୧୫ ଦିନ ପରେ ହକି ବିଶ୍ୱକପ୍‌ : ବିଗିଡ଼ିଗଲାଣି ରେଳଷ୍ଟେସନର ସୌନ୍ଦର୍ଯ୍ୟୀକରଣ

ବିଗିଡ଼ିଗଲାଣି ସୌନ୍ଦର୍ଯ୍ୟୀକରଣ

ସବୁ ଅଚଳ, ତିକ୍ତ ଅନୁଭୂତି ନେଇ ଫେରିବେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନେଶ୍ୱର। ସବୁଠି ସବୁଜିମାଭରା ପରିବେଶ। ରାସ୍ତାଘାଟଠାରୁ କାନ୍ଥ ପର୍ଯ୍ୟନ୍ତ ରଙ୍ଗ‌ରେ ରଙ୍ଗିନ ହେଉଛି। ରାସ୍ତାପାର୍ଶ୍ଵରେ ରାତି ଅଧରେ ଗଛ ପୋତା ଚାଲିଛି। ଦେଶ ବିଦେଶରୁ ଅସୁଥିବା ଦର୍ଶକଙ୍କୁ ନିଆରା ଅନୁଭୂତି ଦେବାକୁ ଡଟ୍‌ ଫେଷ୍ଟ, ପଥ ଉତ୍ସବ, ଭୂଫେଷ୍ଟ, ନାଇଟ୍‌ ବଜାର, ଫୁଡ୍‌ ଫେଷ୍ଟ୍‌ କରି ଏକାଧିକ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ଏତେ ସବୁ ଯୋଜନା ପରେ ନବବଧୂ ରୂପେ ସଜେଇ ହେଉଥିବା ସହରର ରେଳଷ୍ଟେସନ ଅବସ୍ଥା ଦେଖିଲେ ଯେ କେହି ବି ନାକ ଟେକିବ। ସହରରେ ପାଦ ଥାପିବା ପୂର୍ବରୁ ୧୦ଥର ଚିନ୍ତା କରିବ। ଷ୍ଟେସନରେ ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ, ସବୁଠି ଅବ୍ୟବସ୍ଥା। କେଉଁଠି ସାମାନ୍ୟତମ ମୌଳିକ ସୁବିଧା ଉପଲବ୍ଧ ନାହିଁ ତ ଆଉ କେଉଁଠି ସୁରକ୍ଷା ବ୍ୟବସ୍ଥା ଢିଲା। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ‘ୱାନ୍‌ ଷ୍ଟେସନ, ୱା‌ନ୍‌ ପ୍ରଡକ୍ଟ’ରେ ତାଲା। ଆଇଆରସିଟିସି ଦ୍ୱାରା ଷ୍ଟେସନ ସାରା ଲଗାଯାଇଥିବା ବିଶୁଦ୍ଧ ପାନୀୟ ଭେଣ୍ଡିଂ ମେସିନ୍‌ ମଧ୍ୟ ଅଚଳ। ଷ୍ଟେସନରେ ଥିବା ଡାକ ସେବା କାର୍ଯ୍ୟାଳୟ ଭିତରକୁ ପ୍ରବେଶ ନିଷେଧ ଲେଖାଯାଇଛି। ମାତ୍ର କବାଟ ଅବସ୍ଥା ଏଭଳି ହୋଇଛି ଯେ ଭିତରେ କ’ଣ ହେଉଛି ବାହାରେ ଦେଖାଯାଉଛି। ଯାତ୍ରୀଙ୍କୁ ପ୍ରବେଶ କରିବାର କୌଣସି ଆବଶ୍ୟକତା ହିଁ ନାହିଁ।
ରେଳ ଯାତ୍ରୀଙ୍କୁ ମିଳୁଥିବା ସେବା କଥା ଆହୁରି ଭୟଙ୍କର। ଆଇଆରସିଟିସି ପକ୍ଷରୁ ଖୋଲାଯାଇଥିବା ଜନ ଆହାର କେନ୍ଦ୍ରରେ ଅଚଳ ହୋଇପଡ଼ିଛି। ମଧ୍ୟାହ୍ନରେ ଖାଇବାକୁ ପାଉନାହାନ୍ତି ଯାତ୍ରୀ। ଏକ ନମ୍ବର ପ୍ଲାଟଫର୍ମରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଲାଗି ଉପଲବ୍ଧ ଲିଫ୍ଟ ଅଚଳ ହୋଇପଡ଼ିଛି ଏବଂ ଲେଖାଯାଇଛି ‘ଆଉଟ୍‌ ଅଫ୍‌ ଅର୍ଡର’। ୬ ନମ୍ବର ପ୍ଲାଟଫର୍ମରେ ମଧ୍ୟ ସମାନ ଅବସ୍ଥା। ଏଠାରେ ବି ଲିଫ୍ଟରେ ତାଲା ପଡ଼ିଛି। ଏକ ନମ୍ବର ପ୍ଲାଟଫର୍ମର ଏକ୍ସା‌ଲେଟର କାମ କରୁନାହିଁ। ଯାତ୍ରୀ ବିଶ୍ରାମାଗାର‌ରେ ଲଗାଯାଇଥିବା ଡିସ୍‌ପ୍ଲେ ବୋର୍ଡ ମଧ୍ୟ ଅଚଳ। ଯାତ୍ରୀଙ୍କୁ ଟ୍ରେନ୍‌ ବାବଦରେ କୌଣସି ସୂଚନା ମିଳିପାରୁନାହିଁ। ଷ୍ଟେସନ ପରିସର ପାନ ଛେପମୟ ହୋଇପଡ଼ିଛି। ଷ୍ଟେସନ ବାହାର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା। ଜଗିବାକୁ କେହି ନାହାନ୍ତି। ଆଜି ମଧ୍ୟାହ୍ନରେ ଯିବା ସମୟରେ ସେଠାରେ ଥିବା ଚେୟାର ଖାଲି ପଡ଼ିଥିଲା। କଟକ ରୋଡ୍‌ ପାର୍ଶ୍ଵରେ ଥିବା ପ୍ରବେଶ ପଥରେ ଥିବା ସ୍କାନର ମେସିନ୍‌ ଅଚଳ ହୋଇଥିବାରୁ ଯାତ୍ରୀଙ୍କ ଯାଞ୍ଚ ହେଉ ନାହିଁ। ବ୍ୟାଗ୍‌ ଯାଞ୍ଚ ଲାଗି ମଧ୍ୟ ରଖାଯାଇଥିବା ମେସିନ୍‌ ମଧ୍ୟ ଅଚଳ ହୋଇ ପଡ଼ିଛି। ଏଠାରେ ଓହ୍ଲାଉଥିବା ମହିଳା ଓ ଶିଶୁ ଯାତ୍ରୀଙ୍କ ସହାୟତା ଲାଗି ଓଡ଼ିଶା ପୁଲିସ ପକ୍ଷରୁ ଖୋଲାଯାଇଥିବା ‘ମହିଳା ଓ ଶିଶୁ ସହାୟତା କେନ୍ଦ୍ର’ରେ ତାଲା। କେନ୍ଦ୍ରରେ ସେବା ଯୋଗାଇବା ଲାଗି କେହି ବି କର୍ମଚାରୀ ନାହାନ୍ତି।
ପର୍ଯ୍ୟଟନ ସୂଚନା କେନ୍ଦ୍ରରେ ତାଲା
ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସୂଚନା ପ୍ରଦାନ ଲାଗି ଏକ ନମ୍ବର ଷ୍ଟେସନରେ ଖୋଲାଥିବା ପର୍ଯ୍ୟଟନ ସୂଚନା କେନ୍ଦ୍ରରେ ତାଲା ପଡ଼ିଛି। ବହୁ ଦିନ ହେଲା ତାଲା ପଡ଼ିଥିଲେ ମଧ୍ୟ ସେଥିପ୍ରତି କେହି ବି ଗୁରୁତ୍ବ ଦେଉ ନାହାନ୍ତି। ଏପରିକି ହକି ବିଶ୍ୱକପ୍‌ ଲାଗି ଏହାକୁ ଖୋଲାଯାଇ ନାହିଁ। ଷ୍ଟେସନର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ବିଶ୍ବକପ୍‌ ପୋଷ୍ଟର ଲାଗିଥିଲେ ମଧ୍ୟ ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ କୌଣସି ବି ସୂଚନା ଦେବାକୁ ଏଠାରେ ବ୍ୟବସ୍ଥା ନାହିଁ। ଏକ ନମ୍ବର ପ୍ଲାଟଫର୍ମରେ କୁକୁରଙ୍କ ରାଜୁତି ବି ଦେଖିବାକୁ ମିଳୁଛି। ଷ୍ଟେସନର ବିଭିନ୍ନ ସ୍ଥାନରେ ଓଦା ଓ ଶୁଖିଲା ଡ‌ଷ୍ଟବିନ୍‌ ରଖାଯାଇଛି। କେତେକ ସ୍ଥାନରେ ଓଦା ଡଷ୍ଟବିନ୍‌ରେ ପଲିଥିନ୍‌ ନ ଥିବାରୁ ତାହା ପରିବେଶକୁ ଦୂଷିତ କରୁଛି।

Share Now:

Kalinga News Beuro

Next Post

ଆସିଲା ପାୱେଲଙ୍କ ବ୍ୟ‌ବଚ୍ଛେଦ ରିପୋର୍ଟ : ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ

Wed Dec 28 , 2022
ରାୟଗଡ଼ା: ଓଡ଼ିଶା ବୁଲିବାକୁ ଆସି ରାୟଗଡ଼ାରେ ମୃତ୍ୟୁବରଣ କରିଥିଲେ ୨ଜଣ ରୁଷୀୟ ପର୍ଯ୍ୟଟକ। ଦୁହିଁଙ୍କ ମଧ୍ୟରୁ ଜଣକର ହୃଦଘାତରେ ମୃତ୍ୟୁହୋଇଥିବା ନେଇ ଜଣାପଡ଼ିଥିବା ବେଳେ ଆଜି ସାଂସଦ ପାୱେଲ୍ ଆନ୍ଥେଭଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ହାତକୁ ଆସିଛି। ହେଲେ ଆନ୍ଥେଭଙ୍କ ମୃତ୍ୟୁର କାରଣ କ’ଣ ଥିଲା, ସେ ବିଷୟରେ ପୁଲିସ କିଛି କହି ନାହିଁ। ତଦନ୍ତ ଦାଇତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ କହିଛି ଯେ, ଏହା ଏକ ଜାତୀୟ ସ୍ତରର ଘଟଣା। […]
ଆସିଲା ପାୱେଲଙ୍କ ବ୍ୟ‌ବଚ୍ଛେଦ ରିପୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial