ନୂଆଦିଲ୍ଲୀ : କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡ଼ିକରେ ନିବେଶ କରୁଥିବା ନାଗରିକଙ୍କୁ ସରକାର ଖୁସି ଖବର ଆଣିଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସ ପାଇଁ ସରକାର କେତେକ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସରକାର ୨ ବର୍ଷିଆ ଡାକଘର ଜମା ଉପରେ ୦.୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିବା ବେଳେ ୫ ବର୍ଷର ରିକରିଂ ଡିପୋଜିଟ୍ ଉପରେ ୦.୩୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସ ପାଇଁ ସରକାର ଏହି ବୃଦ୍ଧି କରିଛନ୍ତି।
ତେବେ ପିପିଏଫ (ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ), ଜାତୀୟ ସଞ୍ଚୟ ପ୍ରମାଣପତ୍ର, କିଷାନ ବିକାଶ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ଏସବୁ ସ୍କିମ ପାଇଁ ବିଗତ ୨ଟି ତ୍ରୈମାସରେ ସୁଧହାର ବୃଦ୍ଧି ପାଇଥିଲା। ସରକାର ପ୍ରତି ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାରର ସମୀକ୍ଷା କରନ୍ତି। ଗତଥର ସରକାର ୨୦୨୩ ଏପ୍ରିଲ-ଜୁନ୍ ତ୍ରୟମାସ ପାଇଁ ଅଧିକାଂଶ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ୭୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ। ସେହିପରି ଜାନୁଆରି-ମାର୍ଚ୍ଚ ତିନିମାସରେ ବି ସୁଧହାର ବୃଦ୍ଧି ପାଇଥିଲା। ଫଳରେ କ୍ରମାଗତ ୨ୟ ତ୍ରୈମାସ ପାଇଁ ସୁଧହାର ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ଡାକଘରେ ଟଙ୍କା ଜମା ରଖିବା ଆହୁରି ଆକର୍ଷଣୀୟ ହୋଇଯାଇଛି।
ସାଧାରଣ ସଞ୍ଚୟକାରୀଙ୍କ ପାଇଁ ଖୁସିଖବର : ବଢିଲା ସ୍ୱଳ୍ପ ସଞ୍ଚୟ ସ୍କିମର ସୁଧହାର

Share Now: