୨୮ରୁ ଖଣ୍ଡଗିରି ମେଳା : ଜାରି ହେଲା ଏସ୍‌ଓପି

୨୮ରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର: ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଏମ୍‌ସି ଏକ ଏସ୍‌ଓପି ଜାରି କରିଛି। ଆୟୋଜକ କମିଟି ସହ ଯାତ୍ରା ମାଲିକମାନେ ଏହି ଏସ୍‌ଓପି ଆଧାରରେ ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଏମ୍‌ସିରେ ଆୟୋଜକ କମିଟି, ଯାତ୍ରା ମାଲିକ, ପୁଲିସ ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନଙ୍କୁ ନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତା‌ରେ ବସିଥିବା ପ୍ରସ୍ତୁତି ବୈଠକରେ ଏହି ଏସ୍‌ଓପି ଜାରି ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୮ ତାରିଖରୁ ୧୦ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ୩୦ତାରିଖରୁ ଅପେରା ଅନୁ‌ଷ୍ଠିତ ହେବ। ଦୁଇ ବର୍ଷ ବ୍ୟବଧାନ ପରେ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏଣୁ ପ୍ରବଳ ଜନସମାଗମ ଆଶା କରାଯାଉଛି। ଯାତ୍ରା ପାର୍ଟି ଉପରେ ବି ବିଏମ୍‌ସି ଏସ୍‌ଓପି ଜାରି କରିଛି। କୌଣସି ଯାତ୍ରା ପାର୍ଟି କାହାର ଭାବନାକୁ ଆ‌ଘାତ ଦେଲା ଭଳି ନାଟକ ନାମକରଣ କରିବେନାହିଁ। ସେହିଭଳି ଅଶ୍ଳୀଳତା କମ୍‌ କରିବାକୁ ମଧ୍ୟ ଏଥର ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଯାତ୍ରା ପାର୍ଟି ପେଣ୍ଡାଲ ଓ ଅନ୍ୟାନ୍ୟ ଜାଗାରେ ଯଥେଷ୍ଟ ପରିମା‌ଣର ସିସିଟିଭି ସଂସ୍ଥାପନ କରିବେ। ଯାତ୍ରା ପ୍ରଚାରରେ ଉଚ୍ଚଶବ୍ଦ ହେବନାହିଁ। ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ହେଲ୍ପ-ଡେସ୍କ ଖୋଲାଯିବା ସହ ଜଣେ ଅଫିସର୍‌ ୨୪ ଘଣ୍ଟିଆ ଡ୍ୟୁଟିରେ ରହିବେ।
ଯାତ୍ରା ପାର୍ଟି ଆୟୋଜକମାନେ ପେଣ୍ଡାଲ ନିକଟରେ ପାନୀୟ ଜଳ ଓ ଅସ୍ଥାୟୀ ଟଏଲେଟ୍‌ ଉପଲବ୍ଧ କରାଇବେ। ଆବର୍ଜନା ଅଲଗା ଅଲଗା ସଂଗ୍ରହ କରିବା ପାଇଁ ଦୁଇଟି ଲେଖାଏଁ ଡଷ୍ଟବିନ୍‌ ବ୍ୟବହାର କରିବେ। ସାଧାରଣ ଆବର୍ଜନା ସହ ଟଏଲେଟ୍‌ ଆବର୍ଜନାକୁ ବିଏମ୍‌ସି ସଂଗ୍ରହ କରିବ। ସେହିଭଳି ସୁରକ୍ଷା ଓ ଶୃଙ୍ଖଳାକୁ ଆଖି ଆଗରେ ରଖି ଯାତ୍ରାପାର୍ଟି ମାଲିକମାନେ ସୁରକ୍ଷା କର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ କରିବେ। ଟିକେଟ୍‌ କାଉଣ୍ଟରରେ ଯେଭଳି ଗହଳି ହେବ ନାହିଁ, ଲୋକମାନେ ଶୃଙ୍ଖଳାର ସହ ଟିକେଟ୍‌ କିଣିବେ, ତାହା ଉପରେ ଏହି ସୁରକ୍ଷା କର୍ମୀ ଓ ସ୍ୱେଚ୍ଛାସେବୀ ଧ୍ୟା‌ନ ଦେବେ। ପାର୍କିଂ ସମସ୍ୟା ଦୂର କରିବାକୁ ତିନିଟି ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ଦେୟ ଧାର୍ଯ୍ୟ ହେବ। ଧାର୍ଯ୍ୟ ଦେୟରୁ ଅଧିକା ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ କେଉଁ ଗାଡ଼ି ପାଇଁ କେତେ ଦର ରହିବ, ସେନେଇ ହୋର୍ଡିଂ ଜରିଆରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ। ବାହାରେ ବା ରାସ୍ତା କଡ଼ରେ ପାର୍କିଂ ହେଲେ ଗାଡ଼ି ଉଠାଇ ନିଆଯିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କଡ଼ାକଡ଼ି କରାଯାଇଛି। ଆୟୋଜକ କମିଟିର ପ୍ରତ୍ୟେକ ସଦସ୍ୟ, ସ୍ୱେଚ୍ଛାସେବୀ କୋଭିଡ୍‌ ଟିକାର ଉଭୟ ଡୋଜ୍‌ ନେଇଥିବା ବାଧ୍ୟତାମୂଳକ। ଏହାକୁ ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିସନର ନିଶ୍ଚିତ କରିବାକୁ କୁହାଯାଇଛି। ଯାତ୍ରାର ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ସାନିଟାଇଜର୍‌ ରଖିବାକୁ କୁହାଯାଇଛି। ଦର୍ଶକ ବସିବା ପାଇଁ ପଡ଼ିବାକୁ ଥିବା ଚଉକି ଉପଯୁକ୍ତ ବ୍ୟବଧାନରେ ପକାଇବା ପାଇଁ ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି। ପେଣ୍ଡାଲଗୁଡ଼ିକ ପାଇଁ ପୂର୍ତ୍ତ ବିଭାଗରୁ ମାଲିକମାନେ ନିରାପତ୍ତା ପ୍ରମାଣପତ୍ର ସଂଗ୍ରହ କରିବେ। ସେହିଭଳି ଅଗ୍ନି ନିରାପତ୍ତା ପାଇଁ ମଧ୍ୟ ପ୍ରମାଣପତ୍ର ସଂଗ୍ରହ କରିବେ। କୌଣସି ପ୍ରକାରର ଅଗ୍ନିକାଣ୍ଡ ପାଇଁ ମାଲିକମାନେ ଯଥେଷ୍ଟ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ କୁହାଯାଇଛି। ସେହିଭଳି ବିଦ୍ୟୁତ ସଂଯୋଗ ପାଇଁ ଟିପିସିଓଡିଏଲ୍‌ଠାରୁ ମାଲିକମାନେ ସ୍ୱୀକୃତି ନେବେ। ବାସି ଖାଦ୍ୟ ଉପରେ ଜୋର୍‌ଦାର ଚଢ଼ଉ ହେବା ପାଇଁ ଯୋଜନା ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତ୍ୟେକ ବ୍ୟବସାୟୀଙ୍କୁ ପଞ୍ଜୀକୃତ କରିବାକୁ ବାଧ୍ୟତାମୁଳକ କରାଯାଇଛି। ଶହେ ଟଙ୍କା ଦାଖଲ କରି ଏହି ମେଳା ସମୟରେ ବ୍ୟବସାୟ କରିବାକୁ ଚାହୁଥିବା ବ୍ୟବସାୟୀମାନେ ପଞ୍ଜୀକରଣ କରିବାକୁ କୁହାଯାଇଛି। ଗତଥର ଏଠାରେ ୩୮୫ ବ୍ୟବସାୟୀ ଥିଲେ। ଜାଗା କମ୍‌ ଥିବାରୁ ଏଥର ବ୍ୟବସାୟୀଙ୍କ ସଂଖ୍ୟା କମ୍‌ କରିବାକୁ ଯୋଜନା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ କମିସନର୍‌ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର୍‌ ବିନୟ ଦାସ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର ସପନ କୁମାର ନନ୍ଦ, ଏସିପି ରଜତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୧୯୦ ଗ୍ରାମ ବ୍ରାଉନସୁଗାର ଜବତ : ମାଫିଆ ଗିରଫ

Mon Jan 9 , 2023
ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ନାରାୟଣୀ ପୀଠରେ ଏସଟିଏଫ ଟିମ୍ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିବା ସହିତ ଏକ କେଜି ୧୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ଧଳାଜହର ବେପାର କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଛାମୁସାହିପାଟଣା ଗ୍ରାମର ହର ପ୍ରସାଦ ପୃଷ୍ଟିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଏସଟିଏଫ ଟିମ। ଭୁବନେଶ୍ୱରରୁ ଆସିଥିବା ଏହି ଟିମ୍ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଉପରେ କଡ଼ା […]
୧୯୦ ଗ୍ରାମ ବ୍ରାଉନସୁଗାର ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial