ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ : ଗୋଟିକର ବି କାମ ଆରମ୍ଭ ହେଉନି

ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ରାଜଧାନୀ ଭିତରେ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ୪ଟି ସ୍ଥାନରେ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ କିଛି ସ୍ଥାନ‌ରେ ଶିଳାନ୍ୟାସ ବି ହୋଇଛି। ମାତ୍ର ରାଜଧାନୀବାସୀଙ୍କ ତିନି ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ୪ଟିଯାକ ଫୁଟ୍‌ଓଭର ବ୍ରିଜ୍‌ରୁ ଗୋଟିକର ବି ନିର୍ମାଣ କାମ ଆରମ୍ଭ ହେଉନାହିଁ। ତେଣୁ ଘୋଷଣା କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି। ରାଜଧାନୀର ବ୍ୟସ୍ତବହୁଳ ଛକ ପଳାସୁଣି, ସତ୍‌ସଙ୍ଗବିହାର ଓ ନୂଆପଲ୍ଲୀ କ୍ରାଉନ୍‌ ହୋଟେଲ୍‌ ଏବଂ ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ ବୋଲି ଘୋଷଣା ହୋଇଛି। ପ୍ରାୟ ୩ବର୍ଷ ତଳୁ ପଳାସୁଣି, ସତ୍‌ସଙ୍ଗବିହାର ଛକ ଓ ନୂଆପଲ୍ଲୀରେ ଏହି ବ୍ରିଜ୍‌ ହେବ ବୋଲି ପ୍ରସ୍ତାବ ରହିଥିବା ବେଳେ ୬ମାସ ପୂର୍ବେ ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ‌ହେବ ବୋଲି ଘୋଷଣା କରାଯାଇଛି। କିନ୍ତୁ କେବେ କାମ ଆରମ୍ଭ ହେବ, କେବେ ସରିବ, ଏନେଇ ଏନ୍‌ଏଚ୍‌ଏଆଇ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏଣେ ଏସବୁ ବ୍ଲାକ୍‌ସ୍ପଟ୍‌ରେ ପୂର୍ବଭଳି ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି।
ସତ୍‌ସଙ୍ଗବିହାର
ଏଠାରେ ୬୦ ମିଟର ଲମ୍ବ, ୧୦ଫୁଟ୍‌ ଓସାରର ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ୨୦୨୧ ମସିହାରେ ଘୋଷଣା କରାଯାଇଥିଲା। ତିନିରୁ ଚାରି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ଘୋଷଣା ସେମିତି କାଗଜପତ୍ରରେ ରହିଯାଇଛି। ଫୁଟ୍‌ ଓଭରବ୍ରିଜ୍‌ ନଥିବା କାରଣରୁ ଭିଏସ୍‌ଏସ୍‌ନଗର ପାର୍ଶ୍ବରୁ ସହିଦନଗର ପାର୍ଶ୍ବକୁ ଆସୁଥିବା ଲୋକମାନେ ବିପଦସଙ୍କୁଳ ଭାବେ ଡିଭାଇଡର୍‌ ଡେଇଁ ବିପଜ୍ଜନକ ଭା‌ବେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଅଧିକାଂଶ ନାଇଟ୍‌-କୋଚ୍‌ ବସ୍ ବରମୁଣ୍ଡାରୁ ଫ୍ଲାଏଓଭର୍‌ ଉପରେ ଆସି ସତ୍‌ସଙ୍ଗ ନିକଟରେ ଯାତ୍ରୀ ଉଠାଉଛନ୍ତି। ତେଣୁ ଏଠାରେ ସଂଧ୍ୟା ପରେ ଅସମ୍ଭାଳ ଭିଡ଼ ହେଉଛି। ଏହାସହ ଭିଏସ୍‌ଏସ୍‌ନଗର ବାସିନ୍ଦା ଏବଂ ଏହି ପାର୍ଶ୍ବରେ ଥିବା ଆୟକର ଭବନ ଓ ‌ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କର ଯାତାୟାତରେ ସମସ୍ୟା ହେଉଛି। ଏଠାରେ ବାଣୀବିହାର ଫ୍ଲାଏଓଭର ବ୍ରିଜ୍‌ ଶେଷ ହୋଇଥିବାରୁ ବରମୁଣ୍ଡା ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ବ୍ରେକ୍‌ ମାରିଲେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।
ଭୟଙ୍କର ପଳାସୁଣି ଛକ
ସବୁଠୁ ଭୟଙ୍କର ହେଉଛି ପଳାସୁଣି ଛକ। ଏଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଦାବି କରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପୁରୁଷ, ମହିଳା, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍‌ଏଚ୍‌ଏଆଇକୁ ଚିଠି ଲେଖି ଜଣାଇଛନ୍ତି। ଏଠାରେ ପଳାସୁଣି ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ରସୁଲଗଡ଼, ମଞ୍ଚେଶ୍ୱର, ଚକେଇସିଆଣି, ଜିଜିପି କଲୋନି, ଭିଏସଏସ୍‌ ନଗରର ହଜାର ହଜାର ଲୋକ ଦୈନିକ ରାଜପଥ ପାର୍‌ ହେଉଛନ୍ତି। ବିପଦପୂର୍ଣ୍ଣ ଭାବେ ଜାତୀୟ ରାଜପଥ ପାର୍‌ ହୋଇ ଏପଟ ସେପଟକୁ ହେଉଛନ୍ତି ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଦୁଇବର୍ଷ ଭିତରେ ଏଠାରେ ୭ରୁ ଅଧିକ ଲୋକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହେଲାଣି। ଏହି ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ବହୁଥର ମାପଚୁପ ହେଲାଣି। ଏହି ଓଭରବ୍ରିଜ୍‌ରେ ଦୁଇଟି ଲିଫ୍ଟ ରହିବ ଏବଂ ଲିଫ୍ଟ ପରିଚାଳନା ପାଇଁ ଦୁଇ ଜଣ ଅପରେଟରଙ୍କୁ ନିଯୁକ୍ତ ମିଳିବ ବୋଲି ବହୁ ବଡ଼ବଡ଼ କଥା କୁହାଯାଇଥିଲା। କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କ କହିବା କଥା, ସେସବୁ କେବଳ ଭୁଆଁ ବୁଲାଇବା କଥା। ଦିବାସ୍ବପ୍ନ ଦେଖାଇ ଲୋକଙ୍କୁ ଭଣ୍ଡାଇ ଦିଆଯାଇଛି।
କ୍ରାଉନ୍‌ ହୋଟେଲ
ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ଗ୍ରହଣ କରି କ୍ରାଉନ୍‌ ହୋଟେଲ ନିକଟରେ ଏ‌କ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ନିଜେ ଘଟଣାସ୍ଥଳକୁ ଦୁଇ ଦୁଇଥର ପରିଦର୍ଶନ ବି କରିଥିଲେ। ଏହା ଦୁର୍ଘଟଣାପ୍ରବଣ ଅଞ୍ଚଳ ହେତୁ ତୁରନ୍ତ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଆବଶ୍ୟକ ବୋଲି ଚିଠିରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏନ୍‌ଏଚ୍‌ଏଆଇ ଏଠାରେ ଫୁଟ୍‌ ଓଭରବ୍ରିଜ୍‌ କରିବ ବୋଲି ଘୋଷଣା କରିଥିଲା। ହେଲେ ପଳାସୁଣି ଓ ସତ୍‌ସଙ୍ଗବିହାର ଛକ ଭଳି ଏଠାରେ ମଧ୍ୟ କାମ ଆରମ୍ଭ ହୋଇନାହିଁ।
ପାତ୍ରପଡ଼ା ସ୍ମୃତିବନ
ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ଗତ ଡିସେମ୍ବରରେ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ୨କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଫୁଟ୍‌ ଓଭରବ୍ରିଜ୍‌ ୬ ମାସ ଅର୍ଥାତ୍‌ ମେ’ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଠାରେ ମଧ୍ୟ ଶିଳାନ୍ୟାସ କରିଥିଲେ। ତେଣୁ ଫୁଟ୍‌ ଓଭରବ୍ରିଜ୍‌କୁ ନେଇ ପାତ୍ରପଡ଼ା ସମେତ କଳିଙ୍ଗନଗର, ଭଗବାନପୁର ଓ ଉଦୟଗିରି ବିହାରବାସୀ ଖୁସି ବ୍ୟକ୍ତ କରିଥିଲେ। ହେଲେ କାମ ଆରମ୍ଭ ହେଉ ନଥିବାରୁ ସେମାନଙ୍କ ଖୁସି ପାଣିରେ ମିଳେଇଗଲା ବୋଲି ଆଲୋଚନା ହେଉଛି।

Share Now:

Kalinga News Beuro

Next Post

ମୋଦୀଙ୍କୁ ସାକ୍ଷାତ କଲେ ନବୀନ : ପୁରୀ ବିମାନବନ୍ଦର ପାଇଁ ଆଲୋଚନା

Thu May 11 , 2023
ନୂଆଦିଲ୍ଲୀ: ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି। ତେଣୁ ପୁରୀରେ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ଆଲୋଚନା କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ସକାରାତ୍ମକ […]
ମୋଦୀଙ୍କୁ ସାକ୍ଷାତ କଲେ ନବୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial