ରାଜଧାନୀ ଭୁବନେଶ୍ୱରରୁ ୫୪ ଜଳାଶୟ ଚୋରି, ବାକି ୭୪ର ପୁନରୁଦ୍ଧାର ହେଉନି

୧୦୦ କୋଟିର ଯୋଜନା ବିଏମ୍‌ସିର ଅପାରଗତା ପାଇଁ ଫୁସ

ଭୁବନେଶ୍ୱର: କେଉଁଠି ପୋଖରୀ ପୋତି ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇଛି ତ କେଉଁଠି କ˚କ୍ରିଟ ଆବର୍ଜନାରେ ଜଳାଶୟ ପୋତି ହୋଇ ପାଦେ ପାଣି ଅଛି। ଆଉ କେଉଁଠି ଖାଲି ପଙ୍କ। ରାଜସ୍ଵ ନକ୍ସାରେ ଯେଉଁଠି ଜଳାଶୟ ଥିଲା, ଏବେ ସେଠାରେ ତା’ର ଚିହ୍ନବର୍ଣ୍ଣ ମିଳୁନି। ଏହିଭଳି ଭାବେ ରାଜଧାନୀରୁ ୫୪ଟି ଜଳାଶୟ ଉଭାନ୍‌ ବା ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର ବିଷୟ ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଜଳାଶୟର ଚିହ୍ନବର୍ଣ୍ଣ ମିଳୁନି। ରାଜଧାନୀରୁ ଜଳାଶୟ ଉଭାନ୍‌ ହୋଇଯାଉଥିବା ବେଳେ ଏହାକୁ ପୁନରୁଦ୍ଧାର କରିବା ପାଇଁ ନଗର ଉନ୍ନୟନ ବିଭାଗ କିଛି ଆଖିଦୃଶିଆ ପଦକ୍ଷେପ ନନେବା ସମସ୍ତଙ୍କୁ ଚକିତ କରିଛି। ଯେଉଁ ଜଳାଶୟଗୁଡ଼ିକ ପୁରୁଷ ପୁରୁଷ ଧରି ବିଭିନ୍ନ ଅଞ୍ଚଳର ପରିଚୟ ଥିଲା, ସେଥିରୁ ଅଧିକା˚ଶ ଏବେ ନିଶ୍ଚିହ୍ନ ହୋଇ ଯାଇଥିବା ବେଳେ ଆଉ କିଛି ଆସନ୍ତା କିଛି ବର୍ଷ ମଧ୍ୟରେ ଉଭାନ୍‌ ହୋଇଯିବା ସ୍ଥିତି ଉପୁଜିଲାଣି। ରାଜ୍ୟ ସରକାର ଏବେ ମନ୍ଦିର, ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା କରି ଚାଲିଥିବା ବେଳେ ଉଭାନ୍ ହୋଇଯାଉଥିବା ଐତିହ୍ୟ ପୁଷ୍କରିଣୀ ଓ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଯୋଜନା ନ କରିବା ସମସ୍ତଙ୍କୁ ଚକିତ କରିଛି। ରାଜଧାନୀରେ ଦିନକୁ ଦିନ ଜଳ ସଂକଟ ବଢ଼ି ଚାଲିଥିବା ବେଳେ ଜଳାଶୟ ଉଭାନ୍ ହେବା ଏହି କଷ୍ଟକୁ ଆହୁରି ବଢ଼ାଇ ଦେଉଛି।
ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଵ ନକ୍ସା ଅନୁଯାୟୀ, ରାଜଧାନୀରେ ୧୨୮ଟି ଜଳାଶୟ ରହିଛି। ହେଲେ ବର୍ତ୍ତମାନ ପୁନରୁଦ୍ଧାର ହେବା ସ୍ଥିତିରେ ୬୭ଟି ଅଛି। ବିଭିନ୍ନ ପୁଷ୍କରିଣୀର ପୁନରୁଦ୍ଧାର କରିବା ପାଇଁ ପ୍ରାୟ ୨ ବର୍ଷ ତଳେ ୧୦୦ କୋଟିର ଯୋଜନା ହୋଇଥିଲା। ଏହା ପରେ ବିଏମ୍‌ସିକୁ ଜଳାଶୟର ସ୍ଥିତି ଏବଂ କେଉଁ ଜଳାଶୟ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, ତା’ର ତାଲିକା ଦେବାକୁ କୁହାଯାଇଥିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ତାଲିକା ଦେଉନାହାନ୍ତି କି ଯୋଜନା କରୁନାହାନ୍ତି।
ଏନେଇ ବିଏମ୍‌ସିରେ ଯୋଗାଯୋଗ କରିବାରୁ ଜାଣିବାକୁ ମିଳିଛି ଯେ ୫ବର୍ଷ ତଳେ ଏକ ଘରୋଇ ସ˚ସ୍ଥା ମାଧ୍ୟମରେ ରାଜଧାନୀର ବିଭିନ୍ନ ଜଳାଶୟଗୁଡ଼ିକର ସର୍ଭେ ହୋଇଥିଲା। ଏଥିରୁ ଜଣାପଡ଼ିଥିଲା, ରାଜଧାନୀରେ ୧୨୮ଟି ଛୋଟ ଓ ବଡ଼ ଜଳାଶୟ ଜମି ଅଛି। ଦୁଇ ବର୍ଷ ତଳେ ୬୭ଟି ଯାକ ୱାର୍ଡର କର୍ପୋରେଟର୍‌ମାନଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ଜଳାଶୟର ରିପୋର୍ଟ ମଗା ଯାଇଥିଲା। ସେମାନଙ୍କ ତଥ୍ୟ ଭିତ୍ତିରେ ୭୪ଟି ଜଳାଶୟ ପୁନରୁଦ୍ଧାର ହୋଇପାରିବ। ତେଣୁ ଏହି ୭୪ଟି ଜଳାଶୟକୁ ୨୦୨୧ ସୁଦ୍ଧା ପୁନରୁଦ୍ଧାର କରିବାକୁ ୨୦୧୭ରେ ନିଷ୍ପତ୍ତି ହୋଇଥିଲା। ହେଲେ ଏବେ କର୍ପୋ‌ରେଟର୍‌ ନାହାନ୍ତି କି ବିଏମ୍‌ସିର ଯୋଜନା ବି ନାହିଁ।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅର୍ଥର ଅଭାବ, ଜବରଦଖଲ ସମସ୍ୟା ଯୋଗୁଁ ଏବେ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରିବା ସମ୍ଭବ ହେଉନି। ଏହାବାଦ୍‌ ସବୁ ଜଳାଶୟ ବିଏମ୍‌ସି ଅଧୀନରେ ନ ଥିବାରୁ ସେଗୁଡ଼ିକର ପୁନରୁଦ୍ଧାର କରାଯିବା ପୂର୍ବରୁ ବିଭିନ୍ନ ବିଭାଗର ଅନୁମତି ନେବାକୁ ପଡ଼ୁଛି। ଏହାଦ୍ୱାରା କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଛି। ଯେଉଁଗୁଡ଼ିକ ବିଏମ୍‌ସି ଅଧୀନରେ ଅଛି, ସେଗୁଡ଼ିକୁ ପୁନରୁଦ୍ଧାର କରାଯାଉଥିଲେ ହେଁ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ଏଗୁଡ଼ିକ ବି ଦଳ ଭର୍ତ୍ତି ହୋଇଯାଉଛି ନଚେତ୍ ଜବରଦଖଲକାରୀଙ୍କ କବ୍‌ଜାକୁ ପଳାଉଛି।
ଯେଉଁ ୭୪ଟି ‌ଜଳାଶୟକୁ ପୁନରୁଦ୍ଧାର କରିବାର ଥିଲା, ସେଥିରେ ପୋଖରୀରୁ ଦଳକୁ ସ˚ପୂର୍ଣ୍ଣ ସଫା କରାଯାଇଥାନ୍ତା। କେତେକ ପୋଖରୀରେ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ମାଛ ଛଡ଼ାଯିବା ସହ ବଡ଼ ପୋଖରୀରେ ନୌଚାଳନା ସୁବିଧା ରହିଥାନ୍ତା। ପୋଖରୀ ଚାରିକଡ଼ରେ ପ୍ରଶସ୍ତ ରାସ୍ତା, ଲୋକ ବସିବା ପାଇଁ ଷ୍ଟାଇଲିସ୍‌ ଚେୟାର, ପୋଖରୀ ଚାରିକଡ଼େ ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଯାଇଥାନ୍ତା, ଅର୍ଣ୍ଣାମେଣ୍ଟାଲ ଆଲୋକ, ଫୁଡ୍‌ କୋର୍ଟ, ଫାଉଣ୍ଟେନ୍‌ ଆଦି ରହିଥାନ୍ତା। ମର୍ଣ୍ଣିଂ ଵାକ୍‌ କରିବା ପାଇଁ ସ୍ୱତନ୍ତ୍ର କରିଡର୍‌ ବି ପ୍ରସ୍ତୁତ ହୋଇଥାନ୍ତା। ପୋଖରୀ ଯେପରି ସର୍ବଦା ସୁନ୍ଦର ଦେଖାଯିବ, ସେଥିପାଇଁ ନିୟମିତ ସଫେଇ କରାଯିବ ବୋଲି ଯୋଜନା ହୋଇଥିଲା। ହେଲେ ବିଏମ୍‌ସିର ଅପାରଗତା ପାଇଁ ବହୁ ପୋଖରୀ ପୋତି ହେବାକୁ ବସିଲାଣି।
ବିଏମ୍‌ସିର ବଡ଼ ଯୋଜନା କ’ଣ ଥିଲା
ଜଳାଶୟ ପୁନରୁଦ୍ଧାର ଯୋଜନାରେ ବିଏମ୍‌ସିର ଦୁଇଟି ବଡ଼ ଯୋଜନା କରିଥିଲା। ଏଥିରେ ବିନ୍ଦୁସାଗର ଓ ଏହା ଚାରିକଡ଼ରେ ଥିବା ଗୋଡ଼ି ପୋଖରୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗା ଯମୁନା, ଦେବୀ ପାଦହରା ପୋଖରୀକୁ ସ˚ଯୋଗ କରାଯାଇଥାନ୍ତା। ୬ଟି ଯାକ ପୋଖରୀକୁ ପାଇପ ଲାଇନ ମାଧ୍ୟମରେ ସ˚ଯୋଗ କରାଯାଇଥାନ୍ତା। ଦୟା ନଦୀ କିମ୍ବା ପୁରୀ କେନାଲରେ ଇନଟେକ୍‌ ୱେଲ କରି ପାଣି ଆଣି ବିନ୍ଦୁ ସାଗରରେ ପକାଯାଇଥା’ନ୍ତା। ବିନ୍ଦୁସାଗରରେ ଏବେ ଯେତିକି ପାଣି ରହୁଛି, ତାହା ଆବଶ୍ୟକତାଠାରୁ ପ୍ରାୟ ୨ଫୁଟ୍‌ କମ୍‌। ତେଣୁ ଏହି ପାଣି ମିଶିଲେ ଆଉଟଲେଟ୍‌ ଡ୍ରେନ୍‌ ସ୍ତରରେ ପାଣି ରହିବ। ଅପରିଷ୍କାର ପାଣି ନିଷ୍କାସନ ହୋଇପାରିବ। ଏଥିପାଇଁ ସ୍ୱତନ୍ତ୍ର ଇରେଟର ଲାଗିଥାନ୍ତା। ଯାହା ପାଣିକୁ ନିୟମିତ ବ୍ୟବଧାନରେ ବିଶୁଦ୍ଧ କରିବ। ସେହିପରି ବିନ୍ଦୁସାଗରରେ ପୂଜା ତର୍ପଣ କରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର କୁଣ୍ତ ରହିଥା’ନ୍ତା। ଏଥିରେ ଯାହା ଅପରିଷ୍କାର ଜିନିଷ ରହିବ ତାହାକୁ କାଢ଼ି ନୂଆ ପାଣି ମିଶାଯାଇଥାନ୍ତା। ହେଲେ ପୁରୁଣା ଭୁବନେଶ୍ୱରକୁ ରାଜ୍ୟ ସରକାର ଐତିହ୍ୟ ସହର କରିବା ପାଇଁ ଘୋଷଣା କରିବା ପରେ ବିନ୍ଦୁ ସାଗର ସମେତ ବାକି ପୁଷ୍କରିଣୀ ପାଇଁ ବଡ଼ ଯୋଜନା କରିଛନ୍ତି। ଫଳରେ ବିଏମ୍‌ସିର ଏହି ଯୋଜନା ଏବେ ଯୋଜନାରେ ରହିଯାଇଛି।
ସେହିପରି ଚିନ୍ତାମଣିଶ୍ୱରରେ ଥିବା ବଡ଼ପୋଖରୀକୁ ନୂଆ ରୂପ ଦିଆଯାଇଥାନ୍ତା। ଏହାର ଚାରିକଡେ଼ ପ୍ରାୟ ୧୦ଟି ଫୁଡ୍‌ କୋର୍ଟ, ଫୁଟପାଥ୍‌, ପ୍ରଶସ୍ତ ରାସ୍ତା କରାଯିବା ସହ ଏହି ପୋଖରୀରେ କୌଣସି ଧାର୍ମିକ ଭାବନା ନ ଥିବାରୁ ଏଥିରେ ବୋଟି˚ ବ୍ୟବସ୍ଥା ଆରମ୍ଭ ହୋଇଥାନ୍ତା। ଵାଟର ଗେମ୍‌ ବି ରହିଥାନ୍ତା। ଏହି ପୋଖରୀରେ ରଙ୍ଗ ବେରଙ୍ଗର ମାଛ ଛଡ଼ାଯିବା ସହ ପୋଖରୀ କଡ଼ରେ ଛୋଟ ପିଲାଙ୍କ ପାଇଁ ଖେଳ ସାମଗ୍ରୀ, ଛୋଟ ପାର୍କ କରିବାକୁ ଯୋଜନା ହୋଇଥିଲା। ବିଏମ୍‌ସି ଓ ବିଡିଏ ଏହାକୁ ମିଳିତ ଭାବେ କରିଥାନ୍ତେ। ହେଲେ ଏହା ଯୋଜନାରେ ରହିଯାଇଛି।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରର ଉପକଣ୍ଠରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର, ଏମ୍ସରେ ଭର୍ତ୍ତି

Mon Feb 24 , 2020
ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏକ ନରହନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଉପକଣ୍ଠରେ ଥିବା ପାତ୍ରପଡ଼ା ମେଡିସିନାଲ୍ ଗାର୍ଡ଼େନରେ ହାତୀକୁ ବନବିଭାଗ ଠାବ କରିଥିଲା । ଏଠାରେ ପୁଣି ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଛି। ସକାଳ ୫ ଟା ୩୦ ରେ ମହିଳାଙ୍କୁ ଆକ୍ରମଣ କରିଥିବାର ସୂଚନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial