ଗଛ ପକାଇ ରାସ୍ତା ଅବରୋଧ କଲେ ନକ୍ସଲ : ମାରିଲେ ବ୍ୟାନର ଓ ପୋଷ୍ଟର

ରାସ୍ତା ଅବରୋଧ କଲେ ନକ୍ସଲ

ରାୟଗଡା: ଗତ ଶୁକ୍ରବାର ଦିନ ମାଓବାଦୀମାନେ ଏକ ଅଡିଓ ଟେପ ଜାରି କରି ୧୫ ତାରିଖ ଦିନ ୭ଟି ଜିଲ୍ଲାକୁ ବନ୍ଦ ଡାକରା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ନକ୍ସଲଙ୍କ ପକ୍ଷରୁ ସାତଟି ଜିଲ୍ଲାରେ ପୋଷ୍ଟର ଏବଂ ବ୍ୟାନର ମାରି ବନ୍ଦ ପାଳନ କରିବାକୁ ଆହ୍ବାନ କରିଥିଲେ। ତେବେ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ନକ୍ସଲଙ୍କର ବନ୍ଦ ଡାକରାର ପ୍ରଭାବ ରହିଥିବାବେଳେ ଅନ୍ୟ ସ୍ଥାନଗୁଡିକରେ ଏହା ପ୍ରଭାବଶୂନ୍ୟ ରହିଥିଲା। ତେବେ ଆଜି ବନ୍ଦ ଡାକରା ଯୋଗୁଁ ନକ୍ସଲ ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର ନିକଟସ୍ଥ ପାତାଲଗୁଡି ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ଏପରିକି ବିଭିନ୍ନ ଗ୍ରାମରେ ମଧ୍ୟ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ବନ୍ଦକୁ ସଫଳ କରିବାକୁ ଆହ୍ବାନ କରିଥିଲେ। ୧୨ ଦଫା ଦାବି ନେଇ ନକ୍ସଲ ଏହି ବନ୍ଦ ଡାକରା ଦେଇଥିଲେ। ରାୟଗଡା ଜିଲ୍ଲା ସମେତ ଗଞ୍ଜାମ, ବୌଦ୍ଧ,କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ନୟାଗଡ ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି। ମରାଯାଇଥିବା ବ୍ୟାନର ଓ ପୋଷ୍ଟରରେ ନକ୍ସଲ ଗରିବ ଆଦିବାସୀ ଓ ଚାଷୀମୂଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରିବା, ପ୍ରତ୍ୟେକ ଗାଁକୁ ରାସ୍ତା ନିର୍ମାଣ କରିବା, ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଇ ଦେବା, ପ୍ରତି ପଞ୍ଚାୟତରେ ମେଡିକାଲ ନିର୍ମାଣ ସହ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା, ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପିଲା କମ୍ ଦର୍ଶାଇ ବନ୍ଦ କରାଯାଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବା, ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା, ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩ ହଜାର ଟଙ୍କା ବୃତ୍ତି ସହ ମାଗଣାରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିବା,ଏମଜିଏନଆରଜିଏରେ ୨୦୦ ଦିନ କାମ ଯୋଗାଇ ଦେବା, ଦିନକୁ ମଜୁରି ୬ ଶହ ଟଙ୍କା କରିବା, ସିଆଳି ପତ୍ର ଓ କେନ୍ଦୁପତ୍ରରେ ଜିଏସଟି ଉଚ୍ଛେଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା, କୋଇଲା ଲୁଟ କରୁଥିବା ବହୁମୁଖୀ କମ୍ପାନୀଙ୍କ ଲିଜ ବାତିଲ କରିବା, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ଦାବିକୁ ତୁରନ୍ତ ମାନିବା ଭଳି ଦାବି ରହିଛି।
ତେବେ ମାଓବାଦୀଙ୍କର ଏହି ମୌଳିକ ଦାବିକୁ ନେଇ ଲୋକେ ଯେତିକି ଖୁସି ରହିଛନ୍ତି ରାସ୍ତା ଅବରୋଧ ପରେ ସେତେ ଭୟଭୀତ ହୋଇଛନ୍ତି। ଜିଲ୍ଲାରେ ଆଜି ସରକାରୀ ବସ ଚଳାଚଳ ବନ୍ଦ ରହିଥିଲା। ଜିଲ୍ଲାର କୌଣସି ସ୍ଥାନକୁ ଏବଂ ବାହାର ଜିଲ୍ଲାକୁ କୌଣସି ସରକାରୀ ଗାଡି ଚାଲୁନଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ବହୁ ଯାତ୍ରୀ ହଇରାଣ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଏହି ସାତୋଟି ଜିଲ୍ଲାରେ ପୁଣି ନକ୍ସଲ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ପୁଲିସ ତରଫରୁ ଘଟଣା ସ୍ଥଳେ କଡା ସୁରକ୍ଷାରେ ପହଞ୍ଚି ଗଛକୁ ରାସ୍ତାରୁ ହଟାଇଥିବା ଜଣାପଡିଛି। ସିଆରପିଏଫ, ଡିଭିଏଫ ଏବଂ ଏସଓଜି ଯବାନ ନକ୍ସଲ ପ୍ରବଣ ଅଞ୍ଚଳରେ କୁମ୍ବିଂକୁ ଜୋରଦାର କରୁଛନ୍ତି। ସୀମାକୁ ସିଲ କରିବା ସହ ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ନଜର ରଖିଥିବା କୁହାଯାଇଛି।

Share Now:

Kalinga News Beuro

Next Post

ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ପାଇଁ ପାକିସ୍ତାନ ସଂସଦରେ ଦାବି

Mon May 15 , 2023
ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର ସମର୍ଥକମାନେ ସୁପ୍ରିମ୍ କୋର୍ଟରେ ପହଞ୍ଚି ଘେରାଉ କରିଛନ୍ତି। ବିକ୍ଷୋଭକାରୀଙ୍କ ମଧ୍ୟରେ ପିଡିଏମର ଅଂଶ ଜମିୟତ ଉଲେମା-ଏ-ଇସଲାମ ଫଜଲର ସମର୍ଥକ ଅଛନ୍ତି।ଇମ୍ରାନଙ୍କୁ ଜାମିନ ମିଳିବା ପରେ […]
ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ପାଇଁ ପାକିସ୍ତାନ ସଂସଦରେ ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial