ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା: ଗିରଫ ହୋଇଥିବା ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା

ସମ୍ବଲପୁର: ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଥିବା ଜଣାପଡ଼ିଛି। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏଯାବତ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି। କୋର୍ଟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ଗିରଫ ଓ ଲାଇସେନ୍ସ ବାତିଲକୁ ବେଆଇନ କହିବା ସହ ନ୍ୟାୟିକ ଲଢେଇ ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି। କୋର୍ଟ ରୁମ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିବା ଘଟଣା ସମ୍ବଲପୁର ଓକିଲଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ପ୍ରଥମେ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ବାରର ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ବାତିଲ କରିଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନ୍ସଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ଓଡିଶା ଇତିହାସରେ ଏହା ପ୍ରଥମ। ତେବେ ଏହି ଘଟଣାର କିଛି ଘଣ୍ଟା ପରେ ପୁଲିସ ମଧ୍ୟ ଟାଉନ ଥାନାରେ ୩ଟି ମାମଲା ରୁଜୁ କରି ୧୭ଜଣଙ୍କୁ ଗିରଫ କରିଛି। ଏନେଇ ଓକିଲଙ୍କ ବିରୁଦ୍ଧରେ ଟାଉନ ଥାନାରେ ୪୮୦/୨୦୨୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଆଇପିସିର ୧୪୭, ୩୪୧,୩୨୩, ୩୫୩,୩୩୨, ୫୦୬, ୧୮୬, ୧୮୮, ୧୪୯ ଧାରା ଲଗାଇଛି। ସେହିପିର ଅନ୍ୟ ସଂଗଠନ ଯେପରି ଭୀମ ଆର୍ମୀ, ବଜରଙ୍ଗଦଳ, ମାରୱାଡି ଯୁବ ମୋର୍ଚ୍ଚା, ଘୁନଘୁଡିପଡା ବିସ୍ଥାପିତ ସଂଘ, ଏବିଭିପି ଓ ଅନ୍ୟାନ୍ୟ ସଂଗଠନ ପରେ ଟାଉନ ଥାନାରେ ୪୭୯/୨୦୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ଆଇପିସିର ୧୪୭, ୩୪୧, ୧୮୬, ୧୮୮, ୨୯୪, ୫୦୬, ୩୫୩, ୩୩୨ ଓ ୧୪୯ ଧାରା ଲାଗିଛି।
ସମ୍ବଲପୁର ସହର କଚେରୀ ଛକରେ କୋର୍ଟ ପରିଧିର ୨୦୦ ମିଟର ଭିତରେ ୧୪୪ ଧାରା ଲାଗୁ କରାଯାଇଛି। କୋର୍ଟ କଚେରୀ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି। ଏନେଇ ଅନ୍ୟ ଜିଲ୍ଲାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଜିଲ୍ଲାର ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏହା ସହ ଦରକାର ପଡିଲେ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟରେ ଓକିଲଙ୍କ ଗିରଫଦାରୀ ଓ ଲାଇସେନ୍ସ ବାତିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ସହ ଏହାକୁ ବେଆଇନ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାର। ଆନ୍ଦୋଳନ ଚାଲିଥିଲା, ଚାଲିଛି ଓ ଚାଲିବ ବୋଲି ସେ ଜୋରଦେଇଛନ୍ତି। କୋର୍ଟରୁମ ଭିତରେ ବିଚାରପତିଙ୍କୁ ସୁରକ୍ଷା ଦେଇନପାରିବା ପୁଲିସର ନିଷ୍କ୍ରିୟତାକୁ ସୂଚାଉଛି। ପୁଲିସର ଅତ୍ୟାଚାର ବଢିବାରୁ ଜନସାଧାରଣ ଗତକାଲି ଏପରି ପଦକ୍ଷେପ ନେଇଥିଲେ। ଆମକୁ ବାର କାଉନସିଲ ଅଫ ଇଣ୍ଡିଆ ଲାଇସେନ୍ସ ପ୍ରଦାନ କରି ନଥିବାବେଳେ ବାତିଲ କରିବାର ଅଧିକାର ମଧ୍ୟବାର କାଉନସିଲ ଅଫ ଇଣ୍ଡିଆର ନାହିଁ। ଏନେଇ ଆମେ ନ୍ୟାୟିକ ଲଢେଇ ଲଢିବୁ ବୋଲି ଶ୍ରୀ ବହିଦାର କହିଛନ୍ତି।

Share Now:

Kalinga News Beuro

Next Post

ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ : ଭାଗ ନେଲେ ୯୧ ଟିମ୍‌

Wed Dec 14 , 2022
ରାଉରକେଲା: ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପତାକା ଉତ୍ତୋଳନ କରି ଏହାକୁ ଉଦଘାଟନ କରିଛନ୍ତି। ରାଉରକେଲାଠାରେ ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡର ପ୍ରାୟ ୫୦ଟି କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। […]
ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial