ଖଣ୍ଡଗିରି: ଫଳକ ସବୁ ମୁଣ୍ଡ ଉଠାଇ ଠିଆ ହୋଇଛନ୍ତି। କିନ୍ତୁ ଗଛ ସବୁ ହଜି ଯାଇଛି। ଯେଉଁଠି ଗଛ ରହିବା କଥା, ସେଠି ଘାସ ଉଠି ବଣ ପାଲଟି ଯାଇଛି। ୧୨୫ ପ୍ରକାର ଗଛ ଲାଗିବାକୁ ଥିବା ସ୍ଥାନରେ ପ୍ରାୟ ୨୦ରୁ ଅଧିକ ପ୍ରକାରର ଗଛ ନାହିଁ। ଗଛଗୁଡ଼ିକ କେମିତି ମଲା, ହଜିଲା, ତା’ର ହିସାବ ବି ନାହିଁ। ବଗିଚାକୁ ବାଦ୍ ଦେଲେ ପୁଷ୍କରିଣୀର ଅବସ୍ଥା ମଧ୍ୟ ତଦ୍ରୁପ। କଇଁ, ପଦ୍ମ ଫୁଲ କଢ଼ଟିଏ ନଥିବା ପୁଷ୍କରିଣୀରେ ଯାହା ଖାଲି ମଇଳା ପାଣି ଭର୍ତ୍ତି ହୋଇ ରହିଛି। ଏହା ହେଉଛି ଏକାମ୍ରକାନନ ଭିତରେ ଥିବା ଜଗନ୍ନାଥ ବାଟିକାର ସ୍ଥିତି। ଗତ ୬ ବର୍ଷ ତଳେ ପ୍ରାୟ ୫ଏକର ଜମିରେ ପ୍ରତିଷ୍ଠା ହୋଇଥିବା ଏହି ବାଟିକା ଏବେ ପୂରା ଶ୍ରୀହୀନ ହୋଇପଡ଼ିଛି। ଏକ ମହତ୍ ଉଦ୍ଦେଶ୍ୟ ନେଇ ଏହି ବାଟିକା ଜନ୍ମ ନେଇଥିଲା। ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାର ରୀତିନୀତି ସମ୍ପର୍କରେ ସାଧାରଣ ଲୋକଙ୍କ ଜ୍ଞାନ ବୃଦ୍ଧି କରିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଏହି ବାଟିକା ପ୍ରତିଷ୍ଠା କରାଯାଇଥିଲା। ଜଗନ୍ନାଥ ସଂସ୍କୃତିରେ ସମ୍ପୃକ୍ତ ବିଭିନ୍ନ ବୃକ୍ଷରାଜିକୁ ଗୋଟିଏ ସ୍ଥାନରେ ରଖିବା ଦ୍ବାରା ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବାଟିକା ବେଶ୍ ଉପଯୋଗୀ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଫଳରେ ବାହାର ରାଜ୍ୟ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଜଗନ୍ନାଥ ସଂସ୍କୃତି ବାବଦରେ ବୁଝିପାରିବେ ବୋଲି କୁହାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଦିନଯାକର ନୀତିଠାରୁ ଆରମ୍ଭ କରି ବିଭିନ୍ନ ବେଶ, ରଥ ତଥା ଦାରୁବ୍ରହ୍ମ ନିର୍ମାଣରେ ବ୍ୟବହୃତ ସମସ୍ତ ବୃକ୍ଷ ଏଠାରେ ରହିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରଥ ନିର୍ମାଣରେ ବ୍ୟବହାର ହେଉଥିବା ଲିମ୍ବ, ଶିମିଳି, ପିଆଶାଳ, ପାଳଧୁଆ, ଫାସି, ଅସନ, ଧଉରା, ଗମ୍ଭାରି ଆଦି ବୃକ୍ଷ ଏହି ବାଟିକାରେ ଲଗାଯାଇଥିଲା। ସେହିଭଳି ଔଷଧୀୟ ବୃକ୍ଷ ବେଲ, ପାଟେଳି, ଶାଳପର୍ଣ୍ଣା, ଲବଙ୍ଗ, ଅଗ୍ନିବଥୁ, ଗୋଖରି, ଅଙ୍କରାତି ପ୍ରଭୃତି ବୃକ୍ଷ ମଧ୍ୟ ଲଗାଯାଇଥିଲା। ସେହିଭଳି ରଜନୀଗନ୍ଧା, ଜୁଇ, ଜାଇ, ମଲ୍ଲୀ, ସୁଗନ୍ଧରାଜ, ଦୁର୍ଲଭା, ଚମ୍ପା, ରଙ୍ଗଣି, ବଉଳଫୁଲ, କିଆ, କେତକୀ, ମାଳତୀ, ନାକଚଣା, କରପଲ୍ଲବ, ଗେଣ୍ଡୁ, କୁସୁମ, ଗଙ୍ଗଶିଉଳି, ପଦ୍ମ, କାଠ ଚମ୍ପା ଆଦି ଫୁଲ ଗଛ ମଧ୍ୟ ରୋପଣ କରାଯାଇଥିଲା। ଏଥିସହିତ ନଡ଼ିଆ, ଗୁଆ, ଡାଳିମ୍ବ, ବରକୋଳି, ସପୁରି, ପିଜୁଳି, ଆତ, କଦଳୀ, ଆମ୍ବ, ଜାମୁ, ହରିଡ଼ା, ବାହାଡ଼ା, ଅଁଳା ଆଦି ଫଳ ଗଛ ଲଗାଯାଇଥିଲା। ୨୦୧୬ ଫେବୃଆରୀ ୨୨ ତାରିଖରେ ଗଜ ଉଦ୍ଧାରଣ ବେଶ ଅବସରରେ ଏହି ବାଟିକା ଉଦ୍ଘାଟିତ ହୋଇଥିଲା। ଏହା ଭିତରେ ୬ ବର୍ଷ ବିତିଛି। ତେଣୁ ବାଟିକା ହସି ଉଠିବା କଥା। ମାତ୍ର ବାଟିକା ପାଲଟିଛି ମରୁଭୂମି ସଦୃଶ। ବାଟିକା ଭିତରେ ରଜନୀଗନ୍ଧା, ହଳଦୀ, ଅଦା, ଗନ୍ଧସୁଣ୍ଠି, ଡାଳିମ୍ବ, ଦଶମୂଳ ଗଛ ଖୋଜିଲେ ବି ମିଳୁନାହିଁ। ବଡ଼ କଥା ହେଉଛି ଶ୍ରୀଜଗନ୍ନାଥଙ୍କ ସେବାରେ ସବୁଦିନ ଲାଗୁଥିବା ଚନ୍ଦନ ଓ ତୁଳସୀ ଗଛ ମଧ୍ୟ ଆବଶ୍ୟକ ପରିମାଣରେ ନାହିଁ। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍ପିଆର୍ସି)ର ଅବହେଳା କାରଣରୁ ଜଗନ୍ନାଥ ବାଟିକାର ଏଭଳି ଶୋଚନୀୟ ଅବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଛି। ବର୍ତ୍ତମାନ ଫୁଲ ଋତୁ ଚାଲିଛି। ତେଣୁ ବାଟିକା ଫୁଲମୟ ହୋଇ ହସିଉଠିବା କଥା। ଚାରିଆଡ଼ ଫୁଲରେ ସଜେଇ ହୋଇଯିବା କଥା। ମାତ୍ର ଦୁଃଖର ବିଷୟ ଏବେ ଏଠାରେ ଗେଣ୍ଡୁ କି କୁସୁମ କଢ଼ଟିଏ ମଧ୍ୟ ଦେଖିବାକୁ ମିଳୁନି। ତେଣୁ ପର୍ଯ୍ୟଟନ ଋତୁରେ ଲୋକେ ପାର୍କ ଭ୍ରମଣ କରିବା ଅବସରରେ ଏଠାରେ ଫୁଲ ନଦେଖି ହତାଶ ହୋଇ ଫେରୁଛନ୍ତି। ଏଠାରେ କାମ କରୁଥିବା ୨/୩ ଜଣ କର୍ମଚାରୀଙ୍କ କହିବା କଥା ଗଛ ସବୁ ମରିଯାଇଛି। ନୂଆ ଗଛ ରୋପଣ ହେବ ବୋଲି ସେମାନେ ବେପରୁଆ ଢଙ୍ଗରେ କହିଛନ୍ତି। ତେବେ ଏ ନେଇ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ଆଡ୍ମିନ୍ଷ୍ଟ୍ରେଟିଭ୍ ଅଫିସରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନଥିଲା।
ଖତ ଖାଉଛି ବୋଟ୍, ଖୋଲୁନି କାଫେଟେରିଆ
ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏହାକୁ ପରିଚାଳନା କରୁଥିଲା। ୩୦ ମିନିଟ୍ ପାଇଁ ଦୁଇ ସିଟ୍ ବିଶିଷ୍ଟ ବୋଟ୍ ବାବଦରେ ୫୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ୪ ସିଟ୍ ବିଶିଷ୍ଟ ବୋଟ୍ ପାଇଁ ଶହେ ଟଙ୍କା ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ନ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଦର୍ଶକମାନେ ବୋଟିଂ ମଜା ନେଉଥିଲେ। କିନ୍ତୁ ବର୍ତ୍ତମାନ ବୋଟ୍ଗୁଡ଼ିକ ଖତ ଖାଉଛି। ବାଉଁଶବାଡ଼ ଘେରା ଭିତରେ ବୋଟ୍ଗୁଡ଼ିକ ଦୟନୀୟ ଅବସ୍ଥାରେ ପଡ଼ିଛି। ସେହିଭଳି ଏତେ ବଡ଼ ପାର୍କ ଭିତରେ ଗୋଟିଏ ‘କୋରାପୁଟ କଫି’ ଦୋକାନ ଖୋଲିଛି। ଗ୍ରାହକମାନେ ୧୫୦ ଟଙ୍କା ଦେଇ କୋଲ୍ଡ କଫି, ୫୦ ଟଙ୍କାରୁ ଅଧିକ ଦେଇ କଫି ପିଉଛନ୍ତି। ମାତ୍ର ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟର କାଫ୍ଟେରିଆ ନଥିବାରୁ ବହୁ ଦର୍ଶକ ନିରାଶ ହୋଇଫେରୁଛନ୍ତି।