ଖୁଚୁରା ବେପାରୀଙ୍କ ଶୋଷଣର ଶିକାର ପିଆଜ ଗ୍ରାହକ

ଶୋଷଣର ଶିକାର ପିଆଜ ଗ୍ରାହକ

ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର: ସର୍ବସମ୍ମୁଖରେ ଖୁଚୁରା ବଜାରରେ ଶୋଷଣର ଶିକାର ହେଉଛନ୍ତି ପିଆଜ ଗ୍ରାହକ। ପାଇକାରୀ ବଜାରରେ ପିଆଜ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରାଜଧାନୀର ବିଭିନ୍ନ ଖୁଚୁରା ବଜାର ଏବଂ ଦୋକାନରେ ୧୫ ଟଙ୍କା ଅଧିକ ଅର୍ଥାତ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଲଗାମ ଛଡ଼ା ଦର ବୃଦ୍ଧି ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସହିତ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘର ଶକ୍ତି ମିଶ୍ର। ସୂଚନା ଅନୁଯାୟୀ, ରାଜଧାନୀକୁ ଦୈନିକ ୩୫୦ ଟନ୍‌ ପିଆଜ ନାସିକରୁ ଆସୁଛି। ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣରେ ଯୋଗାଣ ହେଉଛି। କୌଣସି ସ୍ଥାନରେ ସଙ୍କଟ କିମ୍ବା ସମସ୍ୟା ମଧ୍ୟ ନାହିଁ। ଏଣେ ନାଫେଡ୍‌ ପକ୍ଷରୁ ମଧ୍ୟ ସୁଲଭ ମୂଲ୍ୟରେ ଅନ୍‌ଲାଇନରେ ପିଆଜ ବିକ୍ରି ଚାଲିଛି। ଆଇଗିଣିଆ ବଜାରକୁ ପିଆଜ ପହଞ୍ଚିବା ପରେ ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ସହଜରେ ସୁବିଧାରେ ଏହା ନେଇପାରୁଛନ୍ତି। ଏଭଳି ସ୍ଥିତିରେ ପରିବହନ ଖର୍ଚ୍ଚ ମଧ୍ୟ ଏତେ ପଡ଼ୁନାହିଁ ଯେ ଦର ଏକାସହିତ କିଲୋ ପିଛା ଏତେ ବୃଦ୍ଧି ପାଇଛି। ପିଆଜର ଏଭଳି ଦରବୃଦ୍ଧି ଯୋଗୁ ଗରିବ ଏବଂ ମଧ୍ୟବିତ୍ତଙ୍କ ଚୁଲିକୁ ସିଧାସଳଖ ମାଡ଼ କରୁଛି। ଗୋଟିଏ ସମୟରେ ଶ୍ରମିକ ପରିବାର ପାଇଁ ପଖାଳ ସହିତ ପିଆଜ ହିଁ ଏକମାତ୍ର ଭରସା। ମାତ୍ର ବର୍ତ୍ତମାନ ସ୍ଥିତିରେ ଏଭଳି କୃତ୍ରିମ ମୂଲ୍ୟ ବୃଦ୍ଧି ଯୋଗୁ ସେହି ଗୋଟିଏ ଆଇଟମ୍‌କୁ ମଧ୍ୟ ହଜାଇ ଦେବାରେ ଲାଗିଛି। ମାତ୍ର କିଛି ଦିନ ପୂର୍ବରୁ ସମଗ୍ର ରାଜ୍ୟରେ ଟମାଟୋ ଦର ୧୫୦ରୁ ୨୦୦ ଟଙ୍କାରେ ପହଞ୍ଚିଥିଲା।
ବିଭିନ୍ନ ପରିବା ଦର ଏତେ ଥିଲା ଯେ ସାଧାରଣ ମଣିଷଙ୍କ ପାଇଁ ଏହା କିଣିବା ସମ୍ଭବ ହେଉନଥିଲା। ବର୍ତ୍ତମାନ ପିଆଜ ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଯୋଗାଣ ବିଭାଗର ମାର୍କେଟିଂ ନିରୀକ୍ଷକ ରୀତାରାଣୀ କହିଛନ୍ତି, ୨/୩ ଦିନ ପୂର୍ବରୁ ପିଆଜ ଦର ଅଧିକ ରହିଥିଲା। କିନ୍ତୁ ବର୍ତ୍ତମାନ ପାଇକାରୀରେ ଏହାର ଦର ଖସି ୨୦ ରୁ ୨୬ ଟଙ୍କାରେ ବିକ୍ରି ହେଉଛି। ତେଣୁ ଯେଉଁ ବ୍ୟବସାୟୀମାନେ ୩୨ ରୁ ୩୫ ଟଙ୍କାରେ ବିକ୍ରି କରୁଥିଲେ, ତାଙ୍କୁ ସେ ତାଗିଦ କରିଛନ୍ତି। ଦର ୩୦ ଟଙ୍କାରେ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଦର ଯାଞ୍ଚ ପାଇଁ ୟୁନିଟ-୧ ବଜାରକୁ ଯାଇଥିବା ସୂଚନା ଦେଇଛନ୍ତି। ଦର ଏତେ ବଡ଼ ତାରତମ୍ୟ ନେଇ କୁହାଯାଉଛି ଯେ ପାଇକାରୀରେ ମଧ୍ୟ ବିଭିନ୍ନ ସ୍ତରର ପିଆଜ ବିକ୍ରି ହୋଇଥାଏ। ଗୁଣାତ୍ମକମାନରେ ଭଲ ଥିବା ପିଆଜ ପାଇକାରୀରେ ୨୫ରୁ ୨୬ ଟଙ୍କାରେ ବିକ୍ରି ହେଉଛି। ଗ୍ରାହକଙ୍କ ପ୍ରଶ୍ନ ହେଲା, ସବୁଠାରୁ ଭଲ ମାନର ପିଆଜ ୨୬ ଟଙ୍କାରେ କ୍ରୟ ହେଲେ ମଧ୍ୟ ଏହାକୁ ଖୁଚୁରାରେ ଏକାସହିତ ୧୦ ଟଙ୍କା ଅଧିକରେ କେମିତି ବିକ୍ରି ହୋଇ ପାରିବ। କେଉଁ ବ୍ୟବସାୟୀ ଏଭଳି କରୁଛନ୍ତି ଏବଂ କାହିଁକି ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ହେଉ ନାହିଁ।

Share Now:

Kalinga News Beuro

Next Post

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ : ଘୁଞ୍ଚିଲା ଶୁଣାଣି

Fri Sep 1 , 2023
ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପୁଣି ଝୁଲିଲା। ପାହାଡ଼ କାଟି ପ୍ରକଳ୍ପ ନିର୍ମାଣ ବିରୋଧରେ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଚାଲିଥିବା ମାମଲାର ଶୁଣାଣି ଆଜି ଚୂଡ଼ାନ୍ତ ହୋଇପାରିଲା ନାହିଁ। ପୁଣିଥରେ ସେପ୍ଟେମ୍ବର ୧୧କୁ ଶୁଣାଣି ଘୁଞ୍ଚିଛି। ସେପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ଗଛ […]
ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial