ଆଜି ଜାଗର: ମହାଦୀପ ଦର୍ଶନ ଉତ୍କଣ୍ଠାରେ ଭକ୍ତ, ଚଳଚଞ୍ଚଳ ସମଗ୍ର ଏକାମ୍ର ଶୈବପୀଠ

ଆଜି ଜାଗର

ପୁରୁଣା ଭୁବନେଶ୍ୱର : ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି। ରାତି ପାହିବା ମାତ୍ରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପିବ ଏକାମ୍ର କ୍ଷେତ୍ର। ମହାପ୍ରଭୁଙ୍କ ସମସ୍ତ ନୀତି ଠିକଣା ସମୟରେ ସଂପନ୍ନ ହେବା ପାଇଁ ପ୍ରଶାସନ ଓ ସେବାୟତମାନେ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛନ୍ତି। ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଏକାମ୍ର କ୍ଷେତ୍ରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯିବେ। ତେଣୁ ସିଟି ବସ୍‌ ସଂଖ୍ୟା ବଢ଼ାଇଦିଆଯାଇଛି। ସେହିଭଳି ଗାଡ଼ି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ବିଏମ୍‌ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ, ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ଓ ନୂତନ ମାର୍କେଟ୍‌ ନିକଟରେ ପାର୍କିଂ ସ୍ଥାନ ନିରୂପଣ କରାଯାଇଛି।
ଗର୍ଭଗୃହରେ ବିଶାଳ ଚାନ୍ଦୁଆ
ଶିବରାତ୍ରି ଉପ‌ଲକ୍ଷେ ମନ୍ଦିର ଗର୍ଭଗୃହରେ ଲାଗିଛି ଏକ ବିଶାଳ ଚାନ୍ଦୁଆ। ୨୨ଫୁଟ୍‌ ଚଡ଼ଡା, ୨୨ଫୁଟ୍‌ ଲମ୍ବ ବିଶିଷ୍ଟ ଏହି ଚାନ୍ଦୁଆକୁ ଜଣେ ଭକ୍ତ ଦାନ କରିଛନ୍ତି। ମନ୍ଦିର ପ୍ରଶାସନ ସହଯୋଗରେ ଏଏସ୍‌ଆଇ ପକ୍ଷରୁ ଏହାକୁ ଲଗାଯାଇଛି। ସେହିପରି ଗର୍ଭଗୃହକୁ ଏଏସ୍‌ଆଇ ପକ୍ଷରୁ ବଡ଼ ସୁନ୍ଦର ଭାବେ ରଙ୍ଗ କରାଯାଇଛି।
ମହାଦୀପ ନେବେ ୫ ସମର୍ଥା
ବିଧି ଅନୁସାରେ ମହାଦୀପକୁ ୫ଜଣ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ନେବେ ବୋଲି ସମର୍ଥା ନିଯୋଗ ପକ୍ଷରୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଜଣ ଯିବା ପାଇଁ କୁହାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ଜଣ ମନ୍ଦିର ଚୂଡ଼ାକୁ ଯିବେ ବୋଲି ସ୍ଥିର ହୋଇଛି। ସେମାନେ ହେଲେ ସମର୍ଥା ସେବାୟତ ଯୋଗେନ୍ଦ୍ର, ଲିଙ୍ଗା, ମିଟୁ, ମୋହନ ଓ ଦୀପୁ। ତେବେ ମହାଦୀପ ସହିତ କୌଣସି ସେବାୟତ ସେଲ୍‌ଫି ଉଠାଇପାରିବେ ନାହିଁ ବୋଲି କଟକଣା କରାଯାଇଛି। କେହି ଅମାନ୍ୟ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଚଳାଚଳ କରୁଛି ଅଧିକ ସିଟିବସ୍‌
ଶିବରାତ୍ରିରେ ଲିଙ୍ଗରାଜ ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହାକୁ ଆଖିରେ ରଖି ପୁରୁଣା ଭୁବନେଶ୍ୱରକୁ ଅଧିକ ଟାଉନ୍‌ ବସ୍‌ ଓ ସିଟି ବସ୍‌ ଚାଲିବା ଆରମ୍ଭ ହୋଇଛି। ସେହିପରି ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ପ୍ରଦାନ ଲାଗି ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଏକ ଟିମ୍‌ ନିୟୋଜିତ କରାଯାଇଛି। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଢ଼େଇବାଙ୍କ ଛକ, ହାଟ, ଥାନା ପରିସର, ଲିଙ୍ଗରାଜ ମାର୍କେଟ, ଇଲେକ୍‌ଟ୍ରିକ୍‌ ଅଫିସ୍‌ ଛକଠାରେ ପାଣିଟାଙ୍କି ରଖାଯାଇଛି।
ମହକୁଛି ବାଲୁଗାଁ କିଆ, କେତକୀ
ଜାଗର ଅବସରରେ ଶ୍ରଦ୍ଧାଳୁମାନେ ମହାଦେବ ଶିବଙ୍କ ପ୍ରିୟ କିଆ ଓ କେତକୀ ଫୁଲ ଲାଗିକରିବା ପରମ୍ପରା ରହିଆସିଛି। ତେଣୁ ଆଜି ରାତିରୁ ବାଲୁଗାଁରୁ ପ୍ରଚୁର କିଆ, କେତକୀ ଫୁଲ ଆସି ଗଦା ହୋଇଛି। ଏହି ଫୁଲ ଗୋଟାକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ଆସନ୍ତାକାଲି ମିଳିବା ନ ମିଳିବା ଆଶଙ୍କାରେ ଲୋକେ ଆଜିରାତିରୁ କିଆ ଫୁଲ କିଣି ନେଉଥିବା ଦେଖିବାକୁ ମିଳିଛି। ତେଣୁ ଚିଲିକା ଓ ବାଲୁଗାଁ ଅଞ୍ଚଳରୁ ଆସିଥିବା ୩୦ ଜଣ ଫୁଲ ବିକ୍ରେତାଙ୍କ ନିକଟରେ ଆଜି ରାତିରୁ ବେଶ୍ ଭିଡ଼ ଲାଗିରହିଥିଲା।
ଲାଗିଲା ବ୍ୟାରିକେଡ୍‌
ଜାଗର ଯାତ୍ରାରେ ଏକାମ୍ର କ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଆସିବାର ଥିବାରୁ ବିଏମ୍‌ସି ଓ ପ୍ରତ୍ନତତ୍ତ୍ୱ ବିଭାଗ ବ୍ୟାପକ ପ୍ରସ୍ତୁତି ଚଳାଇଛି। ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ କରାଯିବା ସହ ମୁକୁଳା ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା କରାଯାଇଛି। ସେହିଭଳି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନକୁ ପରିଷ୍କାର କରାଯାଇଛି। ଗର୍ଭଗୃହରୁ ପାଦୁକ ସଫେଇ ପାଇଁ ଏଏସ୍‌ଆଇ ୪୦ କର୍ମଚାରୀ ନିୟୋଜିତ କରିଛି। ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବନ୍ଧାଯାଇଛି। ଏଥିସହିତ ମନ୍ଦିର ବେଢ଼ା ଚାରିପଟେ ବ୍ୟାରିକେଡ୍‌ ଲଗାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ଖରାରୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ୍‌ ତଳେ କାର୍ପେଟ୍‌ ବିଛା ହେବା ସହ ଉପରେ ଛାମୁଣ୍ଡିଆ କରାଯାଇଛି।
ପତାକା ଚଢ଼ାଇଲେ ୨୫୦ ଟଙ୍କା
ପ୍ରତିବର୍ଷ ମହାଶିବରାତ୍ରିରେ ଶହଶହ ଭକ୍ତ ମନ୍ଦିର ଚୂଡ଼ାରେ ପତାକା ଚଢ଼ାଇବା ପରମ୍ପରା ରହିଆସିଛି। ତେବେ ଏବର୍ଷ ଏଥିପାଇଁ ପ୍ରଶାସନ ୨୫୦ ଟଙ୍କା ଫି’ ଧାର୍ଯ୍ୟ କରିଛି। ଶ୍ରଦ୍ଧାଳୁମାନେ ପତାକା ଚଢ଼ାଇବାକୁ ଚାହୁଁଥିଲେ ମନ୍ଦିର କାର୍ଯ୍ୟାଳୟରେ ପାଉଣା ଓ ପତାକା ଦାଖଲ କରିବେ। ଏହାକୁ ଅନ୍ୟ ଅପରିଚିତ ବ୍ୟକ୍ତିଙ୍କୁ ଦେଲେ ଠିକଣା ଜାଗାରେ ପହଞ୍ଚିପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ କେବଳ ସୂତା ଓ ନାଲି ରଙ୍ଗର ପତାକା ଦେବାକୁ ସମର୍ଥା ସେବାୟତମାନେ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ଜଗତପୁର ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ହତ୍ୟାକାରୀ କିନ୍ନର ଗିରଫ

Sat Feb 18 , 2023
କଟକ: ଜଗତପୁର ଟ୍ରକ୍‌ ଟର୍ମିନାଲରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଗୁମର ଖୋଲିଛି ପୁଲିସ୍। ଆଜି କଟକରେ ଏନେଇ କଟକ ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଧିକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣେ କିନ୍ନର। ଅଭିଯୁକ୍ତର ନାଁ ସୁମନ୍ତ କୁମାର ଜେନା ଓରଫ ପ୍ରିୟା। ମୃତ ମହିଳା କୁନି ସାହୁଙ୍କ ସହ ପୂର୍ବରୁ ପରିଚୟ ଥିଲା। ପୂର୍ବ ଶତ୍ରୁତାରୁ ସେ […]
ହତ୍ୟାକାରୀ କିନ୍ନର ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial