ଦୁର୍ଘଟଣା ଘଟାଇ ଫସିଲା ହାଇପ୍ରୋଫାଇଲ ଠକ : ଗାଡ଼ି ବେପାର ନାଁରେ କୋଟିଏ ଚଳୁ

ଦୁର୍ଘଟଣା ଘଟାଇ ଫସିଲା ହାଇପ୍ରୋଫାଇଲ ଠକ

ବାଲିପାଟଣା: କାର୍‌ ଦୁର୍ଘଟଣା ଓ ଝଗଡ଼ା କରି ଫସିଛି ହାଇପ୍ରୋଫାଇଲ ଠକ। ସେ ହେଲା ବାଲିପାଟଣା ଭଇରପୁର ଗ୍ରାମର ନିରଞ୍ଜନ ନାୟକ। ପୁଲିସ ତାକୁ ଥାନାକୁ ଆଣି ତଦନ୍ତ କରିବା ପରେ ସେ ଜଣେ ହାଇପ୍ରୋଫାଇଲ ଠକ ବୋଲି ଜାଣିବାକୁ ପାଇଛି। ରାଜଧାନୀରେ ଅଫିସ ଖୋଲି ନିରଞ୍ଜନ ବହୁ ବଡ଼ବଡ଼ିଆ ଏବଂ ଗାଡ଼ି ମାଲିକଙ୍କୁ ନିଜ ଜାଲରେ ଫସାଇ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିଥିବା ଜଣାପଡ଼ିଛି। ଧୂର୍ତ୍ତ ନିରଞ୍ଜନ ଧରାପଡ଼ିବା ପରେ ଥାନାରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢୁଛି। ଚାରି ଚକିଆ ଗାଡ଼ି କିଣା ଓ ବିକ୍ରି ଆଳରେ ସେ ଲୋକଙ୍କ ଠାରୁ ଅଗ୍ରୀମ ଦସ୍ତଖତ ନେଇ ଗାଡ଼ି ନିଜ ନାଁରେ କରିଦେଉଥିଲା। ଏହାପରେ ଗାଡ଼ି ଉପରେ ଲକ୍ଷାଧିକ ଟଙ୍କା ଋଣ ଆଣୁଥିଲା। ଗ୍ରାହକମାନେ ଜାଣିଲା ପରେ ତାଙ୍କୁ ଚେକ୍‌ ଧରାଇ ଧରାଛୁଆଁ ଦେଉ ନ ଥିଲା। ଏବେ ତା’ର କଳା କାରନାମା ସାମ୍ନାକୁ ଆସିବା ପରେ ପୁଲିସ ତାକୁ ହେପାଜତରେ ରଖି ତଦନ୍ତ ଜାରି ରଖିଛି। ମାମଲା ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ଆଳିଶି ପଞ୍ଚାୟତ ଭଇରପୁର ଗ୍ରାମର ସଚ୍ଚିଦାନନ୍ଦ ନାୟକଙ୍କ ପୁଅ ନିରଞ୍ଜନ ଓରଫ ନିରୁ ଲିଙ୍ଗରାଜ ଥାନା ସାମନ୍ତରାପୁରସ୍ଥିତ ମହାବୀର ନଗରରେ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଘର ଭଡ଼ା ନେଇ ରହୁଥିଲା। ସାମନ୍ତରାପୁର ପ୍ଲଟ ନଂ ୨୧୪୮ରେ ଲକ୍ଷ୍ମୀ ଆସୋସିଏଟ୍‌ ନାମରେ ଏକ ସଂସ୍ଥା ଖୋଲି ଚାରି ଚକିଆ ଗାଡ଼ି କିଣାବିକା କରୁଥିଲା। ବିଜ୍ଞାପନ ଦେଖି ସେଠାକୁ ଗାଡ଼ି କିଣାବିକା ପାଇଁ ଗ୍ରାହକ ଆସୁଥିଲେ। ନିରୁ ସେମାନଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଉଥିଲା। ନିରଞ୍ଜନଙ୍କ ଭଡ଼ା ଘର ପାଖରେ ରହୁଥିବା ଲିଙ୍ଗରାଜ ଥାନା ଅଞ୍ଚଳର ବିଭୁ ପ୍ରସାଦ ତ୍ରିପାଠୀ ସେକେଣ୍ଡ ହ୍ୟାଣ୍ଡ କାର କିଣିବାକୁ ନିରଞ୍ଜନଙ୍କ ସହ କଥା ହୋଇଥିଲେ। ନିରଞ୍ଜନ ତାଙ୍କୁ ଗତବର୍ଷ ନିଜ ଗାଁ ଭଇରପୁରକୁ ଡକାଇଥିଲେ। ଓଡି୦୨ଏସ-୮୭୧୫ କାର୍‌କୁ ବିକ୍ରି ପାଇଁ ଦେଖାଇଥିଲା। ଗାଡ଼ି ଦେଖିବା ପରେ ବିଭୁ ନିରଞ୍ଜନକୁ ୨.୪୦ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ। ପରେ ଗାଡ଼ି ମାଲିକାନା ତାଙ୍କ ନାମକୁ ସ୍ଥାନାନ୍ତର ସମୟରେ ଅବଶିଷ୍ଟ ୫ ଲକ୍ଷ ଟଙ୍କା ଦେଇଥିଲେ। ଧୂର୍ତ୍ତ ନିରଞ୍ଜନ ବିଭୁଙ୍କ ନାମରେ ଗାଡ଼ି କରିବା ପରିବର୍ତ୍ତେ ନିଜ ନାମରେ କରାଇ ନେଇଥିଲା। ବିଭୁଙ୍କୁ ଠକିବା ପରେ ଉକ୍ତ କାର୍‌ର ମାଲିକ ଭଇରପୁର ଗ୍ରାମର ସଞ୍ଜୟ କୁମାର ଛାଟୋଇଙ୍କୁ ମଧ୍ୟ ଚୂନ ଲଗାଇଥିଲା। ତାଙ୍କ ଠାରୁ ଗାଡ଼ି ପ୍ରମାଣପତ୍ର, ସ୍ମାର୍ଟ କାର୍ଡ, ଏନଓସି ଓ ଦସ୍ତଖତ ନେଇ ଏକ ଫାଇନାନ୍ସ କମ୍ପାନିରୁ ୪.୬୦ ଲକ୍ଷ ଟଙ୍କା ଋଣ ନେଇଯାଇଥିଲା। ଏ ସମ୍ପର୍କରେ ସେ ଜାଣିବା ପରେ ଗତବର୍ଷ ଏପ୍ରିଲ ୧୮ରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଧଉଳି ଥାନା ଅଞ୍ଚଳର ମାନସ ପଣ୍ଡାଙ୍କୁ ଇନୋଭା କାର ପାଇଁ ଲକ୍ଷାଧିକ ଟଙ୍କା ଠକି ଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। କାକଟପୁର ପବିତ୍ର ମୋହନ ଦାସଙ୍କୁ ଟାଟା ମ୍ୟାଜିକ୍‌ ଗାଡ଼ି ବିକ୍ରି କରି ଗାଡ଼ି ଉପରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ ନେଇଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଗତକାଲି ନିରଞ୍ଜନର କାର (ଓଆର୦୫ଏଇ- ୩୭୭୬) ରାଜସ ନିକଟରେ ଅନ୍ୟ ଏକ ଗାଡ଼ି ସହ ଦୁର୍ଘଟଣା ହୋଇଥିଲା। ସେଠାରେ ଉତ୍ତେଜନା ବୃଦ୍ଧି ପାଇବାରୁ ପୁଲିସ ପହଞ୍ଚି ନିରଞ୍ଜନକୁ ଗାଡ଼ି ସହ ଥାନାକୁ ଆଣିବା ପରେ ସବୁ ଗୁମର ଖୋଲି ଯାଇଥିଲା। ନିରଞ୍ଜନ ବିରୋଧରେ ବାଲିପାଟଣା ଥାନାରେ ଗୋଟିଏ ଅଭିଯୋଗ ହୋଇଥିବା ଆଇଆଇସି ଓମ୍‌ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଶେଷ : ଗିରଫ କଲା ଇଡି

Tue Dec 13 , 2022
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଅର୍ଚ୍ଚନାଙ୍କୁ ଗିରଫ କରିଛି। ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ […]
୭ ଦିନିଆ ରିମାଣ୍ଡ ଶେଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial