ବିକାଶରେ ବାଧକ ଇଡ୍‌କୋ-ବିଏମ୍‌ସି ସମନ୍ୱୟ

ବିକାଶରେ ବାଧକ ଇଡ୍‌କୋ-ବିଏମ୍‌ସି ସମନ୍ବୟ

ଭୁବନେଶ୍ୱର: ବିଏମ୍‌ସିର ୧୦ ନମ୍ବର ୱାର୍ଡ ଅଧୀନରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସମେତ ୧୩ଟି ବସ୍ତି ଓ ଭୋଟପଡ଼ା ରାଜସ୍ୱ ଗ୍ରାମ ରହିଛି। ଏହି ୱାର୍ଡରେ ଇଡ୍‌କୋ ଅଧୀନରେ ବହୁ ଅଞ୍ଚଳ ରହିଛି। ବି‌ଶେଷକରି ଇଡ୍‌କୋ ଅଞ୍ଚଳ ପରିଧି ଭିତରେ ବିଭିନ୍ନ ବହୁ ବସ୍ତି ରହିଛି। ତେଣୁ ବିଏମ୍‌ସି ଓ ଇଡ୍‌କୋ ବୁଝାମଣାରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ।। ମାତ୍ର ଏଠାରେ ବିଏମ୍‌ସି ଓ ଇଡ୍‌କୋ ମଧ୍ୟରେ ସମନ୍ୱୟ ନଥିବାରୁ ଆଖିଦୃଶିଆ ବିକାଶ ହୋଇପାରୁନି। ଇଡ୍‌କୋ ଅଧୀନରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଥିବାରୁ ଏଠାରେ ଅନେକ ସମସ୍ୟାର ସମାଧାନ ହୋଇପାରିନାହିଁ। ଶିଳ୍ପାଞ୍ଚଳ ଭିତରେ ପାର୍କ, ଗୋଷ୍ଠୀ କେନ୍ଦ୍ର, ଜିମ୍ନାସିୟମ୍‌ ଆଦି ନିର୍ମାଣ କରାଯାଇପାରୁ ନାହିଁ। ରାସ୍ତା ବି ଭଲ ନାହିଁ। ନିୟମିତ ବ୍ୟବଧାନରେ ମରାମତି କରାଯାଉନାହିଁ। କିଛି କିଛି ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବାରୁ ନିଛାଟିଆ ଅନ୍ଧାର ରାସ୍ତାରେ ଚଳପ୍ରଚଳ ହେବା ବିପଦପୂର୍ଣ୍ଣ ହୋଇପଡ଼ୁଛି। ତେବେ ଜଗନ୍ନାଥ କୁଷ୍ଠାଶ୍ରମ ବସ୍ତି, ତୁୟୁଘୁଟ୍‌ ବସ୍ତି, ଝରଣା ସାହି(କ), ଝରଣା ସାହି(ଖ), ପୁରୁଷୋତ୍ତମ ବସ୍ତି, ଗୋପବନ୍ଧୁ ବସ୍ତି ରାସ୍ତାରେ ପ୍ରାୟ ୮୦ହଜାର ବର୍ଗମିଟର ପେଭର୍‌ ବ୍ଲକ୍‌ ବିଛାଯାଇଛି। ଭୋଟପଡା ନ୍ୟୁ କଲୋନି ରାସ୍ତା, ଭୋଟପଡା ଗାଁରେ ଡ୍ରେନ୍‌ ନିର୍ମାଣ ହୋଇଛି ଏବଂ ଶିଳ୍ପାଞ୍ଚଳରେ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ହୋଇପାରିଛି। ହେଲେ ଆମିଷ ବେପାରୀଙ୍କ ପାଇଁ ସ୍ଥାୟୀ ସ୍ଥାନାଭାବ ସମସ୍ୟା ରହିଛି। ଶିଳ୍ପାଞ୍ଚଳ ଭିତରେ ଥିବା ବହୁ ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିନାହିଁ। ସ୍ଥାୟୀ ଭେଣ୍ଡିଂ ଜୋନ୍‌ ନାହିଁ। ଶିଳ୍ପାଞ୍ଚଳର ବର୍ଜ୍ୟ ‌ଡ୍ରେନ୍‌କୁ ଛାଡ଼ି ଦିଆଯାଉଛି। ସେହିଭଳି କର୍ମଜୀବୀ ମହିଳାଙ୍କ ପାଇଁ ଥିବା ହଷ୍ଟେଲ୍‌ର ପୁନରୁଦ୍ଧାର କରାଯାଉନାହିଁ। ଶିଳ୍ପାଞ୍ଚଳରେ ଏକ ଡାକ୍ତରଖାନା ଜରୁରୀ, ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟିଏ ନାହିଁ। ‌ଘୋର ଅବ୍ୟବସ୍ଥା ଭିତରେ ଚାଲିଛି ଶିଳ୍ପାଞ୍ଚଳ ସ୍କୁଲ।
ଇଡ୍‌କୋ ସହ ଆଲୋଚନା କରି ବିକାଶ କରାଯାଉଛି
ଚଳିତ ଥର ଇଡ୍‌କୋ ସହ ବିଏମ୍‌ସି ଆଲୋଚନା କରି କିଛି ବସ୍ତିରେ ଲୋକଙ୍କୁ ମୌଳିକ ସୁବିଧା ଦେବାରେ ସଫଳ ହୋଇପାରିଛି। ଶିଳ୍ପାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଇଡ୍‌କୋକୁ ପୁଣି ଚିଠି ବି କରାଯାଇଛି। ବର୍ଷା ପୂର୍ବରୁ ବିଭିନ୍ନ ବସ୍ତିରେ ଡ୍ରେନ୍‌ କାମ ଶେଷ ହେବ। ଯେଉଁ ବସ୍ତିଗୁଡ଼ିକରେ ରାସ୍ତା କାମ ହୋଇପାରିନି, ତା’ ମଧ୍ୟ ଖୁବ୍‌ ଶୀଘ୍ର ‌ଶେଷ ହେବ। ଭୋଟପଡ଼ା ଗ୍ରାମ ପୋଖରୀର ପୁନରୁଦ୍ଧାର, ଜଗିଂ ଟ୍ରାକ୍‌, ଖେଳପଡ଼ିଆର ଉନ୍ନତୀକରଣ, ଓପନ୍‌ ଜିମ୍‌ ଆଦି କରିବା ପାଇଁ ମଞ୍ଜୁରୀ ମିଳିଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।
ସେକ୍‌ ନୁରହାସନ୍‌, ‌କର୍ପୋରେଟର

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗ ବର୍ଦ୍ଧମାନ ରାଜପଥରେ ‘ବିଜେପି’ ନେତାଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

Sun Apr 2 , 2023
ବର୍ଦ୍ଧମାନ: ଶନିବାର ସନ୍ଧ୍ୟା ବେଳେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଶକ୍ତିଗଡ଼ରେ ଅଜ୍ଞାତ ବ୍ୟକ୍ତିମାନେ ‘ବିଜେପି’ ନେତା ରାଜୁ ଝା’ଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ରାଜୁ ଝା’ଙ୍କ ନାଁରେ ଅନେକ ମାମଲା ଥିଲା ଏବଂ ସେ ବେଆଇନ ଭାବେ କୋଇଲା ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଥିଲା। ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ‘ବିଜେପି’ରେ ଯୋଗ ଦେଇଥିଲେ। ଶନିବାର ସନ୍ଧ୍ୟା ବେଳେ […]
‘ବିଜେପି’ ନେତାଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial