ୍ଗ ଷ୍ଟୁଡିଓର ନବକଳେବର

Sun Dec 4 , 2022
ଭୁବନେଶ୍ୱର: ଚଳଚ୍ଚିତ୍ର ଓ ମନୋରଂଜନ ସମ୍ପର୍କରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨ର ପ୍ରଥମ ଅଧିବେଶନରେ ମାନସୀ ମିଶ୍ରଙ୍କ ସଂଯୋଜନାରେ କେରଳର ଚଳଚ୍ଚିତ୍ର ନିର୍ମାତା ସାଜି ଏନ୍‌.କରୁନ୍‌, ତେଲଗୁ ଫିଲ୍ମ ଚାମ୍ବରର ସଭାପତି ତଥା ଚଳଚ୍ଚିତ୍ର ପ୍ରଯୋଜକ କେ.ବାସି ରେଡି, ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ […]
୨୦୨୩ ଡିସେମ୍ବର ସୁଦ୍ଧା କଳିଙ୍ଗ ଷ୍ଟୁଡିଓର ନବକଳେବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial