୨ଥର ପ୍ରିଲିମିନାରୀ ପରୀକ୍ଷା ପାସ୍ କରିନଥିଲେ
ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ବେଳେ ଈଶିତା କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ତେବେ ସାରା ଭାରତରେ ୧ନମ୍ବର ସ୍ଥାନରେ ଥିବା ଈଶିତା କୌଣସି କୋଚିଂ ନନେଇ ଏହି ସଫଳତା ହାସଲ କରିଥିବା ଜଣାପଡ଼ିଛି। ବିନା କୋଚିଂରେ ସେ ଘରେ ରହି ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି କହିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି ବୋଲି ଆଶା ଥିଲା, ହେଲେ ଟପର ହେବି ବୋଲି ମୁଁ କେବେ ବି ଭାବିନଥିଲି ବୋଲି ଈଶିତା ପ୍ରକାଶ କରିଛନ୍ତି।
ଈଶିତାଙ୍କ ଶିକ୍ଷାଗତ କ୍ୟାରିୟର ଦେଖିବାକୁ ଗଲେ ସେ ଆରମ୍ଭରୁ ଜଣେ ଭଲ ଛାତ୍ରୀ ଥିଲେ। ତାଙ୍କ ବାପା ବାୟୁସେନାରେ ଅଫିସର ଥିବାରୁ ସେ ମଧ୍ୟ ବଡ଼ ହୋଇ ଦେଶର ସେବା କରିପାରୁଥିବା ଭଳି ଚାକିରି କରିବେ ବୋଲି ସ୍ବପ୍ନ ଦେଖିଥିଲେ। ଈଶିତା ଏବେ ନିଜ ପରିବାର ସହିତ ଗ୍ରେଟର ନୋଏଡାରେ ରହୁଥିବା ବେଳେ ସେ ୨୦୧୪ରେ ବାଲ ଭାରତୀରୁ ଦ୍ବାଦଶ ପାସ କରିଥିଲେ। ଏହା ପରେ ୨୦୧୭ରେ ଶ୍ରୀରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତି ଅନର୍ସ ସହିତ ସ୍ନାତକ ହାସଲ କରିଥିଲେ। ୟୁପିଏସସି ପରୀକ୍ଷାରେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ପୂର୍ବରୁ ସେ ୨ଥର ପ୍ରୟାସ କରିଥିଲେ ବି ପ୍ରିଲିମିନାରୀ ପରୀକ୍ଷା ପାସ୍ କରିପାରି ନଥିଲେ। ହେଲେ ତୃତୀୟ ପ୍ରୟାସରେ ସେ ୟୁପିଏସସି ପରୀକ୍ଷାରେ ୩ଟି ପର୍ଯ୍ୟାୟ (ୟୁପିଏସସି ପ୍ରିଲିମ୍, ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାର) ପାସ୍ କରି ଟପର ହୋଇପାରିଛନ୍ତି। କେବଳ ଘରେ ପାଠ ପଢ଼ି ସେ ଏହି ସଫଳତା ହାସଲ କରିଛନ୍ତି।