ମୋ ସାଇକେଲ୍‌ ବିକ୍ରି ପ୍ରସଙ୍ଗ: କଣ୍ଟ୍ରାକ୍ଟରୁ ଓହରି ଯିବାକୁ ଚାହୁଁଛି ହେକ୍ସି

ମୋ ସାଇକେଲ୍‌ ବିକ୍ରି ପ୍ରସଙ୍ଗ

ଭୁବନେଶ୍ବର: ଜୁଲାଇ ୧୩ ତାରିଖରେ ରାଜଧାନୀ ରାସ୍ତାକଡ଼ରୁ ଶହଶହ ‘ମୋ ସାଇକେଲ୍‌’ କବାଡ଼ିଆକୁ ବିକ୍ରି ମାମଲାର ତଦନ୍ତ ଚାଲିଛି। ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକ କମଲଜିତ୍ ଦାସ ୩୦୦ ‘ମୋ ସାଇକେଲ୍‌’ ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଏତଲା ଦେବା ପରେ ହେକ୍ସି ସଂସ୍ଥାର ମୁଖିଆ ଭୁବନେଶ୍ବରରେ ଡେରା ପକାଇଛନ୍ତି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପୁଲିସକୁ ଭେଟିବା ପରେ ସେ ୧ ହଜାର ସାଇକେଲ୍‌ ଦେଇଦେବା ସହ ହେକ୍ସି କଣ୍ଟ୍ରାକ୍ଟ ଭାଙ୍ଗି ଓହରିଯିବାକୁ ଚାହୁଥିବା ଜଣାଇଛନ୍ତି। ଏ ନେଇ ସଂସ୍ଥା ଲିଖିତ ଭାବେ ଜଣାଇବା ପରେ ଏଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ ହେବା ସହ ଆଲୋଚନା ଆରମ୍ଭ ହୋଇଛି। ଆସନ୍ତାକାଲି ଏ ନେଇ ବିଏସ୍‌ସିଏଲ୍‌ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି। ଜୁଲାଇ ୧୬ତାରିଖରେ ସହିଦନଗର ଥାନାରେ ଏତଲା ହେବା ସହ ବିଏସ୍‌ସିଏଲ୍‌ ହେକ୍ସିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଅଭିଯୋଗର ଏକ ସପ୍ତାହ ପରେ ସଂସ୍ଥାର ମୁଖ୍ୟାଳୟ ଦିଲ୍ଲୀରୁ ବିକାଶ କୁମାର ନାମକ ଜଣେ ଅଧିକାରୀ ଭୁବନେଶ୍ବରରେ ପହଞ୍ଚିଥିଲେ ଏବଂ ବିଏସ୍‌ସିଏଲ୍‌ର ମହାପ୍ରବନ୍ଧକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ବିଏସ୍‌ସିଏଲ୍‌ ସହ ହେକ୍ସି ଚୁକ୍ତି କରିଥିବାରୁ ୧ ହଜାର ବ୍ୟବହାରଯୋଗ୍ୟ ସାଇକେଲ ଫେରାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହା ସହିତ କରୋନା କାଳରେ ସଂସ୍ଥାର କ୍ଷତି ହୋଇଥିବାରୁ ଆଉ ‘ମୋ ସାଇକେଲ୍‌’ ଯୋଜନାରେ ରହି କାମ କରିପାରିବ ନାହିଁ ବୋଲି କହିଥିଲେ ବିକାଶ। ୧ ହଜାର ସାଇକେଲ୍‌ ଫେରାଇବା ପରେ ବିଏସ୍‌ସିଏଲ୍‌ ସହ ସମ୍ପର୍କ ଛିନ୍ନ କରିବାକୁ ଚାହିଥିଲେ। କିନ୍ତୁ ବିଏସ୍‌ସିଏଲ୍ ସହ ସଂସ୍ଥା ୫ ବର୍ଷ ପାଇଁ ଚୁକ୍ତି କରିଥିଲା। ଏଣୁ ୫ ବର୍ଷ ପୂର୍ବରୁ ଚୁକ୍ତି ଖିଲାପ୍‌ କରି ଯିବା ପାଇଁ ସୁଯୋଗ ନଥିଲା। ଅନ୍ୟପଟେ ସଂସ୍ଥା ଯେଉଁ ସାଇକେଲ୍‌ ଯୋଗାଇଥିଲା ତାହା ସାଧାରଣ ସାଇକେଲ୍‌ ନଥିଲା। ଏଣୁ ମରାମତି କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ବିଏସ୍‌ସିଏଲ୍‌କୁ ନୂଆ ଅଡ଼ୁଆ ହେବା ଆଶଙ୍କା ରହିଥିଲା। ଏ ସବୁ ଦିଗକୁ ନେଇ ବିଏସ୍‌ସିଏଲ୍‌ର ସ୍ବତନ୍ତ୍ର କମିଟି ଏ ନେଇ ବିଚାରବିମର୍ଶ ଜାରି କରିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୧୩ ତାରିଖରେ ଶହଶହ ମୋ ସାଇକେଲ୍‌ କବାଡ଼ିଆକୁ କିଲୋ ୪୦ ଟଙ୍କା ଦରରେ ୬ଶହ ଲେଖାଏଁ ଟଙ୍କାରେ ବିକ୍ରି କରି ଦିଆଯାଇଥିଲା। ଗୋଟା ୨୫ ହଜାର ଟଙ୍କାରେ କିଣା ହୋଇଥିବା ସାଇକେଲ ୬୦୦ ଟଙ୍କାରେ ବିକ୍ରି ହେବା ଓ କବାଡ଼ିଆ ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି କାଟୁଥିବାର ଦୃଶ୍ୟ ସମ୍ବଳିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବାର ତିନିଦିନ ପରେ ବିଏସ୍‌ସିଏଲ୍‌ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଥିଲା।

Share Now:

Kalinga News Beuro

Next Post

୨୩ପରେ ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ସମ୍ଭାବନା

Sat Aug 7 , 2021
ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତାମାନେ ବିଏମସିକୁ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ବିଏମସି କମିସନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକ ବସିଥିଲା। ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତ୍ତା ଭର୍ଚୁଆଲ […]
ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial