ଗାଧୋଇ ଫେରୁଥିବା ବେଳେ ଶୁଣ୍ଢରେ ଠେଲି ଦେଲା ଦନ୍ତା : ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଶୁଣ୍ଢରେ ଠେଲି ଦେଲା ଦନ୍ତା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ବାରଦଣ୍ଡା ନଦୀ ନିକଟରେ ଜଣେ ଚାଷୀ ଗାଧୋଇ ଫେରୁଥିବା ସମୟରେ ଏକ ଦନ୍ତାହାତୀ ସହ ମୁହଁମୁହିଁ ହୋଇଛନ୍ତି। ଦନ୍ତାଟି ଶୁଣ୍ଢରେ ଚାଷୀଙ୍କୁ ଠେଲି ଦେବା ଫଳରେ ସେ ନଦୀ ହୁଡା ତଳକୁ ଖସି ପଡି ଅଳ୍ପକେ ମୃତ୍ୟୁ ମୁଖରୁ ନିଜରକୁ ବଞ୍ଚାଇ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଲେମ୍ଭାଇ ପଞ୍ଚାୟତ ବାରଦଣ୍ଡା ଗ୍ରାମର ପାଣୁ ପ୍ରଧାନଙ୍କ ପୁଅ ଉଦୟ ପ୍ରଧାନ(୫୧)। ସେ ନିଜ ଜମିରେ ପୋଟଳ ଲଗାଇଥିବା ବେଳେ ତାକୁ ତଦାରଖ କରିବାକୁ ଯାଇଥିଲେ। ସେଠାରୁ କାମ ସାରି ଗାଧୋଇବାକୁ ନିକଟସ୍ଥ ନଦୀକୁ ଯାଇଥିଲେ। ସେଠାରେ ଶୌଚ ଆଦି କାର୍ଯ୍ୟ ସାରି ଫେରୁଥିବ ସମୟରେ ହୁଡା ନିକଟରେ ଦନ୍ତା ସହ ହଠାତ୍ ମୁହାଁମୁହିଁ ହୋଇ ଯାଇଥିଲା। ସେଠାରୁ ମୁକୁଳିବା ପାଇଁ ପ୍ରାଣ ବିକଳରେ ଦୌଡିବା ଆରମ୍ଭ କରିବା ସମୟରେ ହାତୀଟି ତାଙ୍କ ଆଡାକୁ ମାଡି ଆସିଥିବା ସେ ପ୍ରକାଶ କରିଛନ୍ତି। ହାତୀଟି ତାର ଶୁଣ୍ଢରେ ଠେଲି ଦେଇଥିଲା। ତାର ଦାନ୍ତ ଉଦୟଙ୍କ ମୁଣ୍ଡରେ ବାଜିଥିବା ବେଳେ ଶୁଣ୍ଡରେ ଗୋଡକୁ ଆଘାତ ଲାଗିଥିଲା। ଯାହା ଫଳରେ ହୁଡା ନିକଟରେ ଥିବା ଏକ ଲଟାବୁଦାରେ ସେ ପଡିଯାଇଥିଲେ। ହାତୀଟି ପୁଣି ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ସଫଳ ହୋଇ ପାରିନଥିଲା। କିଛି ସମୟ ରହିବା ପରେ ସେ ପଛକୁ ଫେରି ଯାଇଥିବା ଦେଖି ସେ ଘୋସାରି ହୋଇ ନିକଟରେ ଥିବା ଏକ ଆମ୍ବ ଗଛ ନିକଟକୁ ଯାଇଥିଲେ। ସେଠାରେ ପାଟି କରିବାକୁ ଗ୍ରାମର କିଛି ବ୍ୟକ୍ତି ଆସି ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ଘରକୁ ନେଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେବା ସହ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବନପାଳ କଳାବଦନ ଦାଶଙ୍କ ସମେଥତ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଇଲାକାରେ ଗତ କିଛି ମାସ ହେଲା ୧୮ ଟିକିଆ ହାତୀପଲ ଉପଦ୍ରବ ଖେଳାଇଥିଲେ। ବର୍ତ୍ତମାନ ଏହି ହାତୀପଲ ମୁଜାଗଡ ବନାଞ୍ଚଳକୁ ପଳାଇଛନ୍ତି। କିନ୍ତୁ ସେମାନଙ୍କ ପଲରେ ଥିବା ଏକ ଦନ୍ତା ଗତ ତିନି ଦିନ ଧରି ହଳନ୍ଦଖୋଳା,ଲେମ୍ଭାଇ,ସାମରଡା,ତିଳିସିଂ ଅଞ୍ଚଳରେ ଘୂରୀ ବୁଲୁଛି। ଗତକାଲି କରଡାବଣି ନର୍ସରୀ ଠାରେ ପହଞ୍ଚିଥିଲା। ସେଠାରେ କାର୍ଯ୍ୟରତ ମହିଳା ଶ୍ରମିକ ମାନେ ହାତୀକୁ ଦେଖି ପ୍ରାଣ ବିକଳରେ ଦୌଡି ପଳାଇଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ନିକଟସ୍ଥ ଜଙ୍ଗଲକୁ ଘଉଡାଇଥିଲେ। ପରେ ବାରଦଣ୍ଡା ଠାରେ ବୃଦ୍ଧ ଚାଷୀଙ୍କୁ ଆକ୍ରମଣ କରିବା ପରେ ଦଳକ ବାଲିସାହି,ମାଣପୁର ଦେଇ ପୋଚାଲୁଣ୍ଡିରୁ ତିନି ଛକିଆ ଅତିକ୍ରମ କରି ଚନ୍ଦ୍ରଗିରି ଜଙ୍ଗଲକୁ ପଳାଇଥିବା ବନ ବିଭାଗ କହିଛି। ତେବେ ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବା ବେଳେ ହାତୀ ପାଚିଲା ଧାନ ବାସ୍ନାରେ ଜମି ଆଡାକୁ ଆସୁଥିବା ବେଳେ ହାତୀ ଠାରୁ ମଣିଷ ଏବଂ ମଣିଷ ଠାରୁ ହାତୀଙ୍କୁ ସୁରକ୍ଷା ଦେବା ଚାଲେଞ୍ଜ ପାଲଟିଛି।

Share Now:

Kalinga News Beuro

Next Post

ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍ : ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ୍

Sat Dec 17 , 2022
ଟିମରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ ବେଙ୍ଗାଲୁରୁ : ଦୃଷ୍ଟିହୀନ ଟି-୨୦ କ୍ରିକେଟରେ ଭାରତ ବିଶ୍ବ ଚାମ୍ପିଅନ ହୋଇଛି। ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା। ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ ଅଜୟ ୧୦୦ ରନ […]
ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial