ନେତାଜୀ ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ ହୋଇଛି : ଅମିତ ଶାହ

ନେତାଜୀ ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ ହୋଇଛି

ପୋର୍ଟ ବ୍ଲେୟାର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୋର୍ଟ ବ୍ଲେୟାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି ଯେ, ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଆମେ ଯେତିକି ଗୁରୁତ୍ବ ଦେବା କଥା ଦେଇନାହୁଁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ବି ଅନ୍ୟାୟ ହୋଇଛି। ଶାହ କହିଲେ ଯେ, ନେତାଜୀ ସୁଭାଷ ଓ ସର୍ଦ୍ଦାର ପଟେଲଙ୍କ ପରି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ବାଧୀନତା ପ୍ରାପ୍ତି ପରେ ଯଥାସମ୍ମାନ ଦିଆଯାଇ ନାହିଁ। ଦେଶ ପ୍ରତି ସେମାନଙ୍କ ଅବଦାନକୁ କମ୍ କରି ଦେଖାଇବାକୁ ଚେଷ୍ଟା କରାଯାଇଛି। ସ୍ବାଧୀନତା ଆନ୍ଦୋଳନ ଇତିହାସର ଧୃବତାରା ନେତାଜୀଙ୍କୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ଦିଆଯାଇ ନାହିଁ। ଅନେକ ଖ୍ୟାତନାମା ସ୍ବାଧୀନତା ସଂଗ୍ରାମୀଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦେବା ଲାଗି ସମୟ ଆସିଛି। ଯେଉଁମାନେ ଦେଶ ପାଇଁ ଆତ୍ମବଳି ଦେଇଛନ୍ତି, ସେମାନଙ୍କୁ ଇତିହାସରେ ଯଥୋପଯୁକ୍ତ ସ୍ଥାନ ଦିଆଯିବା ଉଚିତ।
ସେଥିପାଇଁ ନେତାଜୀଙ୍କ ନାମରେ ଏହି ଦ୍ବୀପର ନୂତନ ନାମ ରଖିବା ଲାଗି ପ୍ର‌ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ ବୋଲି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉନ୍ମୋଚନ ଅବସରରେ ଅମିତ ଶାହ କହିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ତିନିଦିନିଆ ଗସ୍ତରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଆସିଛନ୍ତି। ଶନିବାର ସେ ୨୯୯ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ୬୪୩ କୋଟି ଟଙ୍କା ମୂଲ୍ୟର ୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶନିବାର ଉଦ୍‌ଘାଟିତ ଏକ ପୋଲର ନାମ ‘ଆଜାଦ ହିନ୍ଦ୍ ଫୌଜ ବ୍ରିଜ୍’ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଶାହ କହିଥିଲେ। ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଦ୍ବୀପର ନାମ ଥିଲା ରୋଜ୍ ଆଇଲାଣ୍ଡ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ଦ୍ବୀପର ନାମ ରଖାଯାଇଛି ନେତାଜୀ ସୁଭାଷଚନ୍ଦ୍ର ବୋଷ ଆଇଲାଣ୍ଡ। ଏହି ଦ୍ବୀପରେ ନେତାଜୀ ପ୍ରଥମ କରି ସ୍ବାଧୀନତାର ଝଣ୍ଡା ଉଡ଼ାଇଥିଲେ। ଆଗାମୀ ଦିନରେ ଏହି ଦ୍ବୀପର ଆହୁରି ଉନ୍ନତି କରାଯିବ ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ପାଇଁ ଏକ ବିରାଟ ସ୍ମାରକ ଭବନ ନିର୍ମାଣ କରାଯିବ ବୋଲି ଶାହ କହିଥିଲେ।

Share Now:

Kalinga News Beuro

Next Post

ପ୍ରସ୍ତାବ ଓ ପ୍ରତିଶୃତିରେ ରହିଯିବ କି ବଇଁଚୁଆ ହାଇ ଲେଭେଲ୍‌ ବ୍ରିଜ୍‌ ?

Mon Oct 18 , 2021
ବାଲିଅନ୍ତା: ୨୦୦୮ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କଲାବେଳେ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଏହା ଭିତରେ ବିତିଗଲାଣି ୮ ବ‌ର୍ଷ। ସେହିଭଳି ବିଧାୟକ ଓ ସାଂସଦ ମଧ୍ୟ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶୃତି ଦେଲେ। ପୁଣି ବିତିଗଲାଣି ଦୁଇ ବର୍ଷ। ଏମିତି ବର୍ଷ ପରେ ବର୍ଷ ବିତିଯାଉଛି, ଅଥଚ ବ୍ରିଜ୍‌ ନିର୍ମାଣ ପାଇଁ ପାହୁଲାଟିଏ ଅନୁଦାନ ମିଳିପାରିଲା ନାହିଁ। ତେଣୁ ବ୍ରିଜ୍‌ ନିର୍ମାଣ […]
ବଇଁଚୁଆ ହାଇ ଲେଭେଲ୍‌ ବ୍ରିଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial