୫୦ ଲକ୍ଷର ଫଗିଙ୍ଗ୍‌ ମେସିନ୍‌ ବରବାଦ : ଲୋକାର୍ପଣ ପରେ ବନ୍ଦ, ଆଉ ୧୫ ଆସିବ

୫୦ ଲକ୍ଷର ଫଗିଙ୍ଗ୍‌ ମେସିନ୍‌ ବରବାଦ

ଭୁବନେଶ୍ୱର: ସରକାର କା ମାଲ୍‌, ଦରିଆ ମୈ ଡାଲ୍‌- ସରକାରୀ ଅର୍ଥକୁ ବରବାଦ କରିବା ପ୍ରସଙ୍ଗରେ ଏଭଳି ଉକ୍ତି ଅନେକ ଦିନରୁ ରହିଆସିଛି। ଠିକ୍ ସେହିପରି ଲୋକଙ୍କ ଝାଳବୁହା ଧନ କର ଆକାରରେ ନେଇ ବିଏମ୍‌ସି ଲକ୍ଷଲକ୍ଷ ଟଙ୍କା ପାଣିରେ ପକାଇ ଦେଉଛି। ତାହାର ଏକ ଉଦାହରଣ ହେଉଛି ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ବିଏମ୍‌ସି ଉତ୍ସର୍ଗ କରିଥିବା ୫ଟି ବ୍ୟାଟେରି ଚାଳିତ ଫଗିଙ୍ଗ୍‌ ଗାଡ଼ି (ଅଟୋ)। ଏ ଗାଡ଼ିସବୁ ଉଦ୍‌ଘାଟନର ତୁରନ୍ତ ପରେ ଅଚଳ ହୋଇଯାଇଛି। ଏଥିରେ ‘ଟେକ୍‌ନିକାଲ ଫଲ୍ଟ’ ଥିବାରୁ ଚାଲିବା ସମ୍ଭବ ହେଉନଥିବା ବିଏମ୍‌ସି କହିଛି। ଉଦ୍‌ଘାଟନ ପରେ ଏହି ତ୍ରୁଟି ଦୃଷ୍ଟିଗୋଚର ହୋଇଛି। ଗୋଟିଏ ଗାଡ଼ିକୁ ୧୦ ଲକ୍ଷ ଟଙ୍କା ହିସାବରେ ୫ଟି ଗାଡ଼ିରେ ୫୦ ଲକ୍ଷ ଖର୍ଚ୍ଚ ହୋଇଛି। ଏଭଳି ଆଉ ୧୫ଟି ଗାଡ଼ି ପାଇଁ ବିଏମ୍‌ସି ଅର୍ଡର ଦେଇଛି। ଅର୍ଥାତ୍‌ ମଶା ଧୂଆଁ ଦେବା ପାଇଁ ମୋଟ୍‌ ୨୦ଟି ନୂଆ ଗାଡ଼ିରେ ବିଏମ୍‌ସି ଦୁଇକୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ତଥାକଥିତ ‘ଟେକ୍‌ନିକାଲ୍‌ ଫଲ୍ଟ’ ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁଇକୋଟି ଟଙ୍କା ବରବାଦ ହେବାକୁ ବସିଛି।
ବିଏମ୍‌ସି‌ର ୬୭ ୱାର୍ଡ ପାଇଁ ମାତ୍ର ୮ଟି ଫଗିଂ ମେସିନ୍‌ ରହିଛି। ଏଥିରୁ ଦୁଇଟି ବଡ଼ଗାଡ଼ି ମୁଖ୍ୟରାସ୍ତା ଛଡ଼ା ଅନ୍ୟ ରାସ୍ତାରେ ପଶି ପାରେନାହିଁ। ବାକି ୬ଟି ଛୋଟ ଗାଡ଼ି ୬୭ ୱାର୍ଡରେ ଥିବା ଶହ ଶହ ଗଳିକନ୍ଦିରେ ପଶି ଧୂଆଁ ଦେବା ସମ୍ଭବ ହୁଏନାହିଁ। ଫଳରେ ଏହା କେବଳ ଧର୍ମକୁ ଆଖିଠାର ଭଳି ଚାଲୁଥିଲା। କିନ୍ତୁ କିଛି ଦିନ ହେବ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ମାତ୍ର ୭ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଗଲା। ଡେଙ୍ଗୁ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ନେଇ ତନାଘନା ହେବା ପରେ ବିଏମ୍‌ସି ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣିବାକୁ ଟେଣ୍ଡର କରିଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟି ଗାଡ଼ି ଆସିବା ସହ ସ୍ୱାୟତ୍ତ ଶାସନ ଦିବସରେ ମେୟର ସୁଲୋଚନା ଦାସ ଏହାକୁ ଲୋକାର୍ପଣ କରିଥିଲେ। ଏହାପରେ ପରୀକ୍ଷାମୂଳକ ଭାବରେ ଏହି ଅଟୋ ଗଳିଗଳିରେ ବୁଲି ଧୂଆଁ ଛାଡ଼ିବା ଆରମ୍ଭ କରିଥିଲା। ସେତେବେଳେ ହିଁ ଏଥିରେ ଥିବା ତ୍ରୁଟି ଧରାପଡ଼ିଥିଲା।
ଅଟୋର ଡାଲାରେ ଫଗିଙ୍ଗ୍‌ ମେସିନ୍‌ ଖଞ୍ଜା ଯାଇଛି। ମେସିନ୍‌ ଚାଲିବା ପରେ ଧୂଆଁସବୁ ଡାଲାରେ ଭର୍ତ୍ତି ହୋଇଯାଉଛି। କେବଳ ଡାଲାରେ ଭର୍ତ୍ତି ହେଉନି, ଚାଳକ ବସୁଥିବା ଜାଗାରେ ମଧ୍ୟ ପଶି ଯାଉଛି। ଫଳରେ ଚାଳକ ଅଣନିଶ୍ୱାସୀ ହୋଇପଡ଼ୁଛି। ଅନ୍ୟ ଗାଡ଼ିରେ ଧୂଆଁକୁ ପାଇପ୍‌ ସାହାଯ୍ୟରେ ଗାଡ଼ି ଠାରୁ ଦୂରରେ ଛଡ଼ା ଯାଉଛି। ଏଣୁ ଚାଳକକୁ ଏହା ପ୍ରଭାବିତ କରେନାହିଁ। ତେବେ ଏଭଳି ତ୍ରୁଟି ଆଗରୁ କେମିତି ଅଧିକାରୀମାନେ ଜାଣି ପାରିଲେନି? ଠିକାସଂସ୍ଥା ଏ ନେଇ ଡେମୋ ଦେଖାଇଥିଲା କି ନାହିଁ? ଏଭଳି ଦାୟିତ୍ୱହୀନତା ପାଇଁ ଦାୟୀ କିଏ? ଏଭଳି ଅନେକ ପ୍ରଶ୍ନ ଏବେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବିବାଦକୁ ଟାଣିଛି। ତେବେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଠିକା ସଂସ୍ଥାକୁ ଏ ବାବଦରେ ଅବଗତ କରାଯାଇଛି।

Share Now:

Kalinga News Beuro

Next Post

ସଚିବ ଚାକିରି ଛାଡ଼ନ୍ତୁ, ରାଜନୀତିକୁ ଆସନ୍ତୁ : ଖୋଲା ଚ୍ୟାଲେଞ୍ଜ ଦେଲେ ସୌମ୍ୟରଞ୍ଜନ

Sat Sep 9 , 2023
ମନ୍ତ୍ରୀ ପ୍ରତାପ ଦେବ ନିଜକୁ ରାଜା, ଆମକୁ ପ୍ରଜା ଭାବନ୍ତୁ ନାହିଁ ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ‘‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏହି ସଂପାଦକୀୟରେ ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତି ଗସ୍ତ ଲାଗି ସରକାରୀ ଅର୍ଥରେ ହେଲିକପ୍ଟରର […]
ସଚିବ ଚାକିରି ଛାଡ଼ନ୍ତୁ, ରାଜନୀତିକୁ ଆସନ୍ତୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial