ରାଜଧାନୀରେ ପୁଣି ବଢ଼ିଲାଣି ଅଳିଆ ଅଡ଼ୁଆ

ପୁଣି ବଢ଼ିଲାଣି ଅଳିଆ ଅଡ଼ୁଆ

ଭୁବନେଶ୍ୱର: ଅଳିଆକୁ ନେଇ ପୁଣି ବଢ଼ିଲାଣି ଅଡ଼ୁଆ। ଘାଣ୍ଟି ହେଲେଣି ସହରବାସୀ। କେଉଁଠି ଅଳିଆ ଉଠୁନି ତ’ କେଉଁ ଗଳିରୁ ଘର ଘର ବୁଲି ଆବର୍ଜନା ସଂଗ୍ରହ ହେଉନି। ରାସ୍ତାରୁ ଉଠାଇ କିଏ ଗଳି ମୁଣ୍ଡରେ ଗଦା କଲାଣି ତ’ କେଉଁଠି ମାସ ମାସ ଧରି ଅନାବନା ବୁଦା କଟା ହେଉନି। ବିଭିନ୍ନ ଜାଗାରୁ ଏବେ ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଥିବା ବେଳେ ମେୟର, କମିସନର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ମଝିରେ ମଝିରେ ଅଚାନକ କ୍ଷେତ୍ର ପରିଦର୍ଶନ କରି ଆବର୍ଜନା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗତ ଏକ ମାସ ମଧ୍ୟରେ ହୋଇଥିବା ଏହି ଚଢ଼ଉରେ ଅଳିଆ ଅଡ଼ୁଆ ବଢ଼ିଯାଇଥିବା ସାମ୍ନାକୁ ଆସିଛି। ଆବର୍ଜନା ଉଠୁନଥିବାରୁ ସଫେଇ କରୁଥିବା ସଂସ୍ଥା ଆୱାରଲ୍ୟାଣ୍ଡକୁ ୩ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା‌ ବେଳେ ଏହାର ତଦାରଖ ଦାୟିତ୍ବ ନେଇଥିବା ସାନିଟାରି ଇନ୍‌ସ୍‌ପେକ୍ଟରଙ୍କୁ କାରଣ ଦର୍ଶାଅ ‌ନୋଟିସ୍‌ ଜାରି କରାଯାଇଛି। ୧୦ ପ୍ୟାକେଜ୍‌ ବିଶି‌ଷ୍ଟ ସଫେଇ ଟେଣ୍ଡର ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏହାକୁ ବାତିଲ କରି ନୂଆ ଟେଣ୍ଡର ହେବାକୁ ଯୋଜନା ହୋଇଥିଲା।
ଅଳିଆ ଅଡ଼ୁଆ କମିବା ପରିବର୍ତ୍ତେ ବଢ଼ୁଥିଲେ ମଧ୍ୟ ଏହାକୁ ବାତିଲ କରାଯିବା ପାଇଁ ତତ୍ପରତା ପ୍ରକାଶ ପାଉ ନାହିଁ। ଏଣୁ ଏହି ଟେଣ୍ଡର ବାତିଲ ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଲାଣି। ବଡ଼କଥା ହେଉଛି ହାଇକୋର୍ଟ ମଂଜୁ ସର୍ଭିସ୍‌ର ଟେଣ୍ଡର୍‌ ରଦ୍ଦ କରିବା ପରେ ତା’ ଅଧୀନରେ ଭୁବନେଶ୍ବରରେ ଥିବା ୧୭ଟି ୱାର୍ଡର ସଫେଇ ପରିଚାଳନା ପାଇଁ ବିଏମ୍‌ସି ପୁଣି ଟେଣ୍ଡର୍‌ ଡାକିବାକୁ ଯାଉଛି। କିନ୍ତୁ ପୂର୍ବରୁ ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଣୁ ଏହି ଦୋଷଯୁକ୍ତ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିବା ସପକ୍ଷରେ ବିଏମ୍‌ସି ନାହିଁ ବୋଲି ଥୟ ହୋଇଛି। କର୍ପୋରେସନ ବୈଠକରେ ଏ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା। ତ୍ରୁଟିପୂର୍ଣ୍ଣ ଟେଣ୍ଡରକୁ ବାତିଲ କରି ନୂଆ ଟେଣ୍ଡର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହକି ଖେଳ ପାଇଁ ସହର ସୌନ୍ଦର୍ଯ୍ୟୀକରଣ କାମରେ ବିଏମ୍‌ସି ବ୍ୟସ୍ତ ଥିବା ଦର୍ଶାଇଥିଲା। ହକି ପରେ ପରେ ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମେୟର କମିସନର କର୍ପୋରେସନକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ହକି ଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ବି ଶେଷ ହେବାକୁ ବସିଲାଣି। ହେଲେ ସେ କଥା ଆଉ କେହି ଉଠାଉ ନାହାନ୍ତି। କର୍ପୋରେସନରେ ଏଥର ବିଜେଡି କର୍ପୋରେଟରଙ୍କ ସଂଖ୍ୟା ଗରିଷ୍ଠତା ରହିଛି। ମେୟର ବି ବିଜେଡିର। ଏଣୁ ବିରୋଧୀଙ୍କ ସ୍ବର କର୍ପୋରେସନ ବୈଠକରେ ଶୁଭେ ନାହିଁ। ବରଂ ବିଜେଡି କର୍ପୋରେଟର ନୃପେଶ ନାୟକ ଅନେକ ସମୟରେ ସାଧାରଣ ଲୋକଙ୍କ ପାଇଁ ସ୍ବର ଉଠାନ୍ତି। ଗତ ବୈଠକମାନଙ୍କରେ ଆବର୍ଜନାକୁ ନେଇ ସେ ସବୁଠାରୁ ଅଧିକ ପ୍ରଶ୍ନ ଉଠାଇବା ସହ ସହରକୁ ଆବର୍ଜନାମୁକ୍ତ କରିବାକୁ ପ୍ରସ୍ତାବମାନ ଦେଇଥିଲେ। କେତେକ ବିଜେଡି କର୍ପୋରେଟର ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ। କିନ୍ତୁ ଏକ ବୈଠକରେ ତାଙ୍କୁ କେତେକ କର୍ପୋରେଟର ଘେରି ଯାଇଥିଲେ। କେତେକ ତାଙ୍କ ଚଉକି ପାଖକୁ ମାଡ଼ି ଆସିଥିଲେ। ଆକ୍ରମଣ ଉଦ୍ୟମ ମଧ୍ୟ କରିଥିଲେ। ତାଙ୍କୁ ଚୁପ୍‌ କରିଦେବାକୁ ଉଦ୍ୟମ କରିଥିଲେ। ଫଳରେ ପରବର୍ତ୍ତୀ ବୈଠକରେ ତାଙ୍କ ସ୍ବର ମଧ୍ୟ ନରମି ଯାଇଥିଲା। ବଡ଼ କଥା ହେଉଛି ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡର ପଛରେ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧୀକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବାରୁ ଏଥିରେ କେହି ହାତ ମାରିବାକୁ ଚାହୁନାହାନ୍ତି। କିନ୍ତୁ ସହରବାସୀ ନିୟମିତ ଯନ୍ତ୍ରଣା ଭୋଗିବା ସହ ଅଧିକାରୀମାନେ ଚଢ଼ଉ ସମୟରେ ପରିମଳ ସ୍ଥିତି ବେହାଲ ଥିବା ପ୍ରମାଣ ମିଳୁଛି। ଘରୋଇ ସଂସ୍ଥାଙ୍କୁ ଗାଡ଼ି ଓ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦେଇ ବିଏମ୍‌ସି ସହରକୁ ପରିମଳ ଯନ୍ତ୍ରଣାରୁ ମୁକ୍ତ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇ ପାରିନଥିବାରୁ ଚିନ୍ତା ବଢ଼ିଛି।
ସୂଚନାଯୋଗ୍ୟ, ପୂର୍ବରୁ ଗୋଟିଏ ସଂସ୍ଥା ରାସ୍ତା ଓଳାଇବା, ବୁଦା କାଟିବା, ନଳା ସଫା କରିବା ଓ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଦାୟିତ୍ବ ନେଉଥିଲା। କିନ୍ତୁ ନୂଆ ପ୍ୟାକେଜ୍‌ ଟେଣ୍ଡର୍‌ରେ ଏହି ୪ଟି କାମ ପାଇଁ ୩ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଫଳରେ ସମନ୍ବୟ ଅଭାବ ଯୋଗୁଁ ଆବର୍ଜନା ଉଠି ପାରୁନାହିଁ। ପୂର୍ବରୁ ଓଜନ ଅନୁସାରେ ପଇସା ଦିଆଯାଉଥିବା ବେଳେ ଏଥର ‘ଲମ୍ପସମ୍‌’ ବ୍ୟବସ୍ଥା ରହିଛି।

Share Now:

Kalinga News Beuro

Next Post

ସୁଦାନରେ ସଂଘର୍ଷରତ ସୈନିକଙ୍କ ଗୁଳି ଚୋଟରେ ଭାରତୀୟ ମୃତ

Sun Apr 16 , 2023
ଖା‌ର୍‌ତୌମ୍‌: ସୁଦାନର ସେନା ଓ ପାରାମିଲିଟାରି ସୈନିକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଚାଲିଥିବା ବେଳେ ଗୋଟାଏ ଗୁଳି ବାଜି ଯିବାରୁ ସେଠାରେ ଚାକିରି କରୁଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଭାରତୀୟ ଦୂତାବାସ ସୂଚନା ଦେଇଛି। କିନ୍ତୁ, ଗୁଳିଟି ତାଙ୍କୁ ଲକ୍ଷ୍ୟ କରି ମରାଯାଇ ନ ଥିଲା। ହଠାତ୍‌ ଏମିତି ଆସି ତାଙ୍କ ଦେହରେ ବାଜି ଯାଇଥିଲା। ଟୁଇଟ୍‌ କରି ସୁଦାନସ୍ଥିତ ଭାରତୀୟ ଦୂତାବାସ କହିଛି ଯେ […]
ସୁଦାନରେ ଚାକିରି କରୁଥିବା ଭାରତୀୟ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial