ଶୀତଳଭଣ୍ଡାରରେ ୬ ଥାକିଆ ରାସ୍ତା, ନୌବିହାର ସ୍ୱପ୍ନ
ଭୁବନେଶ୍ୱର: ଦୟାୱେଷ୍ଟ୍ କେନାଲର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହୋଇଛି। କେତେବେଳେ ଏହାକୁ ସଫା କରି ନୌବିହାର ବ୍ୟବସ୍ଥା କରିବା ଯୋଜନା ହେଉଥିବା ବେଳେ ଏହାର ଉଭୟ ପାର୍ଶ୍ଵ ରାସ୍ତା ପ୍ରଶସ୍ତ ଯୋଜନା ହେଉଛି। ହେଲେ ଏ ସବୁ ସ୍ୱପ୍ନ ହୋଇ ରହିଛି। ଏଥିରେ ଲଗାତାର ଆବର୍ଜନା ଗଦା ହେଉଥିବାରୁ ପାଣି ବିଷାକ୍ତ ହୋଇଗଲାଣି। ଫଳରେ ଭୂତଳ ଜଳ ଏହା ଦ୍ୱାରା ଦୂଷିତ ହେଲାଣି। ଏହି ଅଞ୍ଚଳରେ ଥିବା କୂଅ ନଷ୍ଟ ହୋଇ ଯାଇଥିବା ବେଳେ ନଳକୂଅ ପାଣି ମଧ୍ୟ ଦୁର୍ଗନ୍ଧ ହେଲାଣି। ଏଣେ ବର୍ଷା ଦିନ ଆସୁଥିବାରୁ ଏହା ସଫା ନ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପାଇଥିବାରୁ ବିଏମ୍ସିକୁ ଏହି କେନାଲ ଚିନ୍ତା ଘାରିଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ଏହାକୁ ବିଏମ୍ସି ସଫା କରିପାରୁ ନାହିଁ। ସେଥିପାଇଁ ଜଳସମ୍ପଦ ବିଭାଗକୁ ଚିଠି ଲେଖି ଏହାକୁ ସଫା କରିବାକୁ ଅନୁରୋଧ କରିଛି। ଏହାକୁ ଯଦି ବିଭାଗ ସଫା ନ କରେ ତେବେ ବର୍ଷା ପୂର୍ବରୁ ବିଏମ୍ସି ସଫା କରିବ। ଏଥିରେ ହୋଇଥିବା ଖର୍ଚ୍ଚ ଜଳସମ୍ପଦ ବିଭାଗ ବହନ କରିବାକୁ ଅନୁରୋଧ କରିବ। ୬୦ ଦଶକରେ ରାଜଧାନୀ ଉପକଣ୍ଠରେ ଥିବା ଚାଷ ଜମିକୁ ଜଳସେଚିତ କରିବା ପାଇଁ ପୁରୀ କେନାଲର ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ୩୮କିମି ଦୈର୍ଘ୍ୟ ବିଶିଷ୍ଟ ଦୟାୱେଷ୍ଟ କେନାଲ ଖୋଳା ଯାଇଥିଲା। କ୍ରମଶଃ ଚାଷଜମି ଘରବାରିରେ ରୂପାନ୍ତରିତ ହେବାରୁ ଏହି କେନାଲ୍ ଅଦରକାରୀ ହୋଇପଡ଼ିଲା। ବର୍ଷା ସମୟରେ ବିଏମ୍ସି ଏହାକୁ ସହରର ବର୍ଜ୍ୟଜଳ ନିଷ୍କାସନରେ ବ୍ୟବହାର କଲା। ଅନ୍ୟଦିନମାନଙ୍କରେ ଏହା ଲୋକମାନଙ୍କର ଡମ୍ପିଂୟାର୍ଡ ଭାବେ ବ୍ୟବହାର ହେଲା।
ନିୟମିତ ସଫା ନ ହେବାରୁ ବର୍ଜ୍ୟଜଳ ନିଷ୍କାସନ ମଧ୍ୟ ବାଧାପ୍ରାପ୍ତ ହେଲା। ବର୍ଷା ଦିନେ ଭୁବନେଶ୍ୱର ନଳା ପାଣିରେ ଉବୁଟୁବୁ ହେଲା। ଏଭଳି ଦୁରବସ୍ଥା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ପ୍ରକାଶ ପାଇବାରୁ ପଳାଶୁଣୀରୁ ସାମନ୍ତରାପୁର ପର୍ଯ୍ୟନ୍ତ ଏହି କେନାଲକୁ ପ୍ରାୟ ୨୦ଫୁଟ ଗଭୀର କରି ବର୍ଷତମାମ୍ ସଫା ପାଣି ଛାଡ଼ିବା ସହ ନୌବିହାର ବ୍ୟବସ୍ଥା ପାଇଁ ଯୋଜନା ହେଲା। କେରଳର ଆଲ୍ଲପି ସହର ଓ ଏବେ ତାଳଦଣ୍ଡା କେନାଲ୍ରେ ଯେପରି ନୌବିହାର ହେଉଛି, ଠିକ୍ ସେହିଭଳି ଏଠାରେ ମଧ୍ୟ ଚିନ୍ତା କରାଯାଇଥିଲା। ବିଭିନ୍ନ କାରଣରୁ ଏହି ଯୋଜନା କିନ୍ତୁ ସ୍ୱପ୍ନରେ ରହିଗଲା। ଗତ ବର୍ଷ ଫେବୃଆରି ମାସରେ ପୂର୍ତ୍ତ ବିଭାଗ ଏହି କେନାଲ୍ ରାସ୍ତାର ଉନ୍ନତୀକରଣ ପାଇଁ ଯୋଜନା କଲା। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ୩୮ କିମି କେନାଲ ଓ ରାସ୍ତାର ଉନ୍ନତୀକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୭୧୮.୯ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ ହେଲା। ହ୍ୟୁମ୍-ପାଇପ୍ ଜରିଆରେ କେନାଲ ପାଣି ମାଟି ତଳେ ପରିଚାଳନା ହେବା ସହ କେନାଲ୍ ପରିଷ୍କାର କରିବା ଯୋଜନା ହୋଇଥିଲା। ରାସ୍ତା ପ୍ରଶସ୍ତୀକରଣ ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିବାରୁ ଉଭୟପାର୍ଶ୍ବରେ ଥିବା ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନର ସର୍ବେକ୍ଷଣ ହୋଇଥିଲା। ବିଡିଏ ଏକ ଘରୋଇ ଅନୁଷ୍ଠାନ ଜରିଆରେ ୧୩ ଦିନ କାଳ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ଡିପିଆର ପ୍ରସ୍ତୁତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଏହି ଯୋଜନା ମଧ୍ୟ ଶୀତଳ ଭଣ୍ଡାରରେ ରହିଗଲା।