ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲାଇଲା ପୁଲିସ୍

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା

ହାଟଡ଼ିହି: ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ମହିଳା ଜଣକୁ ଗାଡ଼ିରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଧରି ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନଯାଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ରୋଚକ କଥା ହେଲା ଯେ, ପୀଡିତାଙ୍କୁ ପୁଲିସ ସୋସୋ ଥାନାରୁ ୨୮ କିମି ଦୂରରେ ଥିବା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ଆଇଆଇସିଙ୍କ କହିବା ଅନୁସାରେ ଘଟଣା ହାଟଡିହି ବ୍ଲକ ଅଧିନରେ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଏହି ବ୍ଲକ ଅଧିନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିବାକୁ ପରାମର୍ଶ ଦେଇ ପଠାଇ ଦେଇଥିଲେ। ଆନନ୍ଦପୁର ଠାରୁ ଶାଳଡିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୩୩ କିମି ଦୂର। ପୁଲିସ ଆନନ୍ଦପୁରଠାରୁ ପୀଡିତାଙ୍କୁ ନେଇ ଶାଳଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଯାଇଥିଲା। କିନ୍ତୁ ଶାଳଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ଥିବାରୁ ପୁଲିସ ପୁଣି ଥରେ ପୀଡିତାକୁ ଆନନ୍ଦପୁରକୁ ଫେରାଇ ନେଇଥିଲା। ମୋଟାମୋଟି ଭାବେ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ମୋଟ ୯୪କିମି ଯିବାକୁ ପଡ଼ିଥିଲା। ଏଥିରୁ ପୁଲିସ ଗାଡ଼ିରେ ୧୦ରୁ ଉର୍ଦ୍ଧ୍ୱ ଘଣ୍ଟା ଯାତ୍ରା କରିବାକୁ ପଡ଼ିଥିଲା। ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ପୀଡିତାଙ୍କୁ ପୁଲିସ ଗୁରୁବାର ସକାଳ ୯ଟାରୁ ନେଇଥିଲା। ଶେଷର ରାତି ୯ଟାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରୀମାଇନା ହୋଇଥିଲା। ସୂଚନାରୁ ଜଣାଯାଇଛି ଯେ ଗତ ବୁଧବାର ସନ୍ଧ୍ୟା ସମୟରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହେବାପରେ ସୋସୋ ଥାନା ପୁଲିସ ପୀଡିତା ମହିଳାଙ୍କୁ ଧରି ପ୍ରଥମେ ଥାନା ଠାରୁ ୨୮ କିଲୋମିଟର ଦୂର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଯିବା ଓ ସେଠାରୁ ପୁଣି ୩୩ କିଲୋମିଟର ଦୂର ଶାଳଣିଆଁ ଡାକ୍ତରଖାନାକୁ ଫେରିବା ଓ ସେଠାରେ ପୁଣି ଡାକ୍ତର ନଥିବାରୁ ପୁନର୍ବାର ଆନନ୍ଦପୁର ଡାକ୍ତରଖାନାକୁ ଯିବାକୁ ପଡ଼ିଛି। ପାଖାପାଖି ୧୨ଘଣ୍ଟା କାଳ ପୀଡିତା ମହିଳା ଜଣକ ଗାଡ଼ି ଭିତରେ ବସିରହିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ହୋଇଥିବାବେଳେ ସେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ନିଜ ମାଉଷୀଘର ‘ଉଚଡାହି’ ଗାଁକୁ ବୁଲିବାକୁ ଆସିଥିଲେ। ବୁଧବାର ସନ୍ଧ୍ୟାରେ ନିଜ ମାଉସୀ ପୁଅ ଭାଇ ସହ ଗୋହିରାବଣୀ ଯାଉଥିବା ସମୟରେ ଛକନିକଟରେ ଥିବା ଦୋକାନକୁ ଆସିଥିଲେ। ଏହି ସମୟରେ ଭାଇ ସେହି ସ୍ଥାନରୁ କୌଣସି କାମରେ ଅନ୍ୟତ୍ର ବାହାରି ଯାଇଥିଲେ। ଏତିକି ବେଳେ ଏକ ବାଇକ୍‌ରେ ଆସି ଦୁଇଜଣ ଯୁବକ ମହିଳାଙ୍କୁ ଡାକିଥିଲେ।‌ ସେମାନେ ମହିଳାଙ୍କୁ ତାଙ୍କ ମାଉଷୀଘରେ ଛାଡିଦେବାକୁ କହି ବାଇକ୍‌ରେ ବସାଇ ନେଇକି ଯାଇଥିଲେ। ବାଟରେ ଏକ ନିଛାଟିଆ ଆମ୍ବତୋଟା ନିକଟରେ ଯୁବକମାନେ ସଂପୃକ୍ତା ମହିଳାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ଏନେଇ ମହିଳା ଜଣକ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ନେଇଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି। ପୁଲିସ ମାମଲା ରୁଜୁକରି ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି।

Share Now:

Kalinga News Beuro

Next Post

ଉତ୍ତରପୂର୍ବାଞ୍ଚଳ ନିୟନ୍ତ୍ରଣ ରେଖାରେ ‘ପ୍ରଳୟ’ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା

Sat Jan 21 , 2023
ନୂଆଦିଲ୍ଲୀ: ଚୀନ୍‌ ସହିତ ଲାଗିରହିଥିବା ବିବାଦୀୟ ପରିସ୍ଥିତିରେ ଭାରତୀୟ ବାୟୁସେନା ଉତ୍ତରପୂର୍ବାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ‘ଏୟାର୍‌ ବେସ୍‌’ରେ ‘ପ୍ରଳୟ’ ସମରାଭ୍ୟାସ ଚଳାଇବ ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଡ୍ରୋନ୍‌ ସ୍କ୍ୱାର୍ଡ ପ୍ରତ୍ୟାହୃତ ହୋଇଥିବା ଉତ୍ତରପୂର୍ବାଞ୍ଚଳରେ ମଧ୍ୟ ଏହି ସମରାଭ୍ୟାସ ଚାଲିବ ବୋଲି ସେମାନେ ‌କହିଛନ୍ତି। ସୂଚନାଯୋଗ୍ୟ, ସିକିମ ଏବଂ ସିଲିଗୁଡ଼ି କରିଡର୍‌ ସେକ୍ଟର୍‌ ଅଞ୍ଚଳରେ ପ୍ରତିକୂଳ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ସାମର୍ଥ୍ୟ […]
‘ପ୍ରଳୟ’ ସମରାଭ୍ୟାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial