ମାସେ ହେଲା ଅନ୍ଧାରରେ ଶାନ୍ତିସ୍ତୂପ : ଜଳୁନି ୧୧୦ ଷ୍ଟ୍ରିଟ୍‌ ଲାଇଟ୍‌

ମାସେ ହେଲା ଅନ୍ଧାରରେ ଶାନ୍ତିସ୍ତୂପ

ଧଉଳି: ମାସେ ହେଲା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଧଉଳି ଶାନ୍ତିସ୍ତୂପ ଅନ୍ଧାରରେ ରହିଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରୁ ଧଉଳିଗିରି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ଅଧିକାଂଶ ଜଳୁନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଅନ୍ଧାରର ସୁଯୋଗ ନେଇ ଅସାମାଜିକତତ୍ତ୍ବମାନେ ପର୍ଯ୍ୟଟକମାନଙ୍କୁ ନାନାପ୍ରକାର ହଇରାଣ ହରକତ କରୁଥିବା ଅଭିଯୋଗ ହେଲାଣି। କେବଳ ବାହାର ପର୍ଯ୍ୟଟକ ନୁହଁନ୍ତି, ସ୍ଥାନୀୟ ଲୋକେ ବି ସମସ୍ୟାରେ ପଡ଼ୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ତ୍ୱରିତ ମରାମତି ଦିଗରେ ପଦକ୍ଷେପ ନିଆଯାଉନାହିଁ। ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ପର୍ଯ୍ୟଟନ ବିଭାଗର ଉଦାସୀନତାକୁ ନେଇ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହେଲାଣି। ସେହିଭଳି ଦୀର୍ଘ ଦିନ ଧରି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ମଧ୍ୟ ବନ୍ଦ ହୋଇରହିଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରୁ ଶାନ୍ତିସ୍ତୂପକୁ ଲମ୍ବିଥିବା ୨ କିମି ରାସ୍ତାରେ ୧୬୦ ଷ୍ଟ୍ରିଟ୍‌ ଲାଇଟ ଲାଗିଛି। କିନ୍ତୁ ଏବେ ସେଥିରୁ ୧୧୦ ଲାଇଟ୍‌ ଜଳୁନାହିଁ। କେଉଁଠି ଲାଇଟ୍‌ ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଖୁଣ୍ଟରେ ଝୁଲୁଛି ତ ଆଉ କେଉଁଠି ବଲ୍‌ବ ଫ୍ୟୁଜ୍‌ ହୋଇଯାଇଛି। ଥାନା ନିକଟ ରାସ୍ତା, ବସ୍‌ଷ୍ଟାଣ୍ଡ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାର ଛିଣ୍ଡିପଡ଼ିଥିବାରୁ ବିଦ୍ୟୁତ ସେବା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଧଉଳି ଶାନ୍ତିସ୍ତୂପରେ ବି ବହୁ ଲାଇଟ୍‌ ଜଳୁନାହିଁ। ତେଣୁ ରାସ୍ତା ସହ ଧଉଳି ପାହାଡ଼ର ବହୁ ଅଂଶ ଘନ ଅନ୍ଧକାରରେ ରହୁଛି। ଏବେ ପ୍ରାୟ ମାସେ ହେଲା ଏମିତି ଅବସ୍ଥା। ବାହାର ପର୍ଯ୍ୟଟକମାନେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ବନ୍ଦ ଥିବା ଜାଣିନାହାନ୍ତି। ତେଣୁ ସେମାନେ ରାତି ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। କିନ୍ତୁ ସୋ’ ବନ୍ଦ ହେବା ଜାଣି ନିରାଶ ହୋଇ ଫେରୁଛନ୍ତି। ଅନ୍ଧାରରେ ଫେରିବା ବେଳେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ବଡ଼ ସମସ୍ୟା ହେଉଛି ଲୁଟେରାଙ୍କ ପ୍ରାଦୁର୍ଭାବ। ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ତଳେ ଧଉଳିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୂରା ଆଲୋକୀକରଣ କରାଯାଇଥିଲା। ହେଲେ ନିମ୍ନମାନର କାମ ବା ସାମଗ୍ରୀ ଯୋଗୁ ୧୧୦ଟି ଷ୍ଟ୍ରିଟ୍‌ ଲାଇଟ ସଂପୂର୍ଣ୍ଣ ଖରାପ ହୋଇଯାଇଛି। ଅନ୍ଧକାର ସୁଯୋଗ ନେଇ ଧଉଳିରେ ଛିନ୍‌ତାଇ ଘଟଣା ବଢ଼ୁଛି। ଅନ୍ଧାରିଆ ପରିବେଶ ଯୁବକ ଯୁବତୀମାନଙ୍କୁ ସୁହାଉଥିବାରୁ ବିଭିନ୍ନପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏସଂପର୍କରେ ଟ୍ୟୁରିଷ୍ଟ ଅଧିକାରୀ ଅଞ୍ଜନ ବାରିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଲାଇଟ୍‌ ମରାମତି କରାଇବାକୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଆବଶ୍ୟକ ଅର୍ଥ ମଞ୍ଜୁର ହେବା ପରେ ମରାମତି କାମ ଆରମ୍ଭ ହେବ।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା : ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Mon Sep 11 , 2023
ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ […]
୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial