କେରଳ: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା; ୭ ଲକ୍ଷଙ୍କୁ ସଂକ୍ରମଣ ଭୟ

ଆସିଲେ ଆଉ ୫୮ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ନୌସେନା ଘାଟିରୁ ବିମାନ ସେବା

କୋଚି : କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା ମଧ୍ୟରେ ୧୦ ଦିନ ଘାଣ୍ଟିହେବା ପରେ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ବର୍ଷା ପରିମାଣ କମିବା ସହିତ ବିପଦ ଟଳିବା ଆରମ୍ଭ କରିଛି। କିନ୍ତୁ ରିଲିଫ୍‌ ଶିବିରରେ ଆଶ୍ରୟ ନେଇଥିବା ପ୍ରାୟ ୭ ଲକ୍ଷ ଲୋକଙ୍କଠାରେ ଏବେ ସଂକ୍ରମଣ ଭୟ ଦେଖାଦେଇଛି। ହାଡ଼ଫୁଟି ଭଳି ବିଭିନ୍ନ ସଂକ୍ରମଣଜନିତ ରୋଗ ଆଶଙ୍କା ଦେଖାଦେଇଛି।

ଗତ ୮ ତାରିଖରୁ ଲଗାଣ ଓ ପ୍ରବଳ ବର୍ଷା ହେବା ଯୋଗୁ ସଂପୂର୍ଣ୍ଣ ରାଜ୍ୟରେ ବନ୍ୟା ବିଭୀଷିକା ଦେଖାଦେଇଥିଲା। ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଥିଲା। ଫଳରେ ୩୭୦ରୁ ଊର୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ତେବେ ଶନିବାରଠାରୁ ବର୍ଷା ପରିମାଣ କମିଥିବା ଜଣାପଡ଼ିଛି। ରବିବାର ରାଜ୍ୟର ଅଳ୍ପ କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ହ୍ରାସ ପାଇଛି। ବର୍ଷା କମିବା ଯୋଗୁ ରାଜ୍ୟର ସବୁ ଅଞ୍ଚଳରେ ବନ୍ୟାପାଣି ସ୍ତର ହ୍ରାସ ପାଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଘରେ ଓ ଛାତ ଉପରେ ୧୦ ଦିନ ଧରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ସକାଶେ ଆଜି ଆଉ ୫୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି। ଭାରତୀୟ ସେନା ସହାୟତାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜୋର୍‌ଦାର ଚାଲିଛି। ଖାଲି ସେତିକି ନୁହେଁ, ବିଭିନ୍ନ ସରକାରୀ ଓ ବେସରକାରୀ ଏଜେନ୍ସି ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସହାୟତା କରୁଛନ୍ତି। ଲୋକଙ୍କୁ ଖାଦ୍ୟ ପୁଡ଼ିଆ ଓ ଅନ୍ୟ ସାମଗ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି।

ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ ଉଦ୍ଧାରକାରୀ ଦଳ ଏବେ ପଂପା ନଦୀ କୂଳରେ ଥିବା ଚେନଗନୁର କସ୍‌ବେ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ ସେଠାରେ ଏବେ ବି ୫ ହଜାରରୁ ଅଧିକ ଲୋକ ଫସିରହିଛନ୍ତି। କେରଳ ସ୍ୱାସ୍ଥ୍ୟ ବିଭାଗର ଅନିଲ ବାସୁଦେବନ୍‌ (ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱ)ଙ୍କ କହିବାନୁସାରେ, ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍‌ ଶିବିରରେ ଆଶ୍ରୟ ଦିଆଯାଉଛି। କିନ୍ତୁ ସଂକ୍ରମଣ ଯୋଗୁ ଅନେକ ଲୋକଙ୍କୁ ହାଡ଼ଫୁଟି ହୋଇଛି। ପ୍ରଦୂଷିତ ଜଳ ଓ ବାୟୁ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏଭଳି ବିପଦର ପ୍ରତିକାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ମୌସୁମୀ ବର୍ଷା ଆରମ୍ଭରୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ରିଲିଫ ଶିବିରରେ ରଖାଯାଉଛି। ଏମାନଙ୍କ ସଂଖ୍ୟା ୭ ଲକ୍ଷ ପାର୍‌ କଲାଣି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି।

ପ୍ରବଳ ବର୍ଷା ଯୋଗୁ କୋଚି ବିମାନବନ୍ଦର ଜଳମଗ୍ନ ହୋଇଥିବାରୁ ରାଜ୍ୟବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହାକୁ ଆଖିରେ ରଖି ଯାତ୍ରୀ ସେବା ଲାଗି ନୌସେନାର ଏକ ବିମାନଘାଟିକୁ ବ୍ୟବହାର କରାଯିବ। ବିମାନଗୁଡ଼ିକ ଏହି ଅସ୍ଥାୟୀ ବିମାନବନ୍ଦରରେ ଅବତରଣ କରିବା ସହିତ ଉଡ଼ାଣ କରିପାରିବ ବୋଲି ନୌସେନା ପକ୍ଷରୁ କୁହାଯାଇଛି। ତେବେ ସୋମବାରଠାରୁ ଏହି ଘାଟିରେ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶା ନଦୀରେ ବି ବିସର୍ଜନ ହେବ ବାଜପେୟୀଙ୍କ ଅସ୍ଥି

Mon Aug 20 , 2018
ନୂଆଦିଲ୍ଲୀ : ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଏ ନେଇ ଆଜି ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅସ୍ଥି କଳସକୁ ଦିଲ୍ଲୀରୁ ଓଡ଼ିଶା ବିଜେପି ନେତାମାନେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଗ୍ରହଣ କରିବେ। ଏହାକୁ ନେଇ ନେତାମାନେ ଭୁବନେଶ୍ୱରରେ ପହଞ୍ଚିଲା ପରେ ଦଳୀୟ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial