ଚାକିରି କରାଇଦେବା ନାଁରେ ଠକେଇ : ଠକ ଗିରଫ

ଚାକିରି କରାଇଦେବା ନାଁରେ ଠକେଇ

ନକଲି ଲେଟରପ୍ୟାଡ୍‌, ଷ୍ଟାମ୍ପ ସମେତ ୮୦ ହଜାର ଟଙ୍କା ଜବତ

ଭୁବନେଶ୍ବର: ଟାଟା ପାୱାର୍‌ ସେଣ୍ଟ୍ରାଲ ଓଡ଼ିଶା ଡିସଟ୍ରିବ୍ୟୁସନ୍‌ ଲିମି‌ଟେଡ୍ (ଟିପିସିଓଡିଏଲ୍‌)ରେ ଚାକିରି କରାଇଦେବା ନାଁରେ ଶହଶହ ଆଶାୟୀଙ୍କୁ ଚୂନ ମାରିଥିବା ଏକ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ଟିପିସିଓଡିଏଲ୍‌ର ପୂର୍ବତନ କର୍ମଚାରୀ ଚନ୍ଦ୍ରଶେଖର ପ୍ରଧାନ (୨୭)। ପୁରୁଣା ଭୁବନେଶ୍ବରର ପୁନାମା ଗେଟ୍‌ ନିକଟ ଏକ ଭଡ଼ା ଘରୁ ପୁଲିସ୍‌ ତାକୁ ଉଠାଇ ଆଣିଛି। ତା’ ଘର କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ବୋଇଲୋ ଗ୍ରାମରେ। ପୁଲିସ୍‌ ତା’ଠାରୁ ୮ଟି ଜାଲ୍‌ ନିଯୁକ୍ତିପତ୍ର ଓ ୮୦ ହଜାର ଟଙ୍କା ଜବତ କରିଛି। ଅଫିସ୍‌ ସହାୟକ ପଦରେ ଚାକିରି କରାଇଦେବା ପାଇଁ ନିକଟ ଅତୀତରେ ସେ ୮ଜଣଙ୍କଠାରୁ ଏହି ଟଙ୍କା ଆଣିଥିଲା। ଜବତ ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିମାନଙ୍କୁ ଫେରାଇ ଦିଆଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ତେବେ ଖାଲି ଏହି ୮ଜଣ ନୁହଁନ୍ତି, ଆହୁରି ଅନେକଙ୍କୁ ସେ ଠକିଛି ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଅଫିସ୍‌ ସହାୟକ ପଦଠାରୁ ଆରମ୍ଭ କରି ଗ୍ରାହକ ସେବା କେନ୍ଦ୍ର, କଲ୍‌ ସେଣ୍ଟର୍‌ ଭଳି ଟିପିସିଓଡିଏଲ୍‌ର ବିଭିନ୍ନ ପଦରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଗରିବ ଓ ମଧ୍ୟବିତ୍ତ ପରିବାରର ବେକାର ଯୁବକ/ଯୁବତୀମାନଙ୍କୁ ଟାର୍ଗେଟ୍‌ କରୁଥିଲା। କାହାଠାରୁ ୮-୧୦ ହଜାର ମିଳିଗଲା ପରେ ଆଉ ଧରାଛୁଆଁ ଦେଉ ନଥିଲା। ତେବେ ଏତକ ଟଙ୍କା ପାଇଁ ପୁଲିସ୍‌ ମାମଲା ରୁଜୁ କରିବ ନାହିଁ ବୋଲି ଭାବି ଆଶାୟୀମାନେ ଥାନା ଦୁଆର ମାଡ଼ୁନଥିଲେ। ତେଣୁ ତା’ର ମୁହଁ ବଢ଼ି ଚାଲିଥିଲା।
ସୂଚନାନୁସାରେ, ଆଚାର୍ଯ୍ୟବିହାର ଅଞ୍ଚଳର ସତ୍ୟବ୍ରତ ପ୍ରଧାନ ଜଣେ ଏମ୍‌ବିଏ ଡିଗ୍ରିଧାରୀ। ଏଠାରେ ଭୋଇନଗରରେ ଭଡ଼ାରେ ରହନ୍ତି। ଚାକିରି ଖୋଜୁଥିବା ବେଳେ ଜଣେ ସାଙ୍ଗ ଜରିଆରେ ଚନ୍ଦ୍ରଶେଖର ସହ ତାଙ୍କର ପରିଚୟ ହୋଇଥିଲା। ଚନ୍ଦ୍ରଶେଖର ନିଜକୁ ଟାଟା ପାୱାର, ଭୁବନେଶ୍ବରର ଜଣେ କର୍ମଚାରୀ ବୋଲି କହିବା ସହ କମ୍ପାନିରେ ତାଙ୍କ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ସେ ସତ୍ୟବ୍ରତଙ୍କଠାରୁ ଗତ ମାର୍ଚ୍ଚ ୧୦ ତାରିଖରେ ୮ହଜାର ଟଙ୍କା ନେଇଥିଲା। କିଛି ଦିନ ପରେ ତାଙ୍କୁ ଏକ ଜାଲ୍‌ ନିଯୁକ୍ତିପତ୍ର ଧରାଇ ଦେଇଥିଲା। ନିଯୁକ୍ତିପତ୍ରରେ ଥିବା ଠିକଣାରେ ସତ୍ୟବ୍ରତ ପହଞ୍ଚିବା ପରେ ଅସଲ ଘଟଣା ପଦାକୁ ଆସିଥିଲା। ଉକ୍ତ ନିଯୁକ୍ତିପତ୍ରଟି ଜାଲ୍‌ ବୋଲି ସେ ଜାଣିବାକୁ ପାଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ଚନ୍ଦ୍ରଶେଖର ପୂର୍ବରୁ ଟାଟା ପାୱାରରେ ଚାକିରି କରୁଥି‌ଲା। ୫୦ ହଜାର ଟଙ୍କା ହେରଫେର୍‌ କରିବା ଅଭିଯୋଗରେ କମ୍ପାନିରୁ ବହିଷ୍କୃତ ହୋଇଥିଲା। ତା’ ପରଠାରୁ ଏପରି ଚାକିରି ଲୋଭ ଦେଖାଇ ଆଶାୟୀ ବେକାର ଯୁବକ/ଯୁବତୀଙ୍କୁ ଠକି ଆସୁଛି।

Share Now:

Kalinga News Beuro

Next Post

ରାଜ୍ୟରେ ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ : ୨୧ ଓ ୨୨ରେ କାଳବୈଶାଖୀ ବର୍ଷା

Tue Apr 18 , 2023
ଭୁବନେଶ୍ବର: ରାଜ୍ୟରେ ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରରେ ହିଟ୍ ୱେଭ୍ ରହିବ। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ […]
ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial