ବିଏମ୍‌ସିରେ ଆଉ ୩ ଗୋଟି ନୂଆ ଜୋନକୁ ସରକାରୀ ସ୍ୱୀକୃତି

୬ ଜୋନ୍‌ ବିଶିଷ୍ଟ ହେବ ବିଏମ୍‌ସି

ଭୁବନେଶ୍ୱର : ପଞ୍ଚାୟତରୁ ଗାଁକୁ ଆଣି ବିଏମ୍‌ସିରେ ମିଶାଇଦେଲେ। ହେଲେ ସେବା ଯୋଗାଇ ପାରିଲେନି। କେଉଁଠି ଅଳିଆ ଉଠୁନି, କେଉଁଠି ଲାଇଟ୍‌ ଜଳୁନି। କାହା ପାଇଁ ଡ୍ରେନ୍‌ ସ୍ଵପ୍ନ। କିଏ କହିଲାଣି, ‘ପଞ୍ଚାୟତରେ ଭଲ ଥିଲୁ ଆମକୁ ପଞ୍ଚାୟତକୁ ଫେରାଇ ନିଅ।’ ବିଏମ୍‌ସି ବି କିଂକର୍ତ୍ତବ୍ୟବିମୁଢ଼। ୬୭ ୱାର୍ଡ ପାଇଁ ଯେଉଁଠି ୬୭ ୱାର୍ଡ ଅଫିସର ନାହାନ୍ତି ସେଠାରେ ସେବା କ’ଣ ଯୋଗାଇବେ? ତେବେ ଏ ସବୁ ସମସ୍ୟା ସମାଧାନ ହେବା ନେଇ ଆଶା ପ୍ରକାଶ ପାଇଛି। ଆଉ ତିନିଟି ଜୋନ୍‌ ବଢ଼ାଇବା ପାଇଁ ବା ମୋଟ ୬ଟି ଜୋନ୍‌ କରିବା ପାଇଁ ବିଏମ୍‌ସି ଦେଇଥିବା ପ୍ରସ୍ତାବକୁ ସରକାରୀ ସ୍ୱୀକୃତି ମିଳିଛି। ଏହା ପରେ ନୂଆ ତିନିଟି କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦ ମଞ୍ଜୁର କରିବା ପାଇଁ ବିଏମ୍‌ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛି। ଖୁବ୍‌ଶୀଘ୍ର ଏହି ପଦ ସବୁ ମଞ୍ଜୁରି ପାଇବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୧୧ ମସିହା ଜନଗଣନା ଅନୁସାରେ, ଭୁବନେଶ୍ୱରରେ ୮ଲକ୍ଷ ୪୭ହଜାର ଜନସଂଖ୍ୟା ରହିଥିବା ବେଳେ ଏବେ ଏହା ୧୫ଲକ୍ଷ ଅତିକ୍ରମ କରିଛି। କିନ୍ତୁ ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ୨୦୧୧ ମସିହା ଜନଗଣନା ଆଧାରରେ ହୋଇଛି। ଗତ ନିର୍ବାଚନ ପୂର୍ବରୁ ଯେଉଁ ଗାଁ ସବୁ ମିଶିଛି, ସେଥିରେ ଜନସଂଖ୍ୟା ୩୦ ହଜାରରୁ ଊର୍ଦ୍ଧ୍ବ ରହିଛି। ୮ ହଜାରରୁ ୧୦ ହଜାର ମଧ୍ୟରେ ଜନସଂଖ୍ୟା ହେଲେ ନିୟମ ଅନୁସାରେ ତାହା ଗୋଟିଏ ୱାର୍ଡର ମାନ୍ୟତା ପାଇବା କଥା। ଏଣୁ ବିଏମ୍‌ସିରେ ଆଉ ୪ଟି ୱାର୍ଡ ବଢ଼ିବା କଥା। ହେଲେ ୱାର୍ଡ ବଢ଼ାଯାଇନାହିଁ। ୩୦ ହଜାର ଲୋକଙ୍କୁ ସେହି ୬୭ ୱାର୍ଡରେ ହିଁ ରଖାଯାଇଛି। ଏଣୁ ସେବା ଯୋଗାଇବାରେ ବିଏମ୍‌ସି ବିଫଳ ହୋଇଛି।
ନୂଆ ସାମିଲ ଗାଁ’ର ବିକାଶ ପାଇଁ ସମ୍ଭାବନା
ୱାର୍ଡ ନଂ ୨ରେ କଳାରାହାଙ୍ଗ ଓ ପଦ୍ମକେଶରୀପୁର ସାମିଲ ହୋଇଛନ୍ତି। ପୂର୍ବରୁ ଏମାନେ ପଞ୍ଚାୟତ ଅଞ୍ଚଳରେ ଥିଲେ। ବିଏମ୍‌ସିରେ ସାମିଲ ହେବା ପରେ ଏମାନେ ଖୁସି ହୋଇଥିଲେ। ହାତପାହାନ୍ତାରେ ମୌଳିକ ସେବା ମିଳିବା ସହ ଭିତ୍ତିଭୂମିରେ ଉନ୍ନତି ହେବ। ଘରୁ ଘରୁ ଆବର୍ଜନା ସଂଗ୍ରହ ହେବ। ରାତାରାତି ରାସ୍ତା ସଫା ହୋଇଯିବ। କଚ୍ଚା ରାସ୍ତା ରହିବ ନାହିଁ। ଗରିବ ଲୋକଙ୍କୁ ବିଭିନ୍ନ ସହରାଞ୍ଚଳ ହାଉସିଂ ପ୍ରୋଜେକ୍ଟରେ ଘର ସୁବିଧା ମିଳିବ। ହେଲେ ଏ ସବୁ ସ୍ବପ୍ନ ହୋଇ ରହିଛି। କେବେ ଏମାନେ ବିଏମ୍‌ସିର ସେବା ପାଇ‌ବେ, ଚାତକ ପରି ଚାହିଁ ରହିଛନ୍ତି।
ସବୁଠାରୁ ସମସ୍ୟା ହୋଇଛି, ୨୨ ନମ୍ବର ୱାର୍ଡରେ। ୱାର୍ଡରେ ପାଇକରାପୁରକୁ ମିଶାଇ ଦିଆଯାଇଛି। ହେଲେ ଏହି ଗାଁରୁ ଆବର୍ଜନା ଉଠୁନାହିଁ। ଓଭରହେଡ୍‌ ଟାଙ୍କି କାମ କରୁ ନଥିବାରୁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ମୋ’ ବସ୍‌ ଏହି ଗାଁ ମାଟି ମାଡ଼ିନି। ଖୋଲା ପଡ଼ିଆରେ ଶବଦାହ ହେଉଛି। ହେଲେ ବିଏମ୍‌ସି ଅଞ୍ଚଳର ବିଭିନ୍ନ ଜାଗାରେ ଅତ୍ୟାଧୁନିକ ଶ୍ମଶାନ ହେଉଛି। ଶହ ଶହ ହିତାଧିକାରୀ ଭତ୍ତା ପାଇଁ ଚାହିଁ ବସିଥିବା ବେଳେ ବିଏମ୍‌ସି ଭ୍ରୂକ୍ଷେପ କରୁନି। ପଶୁ ଡାକ୍ତରଖାନା ବି ନାହିଁ। ଏ ନେଇ ସେମାନେ ବାରମ୍ବାର ଅଭିଯୋଗପତ୍ର ଦେଇ ଆସୁଛନ୍ତି। ବିଏମ୍‌ସିରେ ସାମିଲ ହୋଇ ଏକଦା ଖୁସିରେ ଆତ୍ମହରା ହୋଇପଡ଼ିଥିବା ଏହି ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ‘ଆମକୁ ପଞ୍ଚାୟତକୁ ଫେରାଇନିଅ’ ବୋଲି କହିଛନ୍ତି। ବିଏମ୍‌ସିରେ ସାମିଲ ହୋଇଥିବା ୫ଟି ରାଜସ୍ବ ଗ୍ରାମ ମଧ୍ୟରୁ ପାତ୍ରପଡ଼ା, ଭଗବାନପୁର, ଶଙ୍କରପୁର ଅଳ୍ପେବହୁତେ ବିଏମ୍‌ସି ସେବା ମିଳୁଥିବା ବେଳେ କଳାରାହାଙ୍ଗ ଓ ପାଇକରାପୁରବାସୀ ବିଏମ୍‌ସିରେ ସାମିଲ ହେବା ଅଭିଶାପ ବୋଲି ଭାବୁଛନ୍ତି। ତେବେ ସବୁ ଅଞ୍ଚଳରେ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ଆଉ ତିନିଟି ଜୋନ୍‌ ଅଫିସ୍‌ ପ୍ରସ୍ତୁତ ହେଲେ ପ୍ରତ୍ୟେକ ଅଞ୍ଚଳରେ ଶତପ୍ରତିଶତ ସେବା ସୁନିଶ୍ଚିତ ହେବ। ତେବେ ସରକାର ଯେତେଶୀଘ୍ର ଅଧିକାରୀ ଓ କର୍ମଚାରୀ ପଦ ମଞ୍ଜୁର କରିବେ ସେତେଶୀଘ୍ର ଏହା ସମ୍ଭବ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଏବେ ବିଏମ୍‌ସିରେ ତିନିଟି ଜୋନ୍‌ ରହିଛି। ଉତ୍ତର ଜୋନ୍‌ରେ ୨୧ଟି ୱାର୍ଡ ରହିଥିବା ବେଳେ ଦକ୍ଷିଣ ପୂର୍ବରେ ୨୫ଟି ଓ ଦକ୍ଷିଣ ପଶ୍ଚିମ ଜୋନ୍‌ ଅଧୀନରେ ୨୧ଟି ୱାର୍ଡ ରହିଛି।

Share Now:

Kalinga News Beuro

Next Post

ଶିଖରଚଣ୍ଡୀ ଜୈବବିବିଧତା ନଷ୍ଟ ପ୍ରସଙ୍ଗ : ମା’ଙ୍କ ୨୧୨ ଏକର ଜମି ଫେରାଅ

Mon Jun 19 , 2023
ଉନ୍ନତୀକରଣ ପ୍ରକଳ୍ପକୁ ବିରୋଧ ପାଇଁ ସଜବାଜ ଗ୍ରାମବାସୀ ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ପ୍ରତିବାଦ ଘନେଇବା‌ରେ ଲାଗିଛି। ପାହାଡ଼ ଉପରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ଉପରେ ଏନ୍‌ଜିଟି ସ୍ଥଗିତାଦେଶ ଜାରି ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କ ଦ୍ୱାରା ଗଠିତ ୪ଜଣିଆ ତଦନ୍ତକାରୀ କମିଟି ଆସନ୍ତା ୨୪ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଦିନ ଧାର୍ଯ୍ୟ […]
ଶିଖରଚଣ୍ଡୀ ଜୈବବିବିଧତା ନଷ୍ଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial