ଭୂତଳ ଡଷ୍ଟବିନ୍‌, ପ୍ଲାଷ୍ଟିକ୍‌ ରିଭର୍ସ ମେସିନ୍‌ ଅକାମୀ : ସରକାରଙ୍କ ୩ କୋଟି ୮୪ ଲକ୍ଷ ବରବାଦ

ଭୂତଳ ଡଷ୍ଟବିନ୍‌, ପ୍ଲାଷ୍ଟିକ୍‌ ରିଭର୍ସ ମେସିନ୍‌ ଅକାମୀ

ଭୁବନେଶ୍ୱର : ଭୁବନେଶ୍ୱରକୁ ‘ଡଷ୍ଟବିନ୍‌ ମୁକ୍ତ’ ସହର କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ଠିକା ସଂସ୍ଥା ପକାଇଥିବା ପବ୍ଲିକ୍‌ ଡଷ୍ଟବିନ୍‌ ରାତାରାତି ହଟାଇ ଦିଆଯାଇଛି। ଘରଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ବାହାରେ ଆବର୍ଜନା ନପକାଇବାକୁ ବିଏମ୍‌ସି କଡ଼ା ନିୟମ କରିଛି। ସ୍ୱତନ୍ତ୍ର ସ୍କ୍ବାଡ୍‌ କରି କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ଏଣୁ ବିଏମ୍‌ସି ରାଜକୋଷରୁ ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମାଟିତଳେ ପୋତା ହୋଇଥିବା ଭୂତଳ ଆବର୍ଜନା କୁଣ୍ଡ(ଡଷ୍ଟବିନ୍‌) ଏବେ ଉପାଡ଼ିବାକୁ ବସିଛି। ଠିକ୍‌ ସେହିଭଳି ପ୍ଲାଷ୍ଟିକ୍‌ ବୋତଲ ନଷ୍ଟ କରିବା ପାଇଁ ବିଏମ୍‌ସି ୪୪ଲକ୍ଷରୁ ଅଧିକ ଖର୍ଚ୍ଚ କରି ସ୍ଥାପନ କରିଥିବା ୫ଟି ପ୍ଲା‌ଷ୍ଟିକ୍‌ ରିଭର୍ସ ଭେଣ୍ଡିଂ ମେସିନ୍‌ ମଧ୍ୟ ଅକାମୀ ହୋଇଯାଇଛି। ସମସ୍ତ ପ୍ଲାଷ୍ଟିକ୍‌ ଆବର୍ଜନା ଏମ୍‌ଆରଏଫ୍‌ (ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟି)କୁ ଯାଇ ସେଠାରେ ପୁନଃ ବ୍ୟବହାରଯୋଗ୍ୟ ହେଉଛି। ଏଣୁ ଏହି ମେସିନ୍‌ଗୁଡ଼ିକ ସହରର ପ୍ରମୁଖ ମାର୍କେଟ୍‌ ଅଞ୍ଚଳରେ ଖତ ଖାଉଛି। ଉଭୟ ପ୍ରକଳ୍ପ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବାରୁ ସେ ସବୁକୁ ହଟାଇବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏ ସବୁକୁ ଉପାଡ଼ି ଦେବା ପାଇଁ ସ୍ଥାପନ କରିଥିବା ସଂସ୍ଥାମାନଙ୍କୁ ଚିଠି ଲେଖିଛି ବିଏମ୍‌ସି। ଦୁଇଟି ପ୍ରକଳ୍ପରେ ବିଏମ୍‌ସି ରାଜକୋଷରୁ ଖର୍ଚ୍ଚ ହୋଇଥିବା ପ୍ରାୟ ୩ କୋଟି ୮୪ ଲକ୍ଷ ଟଙ୍କା ବରବାଦ ହୋଇଛି। ୨୦୧୮ ମସିହାରେ ହକି ବିଶ୍ୱକପ୍‌ ଆୟୋଜନ ପୂର୍ବରୁ ଆବର୍ଜନାକୁ ନେଇ ଚିନ୍ତା ବଢ଼ିଥିଲା। ଆବର୍ଜନା କିଭଳି ବାହାରେ ନ ପଡ଼ିବ ସେଥିପାଇଁ ଚିନ୍ତା କରାଯାଇଥିଲା। ଦୀର୍ଘ ସମୟର ମାନସମନ୍ଥନ ପରେ ଭୂତଳ ଡଷ୍ଟବିନ୍‌ ସ୍ଥାପନ ଯୋଜନା ହୋଇଥିଲା। ଅକ୍ଟୋବର ୩୦ରେ ତତ୍‌କାଳୀନ ମେୟର ଅନନ୍ତ ନାରାୟଣ ‌ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା କଣ୍ଟ୍ରାକ୍ଟସ୍‌ କମିଟିରେ ଏହି ଯୋଜନା ଉପରେ ମୋହର ବାଜିବା ପରେ ତତ୍‌କାଳୀନ କମିସନର କ୍ରିଷନ କୁମାର ଟେଣ୍ଡର ଆହ୍ୱାନ କରିଥିଲେ। ୩ କୋଟି ୩୯ ଲକ୍ଷ ୫୯ ହଜାର ୬୭୫ ଟଙ୍କା ବ୍ୟୟରେ ସହରର ୨୭ଟି ଜାଗାରେ ୫୦ଟି ଭୂତଳ ଡଷ୍ଟବିନ୍‌ ପୋତା ହୋଇଥିଲା।
ପଲ୍ସ ସୋଲାର ସିଷ୍ଟମ୍‌ ଓ ଜୋଣ୍ଟା ପ୍ୟାକେଜ୍‌ ଏହି ଟେଣ୍ଡର ନେଇଥିଲେ। ଗୋଟିଏ ଡଷ୍ଟବିନ୍‌ର କ୍ଷମତା ଥିଲା ୧.୫ ଟନ୍‌। ମାଟି ତଳେ ରହୁଥିବାରୁ ଆବର୍ଜନା ବାହାରକୁ ଦିଶୁନଥିଲା। ନିୟମିତ ସମୟ ବ୍ୟବଧାନରେ ଏହି ଘରୋଇ ସଂସ୍ଥାମାନେ ଏଥିରୁ ଆବର୍ଜନା ସଫା କରୁଥିଲେ। ଏଥିରେ ସେନ୍ସର ଲାଗିବା ସହ ଏହା ଭୁବନେଶ୍ୱର ଅପରେସନ ସେଣ୍ଟର ସହ ସଂଯୁକ୍ତ ହୋଇଥିଲା। ଆବର୍ଜନା ଭର୍ତ୍ତି ହୋଇଗଲେ ଏହି ସେନ୍ସର ଜରିଆରେ ଜଣାପଡ଼ିଥାନ୍ତା। କିନ୍ତୁ ଏହି ସ୍ମାର୍ଟ ବ୍ୟବସ୍ଥାକୁ ଭୁବନେଶ୍ୱର ଅପରେସନ ସେଣ୍ଟର ସହ କମିସନିଂ ହୋଇ ପାରିନଥିଲା। ଫଳରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ କରିବା ପୂର୍ବରୁ ମାଟିତଳେ ପୋତି ହୋଇ ନଷ୍ଟ ହୋଇଗଲା। ଏହା ଶତପ୍ରତିଶତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହାକୁ ଏବେ ଉପାଡ଼ିଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଭୁବନେଶ୍ୱରରେ ଥିବା ଦୁଇଟି ଡଷ୍ଟବିନ୍‌ ହଟା ଯାଇଥିବା ବେଳେ ଅନ୍ୟଗୁଡ଼ିକ କ୍ରମାନ୍ୱୟରେ ହଟାଯାଉଛି। ଠିକ୍‌ ସେହିଭଳି ୨୦୧୮ ଅକ୍ଟୋବର ୩୦ର ସେହି କଣ୍ଟ୍ରାକ୍ଟସ୍‌ କମିଟି ବୈଠକରେ ପ୍ଲାଷ୍ଟିକ୍‌ ରିଭର୍ସ ଭେଣ୍ଡିଂ ମେସିନ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକ ଏଣେ ତେଣେ ଫିଙ୍ଗା ହେବା ଦ୍ୱାରା ପରିବେଶ ନଷ୍ଟ ହେଉଥିଲା। ବିଶେଷକରି ନଳାରେ ଲୋକମାନେ ପକାଇ ଦେଉଥିବାରୁ ନଳା ଜାମ୍‌ ହୋଇଯାଉଥିଲା। ଫଳରେ ବର୍ଷାଦିନେ ଭୟଙ୍କର ସମସ୍ୟା ସୃଷ୍ଟି ହେଉଥିଲା। ତା’ସହିତ ଏଗୁଡ଼ିକ ଜରିଗୋଟାଳିଙ୍କ ଜରିଆରେ ଏହାକୁ ସଂଗ୍ରହ କରି କେତେକ ସଂସ୍ଥା ଏଥିରେ ପାଣି ଭର୍ତ୍ତି କରି ପୁନଃ ବ୍ୟବହାର କରୁଥିଲେ। ଏ ସବୁକୁ ଆଖି ଆଗରେ ରଖି ଏହି ବୋତଲଗୁଡ଼ିକୁ ନଷ୍ଟ କରିବାକୁ ବିଏମ୍‌ସି ଯୋଜନା କରିଥିଲା। କଣ୍ଟ୍ରାକ୍ଟସ୍‌ କମିଟିରେ ନିଷ୍ପତ୍ତି ହେବା ପରେ ବାୟୋକ୍ରକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସହରର ୫ଟି ପ୍ରମୁଖ ଜାଗାରେ ଏହି ପ୍ଲାଷ୍ଟିକ୍‌ ରିଭର୍ସ ମେସିନ୍‌ ସ୍ଥାପନ କରିଥିଲା। ଏଥିପାଇଁ ବିଏମ୍‌ସି ରାଜକୋଷରୁ ୪୪ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ୩ ବର୍ଷ ରକ୍ଷଣାବେକ୍ଷଣ କରିବା ପାଇଁ ସଂସ୍ଥାକୁ ବିଏମ୍‌ସି ଟଙ୍କା ଦେଉଥିଲେ ମଧ୍ୟ ପ୍ରକଳ୍ପ ୨ ବର୍ଷରେ ଅକାମୀ ହୋଇଯାଇଥିଲା। ଏବେ ଏମ୍‌ଆରଏଫ୍‌କୁ ଏହି ସବୁ ବୋତଲ ଯାଉଥିବାରୁ ଏହାର ଆବଶ୍ୟକତା ମଧ୍ୟ ରହିଲା ନାହିଁ। ଏଣୁ ଏଗୁଡ଼ିକୁ ହଟାଇ ଦେବାପାଇଁ ସମ୍ପୃକ୍ତ ସଂସ୍ଥାକୁ ବିଏମ୍‌ସି ନୋଟିସ୍‌ କରିଛି। କେବଳ ଏହି ଦୁଇଟି ପ୍ରକଳ୍ପ ନୁହେଁ ବରଂ ବିଏମ୍‌ସି ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଦୂରଦୃଷ୍ଟି ଅଭାବରୁ ବରବାଦ ହୋଇଥିବା ନଜିର ରହିଛି।

Share Now:

Kalinga News Beuro

Next Post

ପରପୁରୁଷ ସହ ସଂପର୍କ ରଖିବାକୁ ଚାପ : ମହିଳା ଥାନା‌ର ଦ୍ୱାରସ୍ଥ ହେଲେ ନବବଧୂ

Tue Jul 11 , 2023
ଭୁବନେଶ୍ୱର: ନବବଧୂକୁ ପରପୁରୁଷ ସହ ସଂପର୍କ ରଖିବାକୁ ବାଧ୍ୟ କଲେ। ରାଜି ନ ହେବାରୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲେ। ଆପୋସ ବୁଝାମଣା କରିବାକୁ ଚେଷ୍ଟା କରିବାରୁ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍‌ ଓ ଲକ୍ଷେ ଟଙ୍କା ଯୌତୁକ ଦାବି କଲେ। ଏ ସମ୍ପର୍କରେ ନିର୍ଯାତିତା ମହିଳାଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀ, ଶାଶୂ ଓ ନଣନ୍ଦ ନାମ‌ରେ ଅଭିଯୋଗ କରିଛନ୍ତି। ନିର୍ଯାତିତା ମହିଳାଜଣଙ୍କ ହେଲେ, ମଞ୍ଚେଶ୍ୱର ଥାନା ଅଞ୍ଚଳର […]
ପରପୁରୁଷ ସହ ସଂପର୍କ ରଖିବାକୁ ଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial