ଓଡ଼ିଶାରେ ପରିବା ସଙ୍କଟ : ଦର ଆକାଶ ଛୁଆଁ

ପରିବା ଦର ଆକାଶ ଛୁଆଁ

ଭୁବନେଶ୍ଵର: ରାଜଧାନୀ ଏକନମ୍ବର ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାରେ ପରିବା ସଙ୍କଟ ସୃଷ୍ଟି ହୋଇଛି। ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ, ୧୨୦, କ୍ୟାପସିକମ୍ କିଲୋ ୧୫୦, ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ ୯୦ ଭେଣ୍ଡି କିଲୋ ୮୦ ଓ ସାରୁ କିଲୋ ୫୦ ଟଙ୍କା ଦର ରହିଛି। ଏଣେ କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା ଦାମ୍ ରହିଛି। ଏନେଇ ପରିବା ବ୍ୟବସାୟୀଙ୍କ ମତ ହେଲା ଓଡ଼ିଶାରେ ଆଉ ପରିବା ଚାଷ କମୁଛି। ତେଣୁ ପ୍ରାୟ ପରିବା ଦର ବୃଦ୍ଧି ହୋଇଛି। ବେଙ୍ଗାଲୁରୁ, ଆନ୍ଧ୍ରା, କଲିକତା, ନାସିକ, ରାୟପୁରରୁ ଓଡ଼ିଶା ପରିବା ଆମଦାନୀ କରୁଛି। ତେଣୁ ଦରବୃଦ୍ଧି ହୋଇଛି। ଆଉ ୧ ମାସ ଭିତରେ ଦର କମିବ ବୋଲି ବ୍ୟବସାୟୀ କହୁଛନ୍ତି।
ସୂଚନାଯୋଗ୍ୟ ଯେ ଜଟଣୀ ଓ ଭୁବନେଶ୍ଵର ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। ସାଧାରଣତଃ ଏହି ଦୁଇ ବଜାରକୁ ବାଙ୍କୀ, ଆଠଗଡ଼, ବାରଙ୍ଗ, ବାଲିଅନ୍ତା, ବାଲିପାଟଣା, ବଳଙ୍ଗା, ପିପିଲି, ଡେଲାଙ୍ଗ, ବଳଙ୍ଗା, ତେଇଶପୁର, କଣ୍ଟି, ସିକୋ, ରଣପୁର, କଳାପଥର, ବୈ‌‌ଦେଶ୍ଵର, ନୟାଗଡ଼ ଆଦି ଅଞ୍ଚଳରୁ ପରିବା ଆସିଥାଏ। ଏମିତିକି ଏଠାକୁ ଗଞ୍ଜାମରୁ ମଧ୍ୟ କିଛି ପରିବା ଆସିଥାଏ। କିନ୍ତୁ ଏବେ ଏହି ଅଞ୍ଚଳର ଚାଷୀମାନେ ଖରିଫ୍ ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ବହୁ ପରିବା କିଆରୀ ଧାନ ଚାଷ ପାଇଁ ପ୍ରସ୍ତୁତ ହେଲାଣି। ତେଣୁ ରବି ଋତୁରୁ ହୋଇଥିବା ପରିବା ଚାଷ ଶେଷ ହୋଇଯାଇଛି। ଫଳରେ ଅମଳ ପୂରା ନାହିଁ କହିଲେ ଭୁଲ ହେବ ନାହିଁ। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଏହି ଅଞ୍ଚଳର ଚାଷୀମାନେ ଏବେ ଢ଼ିପ ଜମି ଦେଖି ପରିବା ଚାଷ କରିବେ। ତେଣୁ ବାଇଗଣ, ଭେଣ୍ଡି, ଜହ୍ନି ଭଳି ପରିବା ଅମଳ ହେବାକୁ ଆହୁରି ମା‌ସକରୁ ଅଧିକ ସମୟ ଲାଗିବ। ତେଣୁ ଏବେ ଲୋକାଲ ପରିବା ନଥିବାରୁ ସବୁ ପରିବା ବାହାରୁ ଆମଦାନି ହେଉଛି। କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ‌ଢେଙ୍କାନାଳ ଭଳି ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ଉପରେ ଭରସା କରିବାକୁ ପଡ଼ୁଛି। ଏମିତିକି କୋଲକାତା, ଆନ୍ଧ୍ରପ୍ରଦେଶ ପରିବା ବି ଆବଶ୍ୟକତା ମେଣ୍ଟାଉଛି। ସେତେବେଳେ ସ୍ଥାନୀୟ ପରିବା ଉପଲବ୍‌ଧ ଥିବାରୁ ବାହାର ପରିବାର ଚାହିଦା କମ ଥିଲା। ତେଣୁ ଦର ସ୍ୱାଭାବିକ ଥିଲା। କିନ୍ତୁ ଏବେ ସ୍ଥାନୀୟ ଚାଷୀଙ୍କ ହାତ ଖାଲି ହୋଇଯାଇଥିବାରୁ ବାହାର ପରିବାର ଚାହିଦା ବଢ଼ିଛି ଏବଂ ସ୍ୱାଭାବିକ ଭାବେ ବଜାରରେ ଚାହିଦା ବୃଦ୍ଧି ଦରବୃଦ୍ଧିକୁ ଡାକି ଆଣିଛି।

Share Now:

Kalinga News Beuro

Next Post

କଲମା ବ୍ୟାରେଜରୁ ପାଣି ଛାଡିଲା ଛତିଶଗଡ଼: ହୀରାକୁଦର ଜଳସ୍ତର ବୃଦ୍ଧି

Fri Jun 30 , 2023
ଭୁବନେଶ୍ୱର: ଛତିଶଗଡ଼ କଲମା ବ୍ୟାରେଜ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି, ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି।ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ […]
ହୀରାକୁଦର ଜଳସ୍ତର ବୃଦ୍ଧି-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial